/odisha-reporter/media/post_attachments/uploadimage/library/16_9/16_9_0/IMAGE_1755095765.jpg)
Dongria Kondh odisha
ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମୁଦାୟର ଲୋକମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ବୋର୍ଡ କିମ୍ବା ପରିଷଦ ଗଠନ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଡଙ୍ଗରିଆ କନ୍ଧ ସମୁଦାୟର ମହିଳାମାନେ ଗତ ଶନିବାର ରାଖି ବାନ୍ଧି ନିଜ ଅଂଚଳର ସମସ୍ୟା ସମ୍ପର୍କରେ ଅବଗତ କରିବା ପରେ ସରକାରୀସ୍ତରରେ ଏନେଇ ତତ୍ପରତା ପ୍ରକାଶ ପାଇଛି ।
ଡଙ୍ଗରିଆ କନ୍ଧ ସମୁଦାୟର ପ୍ରତିନିଧି ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାମିଲ କରି ନିୟମଗିରି ଅଂଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କର ଆସ୍ଥା ଜିଣିବା ଦିଗରେ ଆବଶ୍ୟକ ରୂପରେଖ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ‘ଡଙ୍ଗରିଆ କନ୍ଧ’ ମହିଳାମାନେ ଇତିହାସରେ ପ୍ରଥମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ସିଧାସଳଖ ନିଜର ସମସ୍ୟା ସମ୍ପର୍କରେ ଅବଗତ କରାଇବାର ସୁଯୋଗ ପାଇଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମଧ୍ୟ ସେମାନଙ୍କର ସମସ୍ୟାକୁ ଅତ୍ୟନ୍ତ ଗୁରୁତର ସହ ନେଇଥିବା ଜଣାପଡ଼ିଛି ।
ନିୟମଗିରି ଡଙ୍ଗରିଆ କନ୍ଧଙ୍କ ବିକାଶ ପାଇଁ ମାଷ୍ଟରପ୍ଲାନ୍
ନିୟମଗିରି ଅଂଚଳରେ ରହୁଥିବା ଡଙ୍ଗରିଆ କନ୍ଧଙ୍କ ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୋରାପୁଟ ଗସ୍ତରୁ ଫେରିବା ପରେ ଏହି ମାଷ୍ଟରପ୍ଲାନ୍ ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିୟମଗିରି ଅଂଚଳରେ ରହୁଥିବା ଏହି ଆଦିମ ଜନଜାତି ବର୍ଗର ଲୋକମାନଙ୍କୁ ସବୁପ୍ରକାରର ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବା ଓ ସେମାନଙ୍କ ଅଂଚଳରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏହି ମାଷ୍ଟରପ୍ଲାନରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଜଣାପଡ଼ିଛି ।
ବିଶେଷକରି ସ୍ୱତନ୍ତ୍ର ବୋର୍ଡ, ଅବା ପ୍ରାଧିକରଣ ଅବା ବିକାଶ ପରିଷଦ ଗଠନ କରି ସେଥିରେ ଡଙ୍ଗରିଆ କନ୍ଧ ସମୁଦାୟର ପ୍ରତିନିଧିଙ୍କୁ ସାମିଲ କରି ସେହି ଅଂଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସୂତ୍ରରୁ ସୂଚନା ମିଳିଛି । ଯଦିଓ ଡଙ୍ଗରିଆ କନ୍ଧଙ୍କ ବିକାଶ ନିମନ୍ତେ ୧୯୬୪ ମସିହାରୁ ‘ଡଙ୍ଗରିଆ କନ୍ଧ ଉନ୍ନୟନ ଏଜେନ୍ସୀ(ଡିକେଡିଏ)’ କାର୍ଯ୍ୟ କରୁଛି କିନ୍ତୁ ତାହା ଫଳପ୍ରଦ ହୋଇପାରୁନି । ନିୟମଗିରି ପାହାଡ଼ ଅଂଚଳରେ ରହୁଥିବା ଡଙ୍ଗରିଆ କନ୍ଧ ବର୍ଗର ଲୋକଙ୍କୁ ନିଜର ବିକାଶ କାର୍ଯ୍ୟରେ ସିଧାସଳଖ ଭାଗିଦାରୀର ସୁଯୋଗ ଦେବା ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ନିମନ୍ତେ ଏଭଳି ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ, ଦୁଃଖ ଜଣାଇଲେ
ନିୟମଗିରି ଅଂଚଳର ଡଙ୍ଗରିଆ କନ୍ଧ ଓ କୁଟିଆ କନ୍ଧ ମହିଳାମାନେ ଗତ ରାକ୍ଷୀ ପୂର୍ଣ୍ଣିମାରେ କୋରାପୁଟ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାକ୍ଷୀ ବାନ୍ଧିବା ସହ ନିଜ ଅଂଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ଶ୍ରୀ ମାଝୀ ଏହି ସମୁଦାୟର ମହିଳାମାନଙ୍କଠାରୁ ‘ସୁରକ୍ଷା ଓ ସମ୍ମାନ’ର ଏହି ପାରଂପରିକ ପ୍ରତୀକ ଭାବେ ରାଖି ବାନ୍ଧିଥିବା ପ୍ରଥମ ମୁଖ୍ୟମନ୍ତ୍ରୀ । ମହିଳାମାନେ ଏହି ଅବସରରେ ନିଜ ଅଂଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା, ପିଇବା ପାଣି ଓ ଜୀବନଜୀବିକା ଆଦି ମୌଳିକ ସୁବିଧାର ଅଭାବ ସମ୍ପର୍କର୍ରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।
ଏହାସହିତ ନିଜର ସମସ୍ୟାକୁ ନେଇ ସ୍ୱର ଉଠାଇଲେ ସେମାନଙ୍କୁ ନକ୍ସଲ କହି ପୁଲିସ ଓ ପ୍ରଶାସନ ବିଭିନ୍ନ ସମୟରେ ଶୋଷଣ ଓ ଅତ୍ୟାଚାର କରାଯାଉଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଥିବା ସୂଚନା ମିଳିଛି । ସମଗ୍ର ଦେଶରେ ଚିହ୍ନଟ ହୋଇଥିବା ମୋଟ୍ ୭୫ଟି ସମୁଦାୟର ପିଭିଟିଜି(ପ୍ରାଥମିକ ଭାବେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ) ମଧ୍ୟରୁ କେବଳ ଓଡ଼ିଶାରେ ଥିବା ୧୩ଟି ବର୍ଗର ପିଭିଟିଜିଙ୍କ ମଧ୍ୟରେ ଡଙ୍ଗରିଆ କନ୍ଧ ଓ କୁଟିଆ କନ୍ଧ ରହିଛନ୍ତି । ନିୟମଗିରି ପାହାଡ଼ ଅଂଚଳରେ ରହୁଥିବା ଡଙ୍ଗରିଆ କନ୍ଧମାନେ ରାକ୍ଷୀ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା, ମୌଳିକ ସୁବିଧାରୁ ବଂଚିତ ସହ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇବାକୁ ପ୍ରଶାସନିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି ।
ଡଙ୍ଗରିଆ କନ୍ଧଙ୍କ ସ୍ଥିତି ଓ ସରକାରଙ୍କ ଯୋଜନା
ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଏହି ଆଦିମ ଜନଜାତି ‘ଡଙ୍ଗରିଆ କନ୍ଧ’ ସମୁଦାୟ କେବଳ ନିୟମଗିରି ଅଂଚଳରେ ଦେଖିବାକୁ ମିଳନ୍ତି । ପ୍ରକୃତିକୁ ନିଜର ଭଗବାନ ଭାବେ ଏହି ସମୁଦାୟର ଲୋକେ ପୂଜାର୍ଚ୍ଚନା କରିଥାନ୍ତି । ୨୦୧୬ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ବେସଲାଇନ ସର୍ଭେ ଅନୁସାରେ, ରାୟଗଡ଼ା ଜିଲ୍ଲାରେ ମୋଟ ୯୮ଟି ଗାଁରେ ୧୮୯୨ଟି ଡଙ୍ଗରିଆ କନ୍ଧ ପରିବାର ରହୁଛନ୍ତି ଓ ସେଥିରେ ୭୭୨୨ ଜଣ (୪୪୪୩ ମହିଳା ଓ ୩୨୭୯ ପୁରୁଷ) ଲୋକ ଅଛନ୍ତି ।
ଏହି ଗାଁଗୁଡ଼ିକ ମୌଳିକ ସୁବିଧା ସୁଯୋଗରୁ ବଂଚିତ ହୋଇ ରହିଛି । ମାତ୍ର ୩୧ଟି ଗାଁରେ ବିଦ୍ୟାଳୟ, ୨୮ଟି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଓ ୧୬ଟି ଗାଁରେ ମୋଟରଚାଳିତ ରାସ୍ତା ଅଛି । ସର୍ଭେ ଅନୁସାରେ, ଡଙ୍ଗରିଆ କନ୍ଧଙ୍କ ମୋଟ୍ ସାକ୍ଷରତା ହାର ୨୯%, ଯେଉଁଥିରେ ପୁରୁଷଙ୍କ ସାକ୍ଷରତା ୨୪.୫% ଓ ମହିଳାଙ୍କ ସାକ୍ଷରତା ୧୫.୯% ରହିଛି । ଶୁଦ୍ଧ ପାନୀୟ ଜଳ ସାତ ସପନ ପାଲଟିଛି । ଜୀବନଜୀବିକା ନିର୍ବାହ ପାଇଁ ପାରମ୍ପରିକ ଉପାୟ ଛଡ଼ା ଅନ୍ୟ ବିକଳ୍ପ ମଧ୍ୟ ସେମାନଙ୍କ ପାଖରେ ନାହିଁ । ଦୀର୍ଘ ୬ ଦଶନ୍ଧି ଧରି ‘ଡଙ୍ଗରିଆ କନ୍ଧ ଉନ୍ନୟନ ଏଜେନ୍ସୀ’ ମାଧ୍ୟମରେ ସରକାର ଅର୍ଥ ଆବଂଟନ କରୁଥିଲେ ମଧ୍ୟ ସେଥିରେ ସମ୍ପୃକ୍ତ ସମୁଦାୟର ଲୋକଙ୍କ ଅନୁପସ୍ଥିତି ଯୋଗୁ ଏହି ଏଜେନ୍ସୀ କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ ହୋଇଛି ।
ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଡଙ୍ଗରିଆ କନ୍ଧ ସମୁଦାୟର ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବାପରେ ନିୟମିଗିରି ଅଂଚଳରେ ତ୍ୱରିତ୍ ବିକାଶ କାର୍ଯ୍ୟ ସହ ଡଙ୍ଗରିଆ କନ୍ଧଙ୍କ ସାମଗ୍ରିକ ବିକାଶ ତ୍ୱରାନ୍ୱିତ ହେବାର ସମ୍ଭାବନା ଥିବା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସୂତ୍ରରୁ ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
