Advertisment

ପିଲାଙ୍କୁ ନିମ୍ନମାନର ଛତୁଆ : ୪୨ଜଣ ସିଡିପିଓ ଓ ୧୨୦ ଏସଏଚଜିକୁ କାରଣଦର୍ଶାଅ ନୋଟିସ

୫ଟି ଏସଏଚଜିକୁ ଛତୁଆ ପ୍ରସ୍ତୁତି କାର୍ଯ୍ୟରୁ ସମ୍ପୂର୍ଣ୍ଣ ବିଦା କରାଯାଇଛି। ବିଧାନସଭାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ରଖିଲେ ଉତ୍ତର।

Representational Image

Representational Image

Advertisment

ଛୋଟଛୋଟ ପିଲାମାନଙ୍କୁ ନିମ୍ନମାନର ଛତୁଆ ଯୋଗାଣ କରିବା ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ଓ ବିଭିନ୍ନ ଜିଲ୍ଲାର ସିଡିପିଓମାନଙ୍କୁ ମହଙ୍ଗା ପଡ଼ିଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୪୨ଜଣ ସିଡିପିଓ ଓ ଛତୁଆ ପ୍ରସ୍ତୁତକାରୀ ୧୨୦ଟି ଏସଏଚଜିକୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଆଉ ୫ଟି ଏସଏଚଜିକୁ ଛତୁଆ ପ୍ରସ୍ତୁତି କାର୍ଯ୍ୟରୁ ସମ୍ପୂର୍ଣ୍ଣ ବିଦା କରାଯାଇଛି।

Advertisment

ଆଜି ବିଧାନସଭାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ପ୍ରଶ୍ନର ଲିଖତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟ ଫୁଡ୍ ଟେଷ୍ଟିଂ ଲାବ୍ରୋଟୋରୀର ୨୦୨୩ ଏପ୍ରିଲରୁ ୨୦୨୪ ଜୁନ୍ ମାସ ମଧ୍ୟରେ ସଂଗୃହୀତ ରିପୋର୍ଟ ଆଧାରରେ ନିମ୍ନମାନର ଛତୁଆ ପ୍ରସ୍ତୁତକାରୀ ଏସଏଚଜି ଓ ଏହାର ତଦାରଖ ଦାୟିତ୍ୱରେ ଥିବା ସିଡିପିଓମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ଭଦ୍ରକ, ଢେଙ୍କାନାଳ, ପୁରୀ ଓ ନବରଙ୍ଗପୁରକୁ ଛାଡ଼ିଦେଲେ ଅନ୍ୟ ୨୬ଟି ଜିଲ୍ଲାର ୧୨୫ଟି ଏସଏଚଜି ନିମ୍ନମାନର ଛତୁଆ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଖାଦ୍ୟ ପରୀକ୍ଷାଗାରର ରିପୋର୍ଟ ଆଧାରରେ ବାଲେଶ୍ୱର, ବରଗଡ଼ ଓ ସୋନପୁରର ଗୋଟିଏ ଲେଖାଏଁ ଏସଏଚଜିକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଥିବାବେଳେ ଝାରସୁଗୁଡ଼ାର ୨ଟି ଏସଏଚଜିକୁ ଏହି କାର୍ଯ୍ୟରୁ ଦୂରେଇ ରଖାଯାଇଛି। ସେହିପରି ଅନ୍ୟ ଏସଏଚଜିଗୁଡ଼ିକୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିବାବେଳେ ଝାରସୁଗୁଡ଼ାର ୧୦ଟି ଏସଏଚଜି, କଟକର ୪ଟି ଏସଏଚଜି ଓ ଯାଜପୁରର ଗୋଟିଏ ଏସଏଚଜିକୁ ଜରିମାନା ରୁଜୁ କରାଯାଇଛି।

ସେହିପରି ଉକ୍ତ ଅବଧି ମଧ୍ୟରେ ଏହି ଛତୁଆ ପ୍ରସ୍ତୁତିର ତଦାରଖ ଦାୟିତ୍ୱରେ ନିୟୋଜିତ ୪୨ଜଣ ସିଡିପିଓ ଓ ୨୧ଜଣ ମହିଳା ସୁପରଭାଇଜରଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। କେବଳ ସୋନପୁର ଜିଲ୍ଲାପାଳଙ୍କ ଦ୍ୱାରା ସେହି ଜିଲ୍ଲାର ଜଣେ ସିଡିପିଓଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ସହ ଦରମା ବନ୍ଦ କରାଯାଇଛି। ଅନ୍ୟ ଜିଲ୍ଲାପାଳମାନେ କେବଳ କାରଣଦର୍ଶାଅ ନୋଟିସ୍ ଜାରି କରି ବସିଯାଇଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ସପ୍ଲିମେଂଟାରୀ ନ୍ୟୁଟ୍ରିସନ୍ ପ୍ରୋଗ୍ରାମ ଆଧାରରେ ଏହି ଛତୁଆ ବଂଟନ କରାଯାଇଥାଏ।

Advertisment

ସୂଚନାଯୋଗ୍ୟ, ବିଜେଡି ସରକାର ସମୟରେ ଅଙ୍ଗନବାଡ଼ି କେନ୍ଦ୍ରରେ ବଂଟନ କରାଯାଉଥିବା ଛତୁଆ ପ୍ର୍‌ସ୍ତୁତି ଦାୟିତ୍ୱ ମହିଳା ଏସଏଚଜିଗୁଡ଼ିକୁ ନ୍ୟସ୍ତ ହୋଇଥିଲା। ଏହି ଏସଏଚଜିଗୁଡ଼ିକ ସ୍ଥାନୀୟ ବିଜେଡି ନେତାମାନଙ୍କ ଛତ୍ରଛାୟାରେ ରହି ନିମ୍ନମାନର ଛତୁଆ ପ୍ରସ୍ତୁତ କରୁଥିବାର ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା। ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇଛି।

Odisha Assembly Anganwadi Chhatua Pravati Parida Low Quality Chhatua
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe