Advertisment

ଶ୍ରୀମନ୍ଦିରରେ ଦୁଇ ସେବକ ମାରପିଟ ଘଟଣା, କାରଣ ଦର୍ଶାଅ ନୋଟିସ ପଠାଇଲେ ମୁଖ୍ୟ ପ୍ରଶାସକ

ଗତ ୧୬ ତାରିଖ ଦିନ ମୁକ୍ତିମଣ୍ଡପ ସାମ୍ନାରେ ଅବକାଶ ପାଦୁକା ବଣ୍ଟନକୁ ନେଇ ଉଭୟ ସେବକ ପରସ୍ପରକୁ ଗାଳିଗୁଳଜ କରିବା ସହ ମାରପିଟ୍ କରି ରକ୍ତାକ୍ତ ହୋଇଥିଲେ।

author-image
Jitendra Garnayak
Puri Temple

Puri Temple

ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇ ଜଣ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେମାନେ ହେଲେ ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଓ ବିଶ୍ୱନାଥ ଖୁଣ୍ଟିଆ। ଶ୍ରୀମନ୍ଦିର ଆଇନ୍ 21-କ ଧାରା ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ସେ ନେଇ ସନ୍ତୋଷଜନକ କୈଫିୟତ ରଖିବାକୁ ସେମାନଙ୍କୁ ୭ ଦିନ ସମୟ ଦିଆଯାଇଛି । ଶ୍ରୀମନ୍ଦିର କମାଣ୍ଡରଙ୍କ ଜରିଆରେ ଏହି କୈଫିୟତ ଦାଖଲ କରିବାକୁ ସେମାନଙ୍କୁ କୁହାଯିବା ସହ ଧାର୍ଯ୍ୟ ସମୟ ଭିତରେ ଏହା ହସ୍ତଗତ ନହେଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

Advertisment

ଏହି କାରଣ ଦର୍ଶାଅ ନୋଟିସରେ କୁହାଯାଇଛି ଯେ ଗତ ୧୬ ତାରିଖ ଦିନ ମୁକ୍ତିମଣ୍ଡପ ସାମ୍ନାରେ ଅବକାଶ ପାଦୁକା ବଣ୍ଟନକୁ ନେଇ ଉଭୟ ସେବକ ପରସ୍ପରକୁ ଗାଳିଗୁଳଜ କରିବା ସହ ମାରପିଟ୍ କରି ରକ୍ତାକ୍ତ ହୋଇଥିଲେ। ଏହି ଘଟଣାକୁ ଯୋଗୁଁ ଶ୍ରୀମନ୍ଦିର ପରିସରରେ ସେତେବେଳ ଉପସ୍ଥିତ ଥିବା ଭକ୍ତମାନେ ଏହାର ଶୃଙ୍ଖଳା ନେଇ ସନ୍ଦେହ ପ୍ରକାଶ କରିଥିଲେ। ସେହିପରି ଶ୍ରୀମନ୍ଦିରର ଗାରିମା ଓ ମର୍ଯ୍ୟାଦା ମଧ୍ୟ କ୍ଷୁଣ୍ଣ ହୋଇଥିଲା। ତେଣୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେ ନେଇ ସନ୍ତୋଷଜନକ କୈଫିୟତ ଦାଖଲ କରିବାକୁ ନୋଟିସରେ କୁହାଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ନୋଟିସ୍ ଜାରି କରିବା ସହ ଆଉ ଥରେ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ। ଶ୍ରୀମନ୍ଦିର ଗାରିମା ଉପରେ ପ୍ରଭାବ ପକାଉଥିବା ଏଭଳି ଘଟଣା ଉପରେ କଡ଼ା ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଗ୍ରହଣ କରାଯିବ।

Advertisment