Advertisment

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ପଦରେ ଜଣେ ଡକାୟତ ବସିଛନ୍ତି: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଏବେ ଯେଉଁ ବ୍ୟକ୍ତି କମିଶନ ଅଧ୍ୟକ୍ଷ ପଦରେ ଅଛନ୍ତି ସେ ଚୋରା କୋଇଲା କାରବାର କରୁଥିବା ଓ ପାଉଁଶ ପରିବହନ କରୁଥିବା ଜଣେ ବ୍ୟକ୍ତି । ସେ ଏହି ପଦବୀକୁ ଉପଯୋଗ କରି ନିଜର ଗୁଡ଼ିଏ ଗାଡ଼ି ପରିବହନ ବ୍ୟବସାୟରେ ଲଗାଇଛନ୍ତି ।

ଅଦ୍ୟତନ ହୋଇଛି
Food Commission

Food Commission

Advertisment

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ପଦରେ ଜଣେ ଚୋର-ଡକାୟତ ଏବେ କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଏପରିକି ବହୁ ଆଇଏଏସ୍‌, ଆଇଏଫଏସ ଓ ଓଏଏସ୍ ଅଫିସରଙ୍କୁ ଅଣଦେଖା କରି ଜଣେ କୋଇଲା ଚୋରା କାରବାରରେ ଲିପ୍ତ ବ୍ୟକ୍ତିଙ୍କୁ ଏହି ଅଧ୍ୟକ୍ଷ ପଦବୀରେ କିଭଳି ଅବସ୍ଥାପିତ କରାଯାଇଛି ତା’ର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଏକ କମିଟି ଗଠନ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ତେବେ ଜଣେ କାର୍ଯ୍ୟରତ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷଙ୍କୁ ଖୋଦ୍ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଏଭଳି ଚୋର-ଡକାୟତ ବୋଲି ବିଧାନସଭାରେ ମତ ଦେବାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Advertisment

ଆଜି ବିଧାନସଭାରେ ପ୍ରଶ୍ନକାଳରେ ବିଧାୟକ ସନାତନ ବିଜୁଳିଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ପୂର୍ବରୁ କେଉଁ ଆଧାରରେ ଆଦୌ ଜ୍ଞାନ ନଥିବା ବ୍ୟକ୍ତିଙ୍କୁ କିଭଳି ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ପଦରେ ବସାଇ ଦିଆଯାଇଛି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନେକ ଯୋଗ୍ୟ ବ୍ୟକ୍ତି ଏହି ପଦବୀ ପାଇଁ ଆବେଦନ କରିଥିଲେ, କିନ୍ତୁ ସେମାନଙ୍କ ବଦଳରେ ଜଣେ କୋଇଲା ଚୋରା କାରବାର କରୁଥିବା ଓ ପାଉଁଶ ପକାଉଥିବା ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ପୂର୍ବ ସରକାରରେ ଜଣେ ଅଣଓଡ଼ିଆ ଅଫିସରଙ୍କୁ ଯିଏ ଖୁସି କରିପାରିଲା ତାଙ୍କୁ ପଦବୀ ମିଳୁଥିଲା । ଏହି ଅଧ୍ୟକ୍ଷ ପଦବୀ ପାଇଁ ଆବେଦନ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କ ଲମ୍ବା ତାଲିକା ଅଛି । ଆଇଏଫଏସ୍ ସୁଶୀଲ କୁମାର ପୋପଲି ଓ ଶିଶିର କୁମାର ରଥୋଙ୍କ ଭଳି ଆଇଏଫଏସ୍ ଅଫିସରମାନେ ଆବେଦନ କରିଥିଲେ । କିନ୍ତୁ ଜଣେ ବିଏ ପାସ୍ କରିଥିବା ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ପଦରେ ବସାଯାଇଛି । କମିଶନ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ପାଇଁ ନିୟମ ରହିଛି । କମିଶନରେ ଯିଏ ରହିବେ ସେ ସର୍ବଭାରତୀୟ ସେବାରେ ଚାକିରିର ଅଭିଜ୍ଞତା ଥିବ କିମ୍ବା କେନ୍ଦ୍ର-ରାଜ୍ୟ ସରକାରୀ ସେବାରେ କାର୍ଯ୍ୟ କରିଥିବେ । ନଚେତ୍ କୃଷି, ଖାଦ୍ୟ,ବେସାମରିକ, ସୁଷମ ଖାଦ୍ୟ ଆଦି କ୍ଷେତ୍ରରେ ନୀତି ନିର୍ଦ୍ଧାରଣ ଅବା ପ୍ରଶାସନିକ ଜ୍ଞାନ ଥିବ । କିନ୍ତୁ ଏବେ ଯେଉଁ ବ୍ୟକ୍ତି କମିଶନ ଅଧ୍ୟକ୍ଷ ପଦରେ ଅଛନ୍ତି ସେ ଚୋରା କୋଇଲା କାରବାର କରୁଥିବା ଓ ପାଉଁଶ ପରିବହନ କରୁଥିବା ଜଣେ ବ୍ୟକ୍ତି । ସେ ଏହି ପଦବୀକୁ ଉପଯୋଗ କରି ନିଜର ଗୁଡ଼ିଏ ଗାଡ଼ି ପରିବହନ ବ୍ୟବସାୟରେ ଲଗାଇଛନ୍ତି । ମାସକୁ ୩ଲକ୍ଷ ଟଙ୍କା ଦରମା ନେଉଛନ୍ତି । ତାଙ୍କ ପାଇଁ ୧୫-୨୦ଜଣ ଅଫିସର କାମ କରୁଛନ୍ତି । କ୍ୟାବିନେଟ୍ ମନ୍ତ୍ରୀଙ୍କ ଭଳି ବିରାଟ ସରକାରୀ କ୍ୱାର୍ଟର୍ସ ମଧ୍ୟ ନେଇଛନ୍ତି ।

ତେଣୁ ରାଜ୍ୟ ସରକାର ଏକ କମିଟି ଗଠନ କରି ଏହି ନିଯୁକ୍ତି ପ୍ରକ୍ରିୟା ଠିକ୍ ଥିଲା କି ନାହିଁ ତା’ର ଖୁବଶୀଘ୍ର ତଦନ୍ତ କରିବେ । କିଛି ଅନିୟମିତତା ମିଳିଲେ ତାଙ୍କୁ ଏହି ପଦବୀରୁ ବିତାଡ଼ିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ବିଧାନସଭାରେ ସୂଚନା ଦେଇଛନ୍ତି ।

Advertisment

ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ ଯେ, ଆଜି ସନ୍ଧ୍ୟାସୁଦ୍ଧା ବିଦା କଲେ ଆମେ ଅଧିକ ଖୁସି ହେବୁ ।

ଉଲ୍ଲେଖଯୋଗ୍ୟ, ବିଧାୟକ ଚକ୍ରମଣି କହଁରଙ୍କ ମୂଳପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ,  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଏବଂ ଓଡ଼ିଶା ଖାଦ୍ୟ ସୁରକ୍ଷା କମିଶନ ନିୟମ ଆଧାରରେ ଗଠିତ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରେ ଜଣେ ଅଧ୍ୟକ୍ଷ ଓ ୫ଜଣ ସଦସ୍ୟ ଅଛନ୍ତି । ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କମିଶନଙ୍କୁ କ୍ଷମତା ମଧ୍ୟ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ଭାବେ ବିଜେଡି ନେତା ଅବନୀକାନ୍ତ ସାହୁଙ୍କୁ ୨୦୨୩ ଏପ୍ରିଲ ମାସରେ ତତକାଳୀନ ବିଜେଡି ସରକାର ନିଯୁକ୍ତି ଦେଇଥିଲେ । ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଶୀ ସାହୁଙ୍କ ନିଯୁକ୍ତିକୁ ନେଇ ସେତେବେଳେ  ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Odisha State Food Commission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe