ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା

ମହିଳାମାନଙ୍କ ମାସିକ ଧର୍ମଜନିତ କାରଣରୁ ଏହି ଅତିରିକ୍ତ ଛୁଟି ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Representational Image

  • Published: Tuesday, 22 October 2024
  • , Updated: 22 October 2024, 10:18 PM IST

ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀମାନଙ୍କ ପାଇଁ ବାର୍ଷିକ ଅତିରିକ୍ତ ସାମୟିକ ଛୁଟି ୧୨ଦିନକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ବିଜେଡି ସରକାର ମହିଳାମାନଙ୍କୁ ବର୍ଷକୁ ୧୦ଦିନ ଅତିରିକ୍ତ ସାମୟିକ ଛୁଟି ପ୍ରଦାନ କରୁଥିଲେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି(ଆଡସିନାଲ କାଜୁଆଲ ଲିଭ୍‌) ୧୨ଦିନକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମହିଳାମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ଦିନ ସାମୟିକ ଛୁଟି(କାଜୁଆଲ ଲିଭ) ଓ ୫ଦିନ ସ୍ୱତନ୍ତ୍ର ସାମୟିକ ଛୁଟି(ସ୍ପେଶାଲ ଲିଭ୍‌) ସହ ପାଇପାରିବେ ।

ଏହି ୧୨ଦିନ ଅତିରିକ୍ତ ସାମୟିକ ଛୁଟି ସେମାନେ ମାସକୁ ଗୋଟିଏ ଦିନ ଲାଭ କରିପାରିବେ । ମହିଳାମାନଙ୍କ ମାସିକ ଧର୍ମଜନିତ କାରଣରୁ ଏହି ଅତିରିକ୍ତ ଛୁଟି ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟର ପୂର୍ବ ବିଜେଡି ସରକାର ମହିଳାମାନଙ୍କୁ ସେମାନଙ୍କ ମାସିକ ଧର୍ମ ପାଇଁ ଅତିରିକ୍ତ ୧୦ଦିନ ସାମୟିକ ଛୁଟି ଦେବାକୁ ନିଷ୍ପତ୍ତି ନେଇଥିଲେ ଓ ୨୦୨୪ ମାର୍ଚ୍ଚ ୧୨ତାରିଖରେ ଅର୍ଥ ବିଭାଗ ଏନେଇ ବିଧିବଦ୍ଧ ବିଜ୍ଞପ୍ତିି ଜାରି କରିଥିଲା । ଅର୍ଥାତ୍ ମହିଳାମାନେ ବର୍ଷକୁ ୨୫ଦିନ ଛୁଟି ପାଇପାରୁଥିଲେ ।

ତେବେ ଗତ ଅଗଷ୍ଟ ୧୫ତାରିଖରେ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ଉଭୟ ସରକାର ଓ ବେସରକାରୀ ମହିଳା କର୍ମଚାରୀମାନଙ୍କୁ ମାସିକ ଧର୍ମ ସମୟରେ ଗୋଟିଏ ଦିନ ସବୈତନିକ ଛୁଟି ମିଳିବ ବୋଲି ଘୋଷଣା କରିଥିଲେ ।

ଆଜିର ଏହି ଘୋଷଣା ପରେ ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀମାନେ ବାର୍ଷିକ ମୋଟ୍ ୨୭ଦିନ ସବୈତନିକ ଛୁଟି ପାଇବାକୁ ହକଦାର ହେବେ ।

Related story