Advertisment

‘ଷ୍ଟାର୍ଟଅପ୍ ଓଡ଼ିଶା’ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟଙ୍କୁ ନିର୍ଦ୍ଦେଶ: ଫେରାଇବେ ୯.୨୨ ଲକ୍ଷ ଟଙ୍କା

ବିଭାଗ ପକ୍ଷରୁ ଖୋଳତାଡ଼ ପରେ ଜଣାପଡ଼ିଛି ଯେ, ‘ଷ୍ଟାର୍ଟଅପ୍ ଓଡ଼ିଶା’ରୁ ଡଃ ରାୟ ୨୦୨୨ ଏପ୍ରିଲରୁ ୨୦୨୪ ଜୁଲାଇ ମାସ ମଧ୍ୟରେ ଦରମା ବାବଦରେ ଅଧିକ ୩ଲକ୍ଷ ୫୯ହଜାର ୦୪୦ଟଙ୍କା, ମହଙ୍ଗା ଭତ୍ତା ବାବଦରେ ୧ଲକ୍ଷ ୪୨ହଜାର ୭୧୮ଟଙ୍କା  ନେଇଛନ୍ତି ।

author-image
Ordigital Desk
Odisha

Odisha

‘ଷ୍ଟାର୍ଟଅପ୍ ଓଡ଼ିଶା’ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟଙ୍କଠୁ ୯ଲକ୍ଷ ୨୨ହଜାର ୫୩୦ଟଙ୍କା ଆଦାୟ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ବିଭାଗର ସ୍ପଷ୍ଟୀକରଣ ଆଧାରରେ ରାଜ୍ୟ ଏମଏସଏମଇ ବିଭାଗ ତାଙ୍କଠୁ ଏହି ଅତିରିକ୍ତ ଟଙ୍କା ଆଦାୟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ୨୦୨୨ ଏପ୍ରିଲରୁ ୨୦୨୪ ଜୁଲାଇ ମଧ୍ୟରେ ସେ ନିଜର ଧାର୍ଯ୍ୟ ଦରମା ତୁଳନାରେ ଅଧିକ ଅର୍ଥ ଦରମା ଆକାରରେ ନେଇଥିବା ଜଣାପଡ଼ିଛି ।

Advertisment

ରାଜ୍ୟ ଏମଏସଏମଇ ବିଭାଗ ପକ୍ଷରୁ ଅଗଷ୍ଟ ୨୩ତାରିଖରେ ଜାରି ନିର୍ଦ୍ଦେଶନାମା ଅନୁସାରେ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଡଃ ଓମକାର ରାୟ ମାସିକ ୨ ଲକ୍ଷ ୧୧ ହଜାର ୮୦୦ଟଙ୍କା ଦରମା ପାଇବେ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଡିଏ ମଧ୍ୟ ପାଇବେ ବୋଲି ୨୦୨୨ ଜୁନ୍ ୯ ତାରିଖରେ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। ସେ ତାଙ୍କର ମୂଳ ପେନସନକୁ ଛାଡ଼ି ଏହି ଦରମା ପାଇବେ । କିନ୍ତୁ ୨୦୨୨ ଏପ୍ରିଲରୁ ୨୦୨୪ ଜୁଲାଇ ମଧ୍ୟରେ ସେ ଧାର୍ଯ୍ୟ ୨ଲକ୍ଷ ୧୧ହଜାର ୮୦୦ଟଙ୍କା ମୂଳ ଦରମା ପରିବର୍ତ୍ତେ ୨ଲକ୍ଷ ୨୫ହଜାର ଟଙ୍କା ଦରମା ନେଇଥିଲେ । ଆଉ ଏହି ବର୍ଦ୍ଧିତ ମୂଳ ଦରମା ଆଧାରରେ ମଧ୍ୟ ସେ ଡିଏ ପାଇଥିଲେ । କେବଳ ସେତିକି ନୁହେଁ ଧାର୍ଯ୍ୟ ପେନସନ ତୁଳନାରେ ସେ ଅଧିକ ପେନସନ୍ ରାଶି ମଧ୍ୟ ନେଇଛନ୍ତି ।

ବିଭାଗ ପକ୍ଷରୁ ଖୋଳତାଡ଼ ପରେ ଜଣାପଡ଼ିଛି ଯେ, ‘ଷ୍ଟାର୍ଟଅପ୍ ଓଡ଼ିଶା’ରୁ ଡଃ ରାୟ ୨୦୨୨ ଏପ୍ରିଲରୁ ୨୦୨୪ ଜୁଲାଇ ମାସ ମଧ୍ୟରେ ଦରମା ବାବଦରେ ଅଧିକ ୩ଲକ୍ଷ ୫୯ହଜାର ୦୪୦ଟଙ୍କା, ମହଙ୍ଗା ଭତ୍ତା ବାବଦରେ ୧ଲକ୍ଷ ୪୨ହଜାର ୭୧୮ଟଙ୍କା  ନେଇଛନ୍ତି । ସେହିପରି ନିଜର ପେନସନ୍ ବାବଦରେ ୪ଲକ୍ଷ ୨୦ହଜାର ୭୭୨ଟଙ୍କା ରାଜ୍ୟ ରାଜକୋଷରୁ ମଧ୍ୟ ନେଇଛନ୍ତି । ଏହି ସମସ୍ତ ମୋଟ ରାଶି ୯ଲକ୍ଷ ୨୨ହଜାର ୫୩୦ଟଙ୍କାକୁ ଡଃ ରାୟଙ୍କଠୁ ସହଜ କିସ୍ତିରେ ଆଦାୟ କରିବାକୁ ଏମଏସଏମଇ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି ।

Advertisment

ସୂଚନାଯୋଗ୍ୟ, ‘ଷ୍ଟାର୍ଟଅପ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ଓଡ଼ିଆ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ତୁଳନାରେ ଅଣଓଡ଼ିଆଙ୍କୁ ଗୁରୁତ୍ୱ ଦିଆଯାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକୁ ରାଜ୍ୟର ବିଜେପି ସରକାର ଗୁରୁତ୍ୱର ସହ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଢ଼ି ତା’ର ତଦନ୍ତ କରାଇଥିଲେ ।

Startup Company