Advertisment

Ratna Bhandar: ରତ୍ନଭଣ୍ଡାରକୁ ଗଲା ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର

ଆଜି ସକାଳ ୧୦ଟା ୫୫ ମିନିଟ୍‌ରେ ବାହାର ରତ୍ନଭଣ୍ଡାରର ତାଲା ଖୋଲାଯାଇଥିଲା। ତା’ପରେ ଭିତର ରତ୍ନଭଣ୍ଡାରର ତାଲା ଖୋଲା ଯାଇଥିଲା। ଅପରାହ୍ନ ୨ଟା ୫୫ ମିନିଟ୍‌ରେ ଶେଷ ହୋଇଥିଲା ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା।

author-image
Jitendra Garnayak
Jagannath Temple

ପୁରୀ ଶ୍ରୀମନ୍ଦିର Photograph: (OR)

ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ରତ୍ନ ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀଗୁଡ଼ିକୁ ଆଜି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ସଂପନ୍ନ ହୋଇଛି। ୪ ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲିଥିଲା।

Advertisment

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ୫୫ ମିନିଟ୍‌ରେ ବାହାର ରତ୍ନଭଣ୍ଡାରର ତାଲା ଖୋଲାଯାଇଥିଲା। ତା’ପରେ ଭିତର ରତ୍ନଭଣ୍ଡାରର ତାଲା ଖୋଲା ଯାଇଥିଲା। ଭିତର ରତ୍ନଭଣ୍ଡାର ଖୋଲିବା ପରେ ଅସ୍ଥାୟୀ ରତ୍ନଭଣ୍ଡାର ବା ଖଟଶେଜ ଘରୁ ସିଲ୍‌ ହୋଇଥିବା ୬ଟି ଆଲମିରା ଓ ୬ଟି ପ୍ୟାକେଟ୍‌କୁ ସେଠାକୁ ନିଆଯାଇଥିଲା, ଯେଉଁଥିରେ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ରହିଛି। ତା’ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିତର ରତ୍ନଭଣ୍ଡାରକୁ ସିଲ୍ କରାଯାଇଥିଲା। ସିଲ୍‌ କରିବା ପାଇଁ ସେଥିରେ ଦୁଇଟି ତାଲା ପକାଯାଇଥିଲା। ସମସ୍ତ ଅଧିକୃତ ବ୍ୟକ୍ତିବିଶେଷ ଓ ସେବକମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସଂପାଦିତ କରାଯାଇଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଦୁଇଟି ତାଲାର ସମସ୍ତ ଚାବିକୁ ସିଲ୍ କରାଯାଇଥିଲା। ସେହିପରି ଭିତର ରତ୍ନଭଣ୍ଡାରରେ ରହିଥିବା ସମସ୍ତ ଆଲମିରାର ଚାବିଗୁଡ଼ିକୁ ମଧ୍ୟ ସିଲ୍ କରାଯାଇଛି। ଏହି ସବୁ ଚାବିଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଟ୍ରେଜେରୀରେ ରଖାଯିବ। 

ଭିତର ରତ୍ନଭଣ୍ଡାରରେ ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷପତ୍ର ରଖାଯିବା ପରେ ବାହାର ରତ୍ନଭଣ୍ଡାର ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମରାମତି ପାଇଁ ବାହାର ରତ୍ନଭଣ୍ଡାରରରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷକୁ ଚାଙ୍ଗଡ଼ା ଓ ଫୁଲ ଘରେ ରଖାଯାଇଥିଲା। ସେଠାରୁ ସେଗୁଡ଼ିକୁ ଆଣି ବାହାର ରତ୍ନଭଣ୍ଡାରରେ ରଖାଯାଇ ତାଲା ପକାଯାଇଥିଲା। ବାହାର ରତ୍ନଭଣ୍ଡାରର ତାଲାର ଚାବିଗୁଡ଼ିକୁ ପରମ୍ପରା ଅନୁଯାୟୀ ଗଜପତି ମହାରାଜଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ଭଣ୍ଡାର ମେକପ ସେବକମାନଙ୍କ ପାଖରେ ରହିଥାଏ। ସେ କାର୍ଯ୍ୟ ମଧ୍ୟ ସମସ୍ତଙ୍କ ସମ୍ମୁଖରେ ଆଜି ସଂପାଦିତ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। 

Advertisment

ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ସକାଳ ୧୦ଟା ୫୫ରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୨ଟା ୫୫ ମିନିଟ୍‌ରେ ଶେଷ ହୋଇଥିଲା। ଏସ୍‌ଓପି ଅନୁଯାୟୀ ଏହି ପୂରା ପ୍ରକ୍ରିୟାର ଭିଡିଓ ଉତ୍ତୋଳନ କରାଯାଇଛି। ମନ୍ଦିରର ନିଷିଦ୍ଧାଞ୍ଚଳରେ ଭିଡିଓ ଉତ୍ତୋଳନ ନ କରି କେବଳ ଭିତର ରତ୍ନଭଣ୍ଡାର, ବାହାର ରତ୍ନ ଭଣ୍ଡାର, ସ୍ଥାନାନ୍ତରଣ ପ୍ରକ୍ରିୟାର ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସିଲ୍ ଖୋଲିବା ଏବଂ ସିଲ କରାଯିବା ଇତ୍ୟାଦିର ଭିଡିଓଗ୍ରାଫି କରାଯାଇଛି। ଏହି ଭିଡିଓଗ୍ରାଫିର ମେମୋରି ଚିପ୍ ତତ୍‌କ୍ଷଣାତ୍ ଭିଡିଓଗ୍ରାଫରଙ୍କଠାରୁ ସଂଗ୍ରହ କରାଯାଇଥିଲା ଓ ଏହାକୁ ଷ୍ଟ୍ରଙ୍ଗରୁମ୍‌ ରଖାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ପାଢ଼ୀ।  

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ଆଜିର ଏହି ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ, ତା’ ଉପରେ ବିଶେଷ ଦୃଷ୍ଟି ଦିଆଯାଇଥିଲା। ଭକ୍ତମାନଙ୍କ ପାଇଁ ସାମୟିକ କଟକଣା ଲାଗୁ କରାଯାଇଥିଲା। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଦୁଃଖିତ। ଏସ୍‌ଓପି ଅନୁଯାୟୀ ସ୍ୱଚ୍ଛତାର ସହିତ ଓ ସଂପୂର୍ଣ୍ଣ ବିଧି ମୁତାବକ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ସଂପାଦିତ କରାଯାଇଛି। ସେଥିପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନର କଟକଣା ରହିଥିଲା। ସେମାନେ ମଧ୍ୟ ଆମକୁ ସହଯୋଗ କରିଛନ୍ତି। 

ସେ କହିଛନ୍ତି, ପରବର୍ତ୍ତୀ ପର୍ଯ୍ୟାୟରେ କେଉଁ ଦିନ ଗଣତି ମଣତି କରାଯିବ, ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ।  

ଆସିଲେନି ସୁଦର୍ଶନ
ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ରତ୍ନଭଣ୍ଡାର କମିଟିର ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜି ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟାରେ ସାମିଲ ହୋଇନଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଚିଠି ଓ ପାସ୍ ପ୍ରଦାନ କରାଯାଇଥିଲା। ହେଲେ କୌଣସି ଅସନ୍ତୋଷ ଯୋଗୁଁ ସେ ଆଜିର ପ୍ରକ୍ରିୟାରେ ସାମିଲ ହୋଇନଥିବା ଜଣାପଡ଼ିଛି। ତାଙ୍କ କଥା ସେ ସଠିକ୍ ଫୋରମରେ ରଖିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପଟେ ସୁଦର୍ଶନ ପଟ୍ଟନାୟକଙ୍କ ଅନୁପସ୍ଥିତ ସମ୍ପର୍କରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ସେ ଆଜି ଅନୁପସ୍ଥିତ ରହିବାରୁ ତାଙ୍କ ସ୍ଥାନରେ ପରିଚଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀଙ୍କୁ ନିଆଯାଇଥିଲା।

Puri Ratna Bhandar