/odisha-reporter/media/post_attachments/uploadimage/library/16_9/16_9_0/SMA_Road_1738851118.jpg)
SMA Road
ରାଜଧାନୀର ରାସ୍ତାକୁ ଦୀର୍ଘସ୍ଥାୟୀ କରିବାକୁ ଯୋଜନା। ସବୁ ଛକରେ ଷ୍ଟୋନ୍ ମାଟ୍ରିକ୍ସ ଆସ୍ପାଲ୍ଟ ବା SMA ଟେକ୍ନୋଲୋଜିର ପ୍ରୟୋଗ ହେବ। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ କ୍ୟାପିଟାଲ ହସ୍ପିଟାଲ ଛକରେ କରାଯାଇଛି ଏଭଳି ଟେକନୋଲୋଜିର ପ୍ରୟୋଗ। କଳା ରଙ୍ଗ ଓ ୨୫ମିମି ଉଚ୍ଚତାର ଏହି କୋଟିଂର ମଝି ମଝିରେ ଛୋଟ ଛୋଟ ବଜୁରୀ ବା ଚିପ୍ସ ଦିଆଯାଇଛି। ରାଜଧାନୀର ୧୦ଟି ଛକର ପିଚୁ ରାସ୍ତା ଉପରେ ଏଭଳି ସ୍ୱତନ୍ତ୍ର ଆସ୍ତରଣ ଦିଆଯିବାକୁ ଯୋଜନା ହୋଇଛି। ସେ ସ୍ଥାନଗୁଡ଼ିକ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ସହିତ ବିମାନବନ୍ଦର ଛକ, ଏଜି ଛକ, ରାଜଭବନ ଛକ ଓ ପାୱାର ହାଉସ୍ ଛକ ଇତ୍ୟାଦି ରହିଛନ୍ତି। ଏହାସହ ପୁନାମା ଗେଟ୍ ରେଳ ଓଭରବ୍ରିଜ୍ ଓ ଭିଏସଏସ୍ ନଗର ରେଳ ଓଭରବ୍ରିଜ୍ର ଆରମ୍ଭରୁ ଶେଷ ଯାଏ ମାଟ୍ରିକ୍ସ ଆସ୍ଫାଲ୍ଟ କୋଟିଂ ଦିଆଯିବ ବୋଲି ଜଣାପଡ଼ିଛି। ଏହି ସ୍ୱତନ୍ତ୍ର ପ୍ରଣାଳୀର ବିଶେଷତ୍ୱ ହେଉଛି, କୋଟିଂ ଦିଆଯାଇଥିବା ସ୍ଥାନ ତାଡ଼ି ହେବନି କି ଏହାକୁ ମଝିରେ ମରାମତି କରିବାକୁ ପଡ଼ିବନି। ଏଭଳି ଟେକନିକ୍ ଦ୍ୱାରା ରାସ୍ତାର ଆୟୂଷ ୭ରୁ ୧୦ ବର୍ଷ ବଢ଼ିଯିବ କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ। ଏହାଦ୍ୱାରା ରାସ୍ତାର ଅଧିକ ମରାମତି ଦରକାର ପଡ଼ିବନି। ଏଭଳି ଟେକ୍ନୋଲୋଜି ଦ୍ୱାରା ରାସ୍ତାରେ ଖାଲଖମା କମିବ ଓ ଟାୟାର ନଷ୍ଟ ହେବନି।
ପୂର୍ବତନ ଜାତୀୟ ସଡ଼କ ସୁରକ୍ଷା କାଉନସିଲର ସଦସ୍ୟ ସୟଦ ମକବୁଲ ଅଲି କହିଛନ୍ତି, ଏହି ଟେକ୍ନୋଲୋଜିରେ ଯେଉଁ ବଜୁରୀ ପଡ଼ୁଛି ତାହା ହେଉଛି ଆଣ୍ଟି-ସ୍କିଡିଂ। ରାସ୍ତାରେ ଆଉ ଗାଡ଼ି ଖସିଯିବନି। ଏହାର ବେଶୀ ମେଣ୍ଟେନାନ୍ସ ଦରକାର ନାହିଁ। ବୁଲାଣି ଗୁଡ଼ିକରେ, ଯେଉଁ ରାସ୍ତାରେ ଦୁର୍ଘଟଣା ଘଟୁଛି ତଥା ଛକ ଜାଗାମାନଙ୍କର ଅତିକମ୍ରେ ୧୦୦ ମିଟର ପୂର୍ବରୁ ଓ ୧୦୦ ମିଟର ପରେ ଏହିଭଳି ରାସ୍ତା କରାଯିବ ଉଚିତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
