‘ଷ୍ଟାର୍ଟଅପ୍ ଓଡ଼ିଶା’ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମକାର ରାୟଙ୍କଠୁ ୯ଲକ୍ଷ ୨୨ହଜାର ୫୩୦ଟଙ୍କା ଆଦାୟ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ବିଭାଗର ସ୍ପଷ୍ଟୀକରଣ ଆଧାରରେ ରାଜ୍ୟ ଏମଏସଏମଇ ବିଭାଗ ତାଙ୍କଠୁ ଏହି ଅତିରିକ୍ତ ଟଙ୍କା ଆଦାୟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ୨୦୨୨ ଏପ୍ରିଲରୁ ୨୦୨୪ ଜୁଲାଇ ମଧ୍ୟରେ ସେ ନିଜର ଧାର୍ଯ୍ୟ ଦରମା ତୁଳନାରେ ଅଧିକ ଅର୍ଥ ଦରମା ଆକାରରେ ନେଇଥିବା ଜଣାପଡ଼ିଛି ।
ରାଜ୍ୟ ଏମଏସଏମଇ ବିଭାଗ ପକ୍ଷରୁ ଅଗଷ୍ଟ ୨୩ତାରିଖରେ ଜାରି ନିର୍ଦ୍ଦେଶନାମା ଅନୁସାରେ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଡଃ ଓମକାର ରାୟ ମାସିକ ୨ ଲକ୍ଷ ୧୧ ହଜାର ୮୦୦ଟଙ୍କା ଦରମା ପାଇବେ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଡିଏ ମଧ୍ୟ ପାଇବେ ବୋଲି ୨୦୨୨ ଜୁନ୍ ୯ ତାରିଖରେ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। ସେ ତାଙ୍କର ମୂଳ ପେନସନକୁ ଛାଡ଼ି ଏହି ଦରମା ପାଇବେ । କିନ୍ତୁ ୨୦୨୨ ଏପ୍ରିଲରୁ ୨୦୨୪ ଜୁଲାଇ ମଧ୍ୟରେ ସେ ଧାର୍ଯ୍ୟ ୨ଲକ୍ଷ ୧୧ହଜାର ୮୦୦ଟଙ୍କା ମୂଳ ଦରମା ପରିବର୍ତ୍ତେ ୨ଲକ୍ଷ ୨୫ହଜାର ଟଙ୍କା ଦରମା ନେଇଥିଲେ । ଆଉ ଏହି ବର୍ଦ୍ଧିତ ମୂଳ ଦରମା ଆଧାରରେ ମଧ୍ୟ ସେ ଡିଏ ପାଇଥିଲେ । କେବଳ ସେତିକି ନୁହେଁ ଧାର୍ଯ୍ୟ ପେନସନ ତୁଳନାରେ ସେ ଅଧିକ ପେନସନ୍ ରାଶି ମଧ୍ୟ ନେଇଛନ୍ତି ।
ବିଭାଗ ପକ୍ଷରୁ ଖୋଳତାଡ଼ ପରେ ଜଣାପଡ଼ିଛି ଯେ, ‘ଷ୍ଟାର୍ଟଅପ୍ ଓଡ଼ିଶା’ରୁ ଡଃ ରାୟ ୨୦୨୨ ଏପ୍ରିଲରୁ ୨୦୨୪ ଜୁଲାଇ ମାସ ମଧ୍ୟରେ ଦରମା ବାବଦରେ ଅଧିକ ୩ଲକ୍ଷ ୫୯ହଜାର ୦୪୦ଟଙ୍କା, ମହଙ୍ଗା ଭତ୍ତା ବାବଦରେ ୧ଲକ୍ଷ ୪୨ହଜାର ୭୧୮ଟଙ୍କା ନେଇଛନ୍ତି । ସେହିପରି ନିଜର ପେନସନ୍ ବାବଦରେ ୪ଲକ୍ଷ ୨୦ହଜାର ୭୭୨ଟଙ୍କା ରାଜ୍ୟ ରାଜକୋଷରୁ ମଧ୍ୟ ନେଇଛନ୍ତି । ଏହି ସମସ୍ତ ମୋଟ ରାଶି ୯ଲକ୍ଷ ୨୨ହଜାର ୫୩୦ଟଙ୍କାକୁ ଡଃ ରାୟଙ୍କଠୁ ସହଜ କିସ୍ତିରେ ଆଦାୟ କରିବାକୁ ଏମଏସଏମଇ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି ।
ସୂଚନାଯୋଗ୍ୟ, ‘ଷ୍ଟାର୍ଟଅପ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ଓଡ଼ିଆ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ତୁଳନାରେ ଅଣଓଡ଼ିଆଙ୍କୁ ଗୁରୁତ୍ୱ ଦିଆଯାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକୁ ରାଜ୍ୟର ବିଜେପି ସରକାର ଗୁରୁତ୍ୱର ସହ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଢ଼ି ତା’ର ତଦନ୍ତ କରାଇଥିଲେ ।