Advertisment

ଚର୍ଚ୍ଚାରେ ରାଜ୍ୟ ସମବାୟ ବ୍ୟାଙ୍କ କେଳେଙ୍କାରୀ: ସଭାପତି ଫେରାଉ ନାହାନ୍ତି ୧.୮୭ଲକ୍ଷ ଟଙ୍କା, ସନ୍ଦେହରେ ରେଜିଷ୍ଟ୍ରାରଙ୍କ ଭୂମିକା

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସସିବି)ର ସଭାପତି ବିଜେଡି ନେତା ଶ୍ରୀ ଦୋରାଙ୍କୁ ୨୦୨୫ ଅଗଷ୍ଟ ୧୮ତାରିଖରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ରାଜ୍ୟ ସମବାୟ ବ୍ୟାଙ୍କର ଅନୈତିକ ଓ ବେଆଇନ ଗତିବିଧି ଅଭିଯୋଗର ତଦନ୍ତ ରିପୋର୍ଟ ତାଙ୍କୁ ପ୍ରଦାନ କରିଛନ୍ତି ।

OSCB

OSCB

Advertisment

କିଛିଦିନର ବ୍ୟବଧାନ ପରେ ପୁଣିଥରେ ଚର୍ଚ୍ଚାରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ । ବିଦେଶ ଗସ୍ତରେ ଯାଇ ମନଇଚ୍ଛା ଖର୍ଚ୍ଚ କରିବା  ବ୍ୟାଙ୍କର ସଭାପତି ତଥା ବିଜେଡି ନେତା ଟି.ପ୍ରସାଦ ରାଓ ଦୋରାଙ୍କୁ ମହଙ୍ଗା ପଡ଼ିଛି । ନିଜ କ୍ଷମତାର ଅପବ୍ୟବହାର କରି ବ୍ୟାଙ୍କରୁ ନେଇଥିବା ୧ଲକ୍ଷ ୮୬ହଜାର ୫୫୫ଟଙ୍କା ତୁରନ୍ତ ଫେରାଇବା ପାଇଁ ଶ୍ରୀ ଦୋରାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ତେବେ ଏହି ଅନିୟମିତତାର ଚିହ୍ନଟ କରି ରାଜ୍ୟ ସମବାୟ ବିଭାଗ ଗତ ପ୍ରାୟ ଏକବର୍ଷରୁ ଅଧିକ ଦିନ ଧରି ସମ୍ପୃକ୍ତ ଅର୍ଥ ଆଦାୟ ନିମନ୍ତେ ନିର୍ଦ୍ଦେଶ ଦେବା ସତ୍ତ୍ୱେ ସମବାୟ ସୋସାଇଟି ରେଜିଷ୍ଟ୍ରାରଙ୍କ ସନ୍ଦେହଜନକ ଭୂମିକା ଯୋଗୁ   ତାହା ଆଦାୟ ହୋଇପାରୁନଥିବା ଜଣାପଡ଼ିଛି । ରାଜ୍ୟରେ ବିଜେପି ସରକାର କ୍ଷମତାରେ ଥିବାବେଳେ ବିଜେଡିର ଏହି ନେତା କାହା ଛତ୍ରଛାୟାରେ ରହିଛନ୍ତି ଓ କାହିଁକି ବ୍ୟାଙ୍କ ଟଙ୍କା ଫେରସ୍ତ କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

ତଦନ୍ତବେଳେ ଧରାପଡ଼ିଲା ବ୍ୟାଙ୍କର ଅନୈତିକ ଓ ବେଆଇନ କାର୍ଯ୍ୟ

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସସିବି)ର ସଭାପତି ବିଜେଡି ନେତା ଶ୍ରୀ ଦୋରାଙ୍କୁ ୨୦୨୫ ଅଗଷ୍ଟ ୧୮ତାରିଖରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ରାଜ୍ୟ ସମବାୟ ବ୍ୟାଙ୍କର ଅନୈତିକ ଓ ବେଆଇନ ଗତିବିଧି ଅଭିଯୋଗର ତଦନ୍ତ ରିପୋର୍ଟ ତାଙ୍କୁ ପ୍ରଦାନ କରିଛନ୍ତି । ଏହି ତଦନ୍ତବେଳେ ଶ୍ରୀ ଦୋରା ନିଜ କ୍ଷମତା ବାହାରେ ଡିଏ ବାବଦରେ ବ୍ୟାଙ୍କ ଆକାଉଣ୍ଟରୁ ନେଇଯାଇଥିବା ୧ଲକ୍ଷ ୮୫ହଜାର ୫୫୫ଟଙ୍କା ତୁରନ୍ତ ଫେରାଇବାକୁ କହିଛନ୍ତି ।

Advertisment

ଏହି ଚିଠିରେ ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଲେଖିଛନ୍ତି,ତଦନ୍ତ ରିପୋର୍ଟରୁ ମିଳିଛି ଯେ ୨୦୨୩ ଜୁଲାଇ ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ବେଲଜିୟମରେ ଆଇସିଏ ସିସିଆର ଗ୍ଲୋବାଲ ୟୁରୋପିୟାନ କୋଅପରେଟିଭ ରିସର୍ଚ୍ଚ କନଫରେନ୍ସରେ ଯୋଗ ଦେବାକୁ ଯିବାସମୟରେ ଡିଏ ବାବଦରେବ୍ୟାଙ୍କ ଆକାଉଣ୍ଟରୁ  ୧ଲକ୍ଷ ୮୬ହଜାର ୫୫୫ଟଙ୍କା ନେଇଛନ୍ତି । ଏହି ଡିଏ ପାଇବାକୁ କ୍ଷମତା ବା ଯୋଗ୍ୟତା ନାହିଁ କିମ୍ବା ଏହା ନେବାକୁ ସେ ଦାବି କରିବା ଉଚିତ୍ ନୁହେଁ । ତେଣୁ ଏହି ଅର୍ଥ ଫେରାଇ ଦେବାକୁ ଶ୍ରୀ ଦୋରାଙ୍କୁ ସେ କହିଛନ୍ତି ।

ପରିଚାଳନା ନିର୍ଦ୍ଦେଶକଙ୍କ ଭୂମିକା ସନ୍ଦେହରେ

ରାଜ୍ୟ ସମବାୟ ବ୍ୟାଙ୍କରେ ଅନୈତିକ ଓ ବେଆଇନ କାର୍ଯ୍ୟର ତଦନ୍ତ କରି ରାଜ୍ୟ ସମବାୟ ବିଭାଗର ଯୁଗ୍ମ ସଚିବ ୨୦୨୪ ଜୁଲାଇ ୩୧ତାରିଖରେ ସମବାୟ ରେଜିଷ୍ଟ୍ରାରଙ୍କୁ ଅବଗତ କରାଇଥିଲେ । ତତକାଳୀନ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ମଧ୍ୟ ୨୦୨୪ ସେପ୍ଟେମ୍ବର ୧୨ତାରିଖରେ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବା ସହ ଏହା ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତା’ର ଅନୁପାଳନ ରିପୋର୍ଟ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ଚିଠିର ପ୍ରାୟ ୧୧ମାସ ପରେ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକଙ୍କ ନିଦ ଭାଙ୍ଗିଥିଲା ।

ଆଉ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ୨୦୧୨ ବ୍ୟାଚ୍ ଆଇଏଏସ୍ ସିଦ୍ଧାର୍ଥ ଦାସ ୨୦୨୫ ଅଗଷ୍ଟ ୧୮ତାରିଖରେ ବ୍ୟାଙ୍କ ସଭାପତି ଶ୍ରୀ ଦୋରାଙ୍କୁ ଚିଠି ଲେଖି ଏହି ତଦନ୍ତ ରିପୋର୍ଟ ଆଧାରରେ ଡିଏବାବଦରେ ନେଇଥିବା ୧.୮୭ଲକ୍ଷ ଟଙ୍କା ଫେରାଇବାକୁ କହିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ୨୦୨୪ ନଭେମ୍ବର ମାସରେ ସିଦ୍ଧାର୍ଥ ଦାସ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଓ ଏହି ଦାୟିତ୍ୱ ସହ ସେ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ଶ୍ରୀ ଦାସ ଦୁଇଟି ଯାକ ଦାୟିତ୍ୱ ତୁଲାଉଥିବା ସତ୍ତ୍ୱେ ବ୍ୟାଙ୍କର ୧.୮୭ଲକ୍ଷ ନେଇଯାଇଥିବା ଶ୍ରୀ ଦୋରାଙ୍କଠୁ ଏହାକୁ ଆଦାୟ କରିବାରେ କାହିଁକି ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଶ୍ରୀ ଦାସଙ୍କ ସହ ଯୋଗାଯୋଗ ପାଇଁ ତାଙ୍କର ଦୁଇଟି ଯାକ ମୋବାଇଲ୍ ନମ୍ବରକୁ ଫୋନ୍ କରିଥିଲେ ମଧ୍ୟ ସେ ତାହା ଉଠାଇ ନଥିଲେ ।

କାହା ସୁରକ୍ଷାରେ ବ୍ୟାଙ୍କ ସଭାପତି

ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ଦୋରା ବିଜେଡି ନେତା ଭାବେ ପରିଚିତ । ବିଜେଡି ସରକାର ତାଙ୍କୁ ୨୦୨୩ ମସିହାରେ ଏହି ବ୍ୟାଙ୍କର ସଭାପତି ପଦରେ ଅବସ୍ଥାପିତ କରାଇଥିଲା । ବିଜେପି ସରକାର କ୍ଷମତାକୁ ଆସିବା ପରେ ୨୦୨୪ ଅଗଷ୍ଟ ୯ତାରିଖରେ ତାଙ୍କୁ ଏହି ବ୍ୟାଙ୍କର ପରିଚାଳନା କମିଟି ସଦସ୍ୟ ଓ ସଭାପତି ପଦବୀରୁ ହଟାଇ ଦେଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ପଦ ବଜାୟ ରଖିଛନ୍ତି ।

ସମବାୟ ବ୍ୟାଙ୍କର ଇନଭେଷ୍ଟମେଂଟ କମିଟିର ମୁଖ୍ୟ ଭାବେ କୌଣସି ରାଜନୀତିକ ବ୍ୟକ୍ତି ରହିବା ଆଇନସମ୍ମତ ନୁହେଁ ବୋଲି ନାବାର୍ଡ ତାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଇବା ସହ କିଭଳି ସମବାୟ ବ୍ୟାଙ୍କର ପାଣ୍ଠିକୁ ବିଭିନ୍ନ ଘରୋଇ ବ୍ୟାଙ୍କରେ ରଖାଯାଇଛି ସେସମ୍ପର୍କରେ ମଧ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିବା ସୂଚନା ମିଳିଛି । ଏସବୁ ସତ୍ତ୍ୱେ ସମବାୟ ବ୍ୟାଙ୍କର ନିବେଶ କମିଟି ମୁଖ୍ୟ ଭାବେ ଶ୍ରୀ ଦୋରା ଏବେବି କାର୍ଯ୍ୟ କରୁଥିବା ଜଣାପଡ଼ିଛି । ରାଜ୍ୟ ସମବାୟ ବ୍ୟାଙ୍କରେ ଏଭଳି ବେଆଇନ କାର୍ଯ୍ୟ ନିମନ୍ତେ ବିଜେପି ସରକାରରେ କିଏ ପ୍ରୋତ୍ସାହନ ଦେଉଛି ଓ କାହା ସୁରକ୍ଷାରେ ଶ୍ରୀ ଦୋରା ରହିଛନ୍ତି ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି ।

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe