୩୨୬୬ କୋଟିର ୧୧ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ରାଜ୍ୟରେ ପ୍ରାୟ ୩୨୬୬କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି ।

ଲୋକସେବା ଭବନ

  • Published: Monday, 10 July 2023
  • , Updated: 10 July 2023, 10:01 PM IST

ରାଜ୍ୟରେ ପ୍ରାୟ ୩୨୬୬କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଆଉ ୯୧୪୬ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ଆଜି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଖାଦ୍ୟ ଓ କୃଷି ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନ ଶିଳ୍ପ, ଆଇଟି ଓ ଇଏସଡିଏମ୍‌, ଅକ୍ଷୟ ଶକ୍ତି, ରାସାୟନିକ ପଦାର୍ଥ, ଧାତବ ଡାଉନଷ୍ଟ୍ରିମ ଓ ଆନୁସଙ୍ଗିକ କ୍ଷେତ୍ରର ମୋଟ ୧୧ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏସବୁ ପ୍ରକଳ୍ପ ବାଲେଶ୍ୱର, ବଲାଙ୍ଗିର, ଖୋର୍ଦ୍ଧା, କଳାହାଣ୍ଡି ଓ ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ ।

ନେସଲ ଇଣ୍ଡିଆ ଲିମିଟେଡ୍ କମ୍ପାନୀ ୮୯୦କୋଟି ଟଙ୍କା ବିନିଯୋଗ କରି ଖୋର୍ଦ୍ଧାରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ । ଏହାଦ୍ୱାରା ୮୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଆଜି ଏହି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ସେହିପରି କଲରଟୋନ୍ ଗାର୍ମେଣ୍ଟସ ପ୍ରାଇଭେଟ୍ ଲମିଟେଡ୍ ୨୦୦କୋଟି ଟଙ୍କା ନିବେଶ କରି ୧.୨ ମେଗାୱଟ୍ ରୁଫ୍ କ୍ୟାପଟିଭ ସୋଲାର ପାୱାର ପ୍ଲାଣ୍ଟ ସମେତ ଏକ ଇଣ୍ଟିଗ୍ରେଟେଡ୍ ପୋଷାକ ଉତ୍ପାଦନ କାରଖାନା ଖୋର୍ଦ୍ଧାରେ ସ୍ଥାପନ କରିବ । ଯାହାଦ୍ୱାରା ୪୮୨୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହି ସଂସ୍ଥା ଭାରତର ଦ୍ୱିତୀୟ ବୃହତ୍ତମ ବେବିୱେୟାର । ହିମାଦ୍ରି ସ୍ପେଶାଲିଷ୍ଟ କେମିକାଲ ଲିମିଟେଡ୍ ଓଡ଼ିଶାରେ ନିଜର ପ୍ରଥମ ରାସାୟନିକ ୟୁନିଟ୍ ଯାଜପୁରରେ ସ୍ଥାପନ କରିବ ଓ ଏଥିପାଇଁ କମ୍ପାନୀ ୯୮୦କୋଟି ଟଙ୍କା ନିବେଶ କରିବ ଓ ଏହା ଦ୍ୱାରା ୧୪୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

ସେହିପରି ଆଇଡିଭିବି ରିସାଇକ୍ଲିଂ ଅପରେସନ୍ ପ୍ରାଇଭେଟ୍ ଲିମିଟେଡ୍ ୩୧୮କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ ଏକ ପ୍ଲାଷ୍ଟିକ କ୍ଷେତ୍ରରେ ପ୍ରକଳ୍ପ ନିର୍ମାଣ କରିବ । ଏହାଦ୍ୱାରା ୨୪୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ପୂର୍ବ ପ୍ୟାକେଜିଂ ପ୍ରାଇଭେଟ୍ ଲିମିଟେଡ୍ ୧୫୨.୪୮କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ ପ୍ଲାଷ୍ଟିକ ପ୍ରକଳ୍ପ ନିର୍ମାଣ କରିବ ଓ ୧୩୩ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ । ଆରଡିବି ରାସାୟନ୍ସ ଲିଃ ୫୯.୮୪କୋଟି ଟଙ୍କା ବ୍ୟୟରେ ବାଲେଶ୍ୱରରେ ପ୍ଲାଷ୍ଟିକ ପ୍ରକଳ୍ପ ନିର୍ମାଣ କରିବ ଓ ୩୯୧ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଆଇଏଫଜିଏଲ୍ ରିଫ୍ରାକ୍ଟରିଜ୍ ଲିଃ ୧୫୦କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ ଏକ ରିଫ୍ରାକ୍ଟୋରିଜ୍ ୟୁନିଟ୍ ସ୍ଥାପନ କରିବ ଓ ଏଥିରେ ୨୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ବିକେ ଉତ୍କଳ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ୍ ୧୧୧କୋଟି ଟଙ୍କା ବ୍ୟୟରେ ଯାଜପୁରରେ ଷ୍ଟିଲ ଫ୍ଲାଟ୍ ପ୍ରଡକ୍ଟ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରିବ ଓ ୧୫୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେହିପରି ଆରଡେଣ୍ଟ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ୍ ୭୬.୫୦କୋଟି ଟଙ୍କା ବ୍ୟୟରେ ବଲାଙ୍ଗିରରେ କ୍ୟାପଟିଭ ସୋଲାର ପାୱାର ପ୍ଲାଣ୍ଟ ନିର୍ମାଣ କରିବ । ଏଥିରେ ୭୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ଏନଆରଟିଆର ଗ୍ରୀନ୍ ଫୁଏଲ ଆଣ୍ଡ ଏନର୍ଜି ପ୍ରାଃ ଲିମିଟେଡ୍ ୧୨୪କୋଟି ଟଙ୍କା ବ୍ୟୟରେ କଳାହାଣ୍ଡିରେ ଶସ୍ୟ ଆଧାରିତ ଇଥନଲ ପ୍ଲାଣ୍ଟ ସ୍ଥାପନ କରିବ ଓ ଏଥିରେ ୨୭୫ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଜଣାପଡ଼ିଛି ।

Related story