/odisha-reporter/media/post_attachments/uploadimage/library/16_9/16_9_0/IMAGE_1725699770.jpg)
Ravenshaw University
ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମଦାହ ଘଟଣାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା ପରେ ରାଜ୍ୟ ସରକାର ଏବେ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସରରେ ମହିଳାମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ‘ହେଲପଲାଇନ ନମ୍ବର-୧୮୧’କୁ ପ୍ରଦର୍ଶନ ବାଧ୍ୟତାମୂଳକ କରାଯାଇଥିବାବେଳେ ବିଭିନ୍ନ ବିଭାଗ ଓ ଏହା ଅଧୀନରେ ଥିବା ସରକାରୀ ଅଫିସଗୁଡ଼ିକ ଆଇସିସି(ଆଭ୍ୟନ୍ତରୀଣ ଅଭିଯୋଗ କମିଟି) ଗଠନ ସହ ନିୟମିତ ସଚେତନତା କର୍ମଶାଳା ଆୟୋଜନ ପାଇଁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବିଭିନ୍ନ ବିଭାଗ ନିଜଆଡ଼ୁ ଏନେଇ ନିର୍ଦ୍ଦେଶନାମା ଜାରି କରିବାରେ ଲାଗିଛନ୍ତି । ଏପଟେ କଟକସ୍ଥିତ ରେଭେନ୍ସା ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅଜବ ନିର୍ଦ୍ଦେଶନାମା ଜାରି କରି କ୍ୟାମ୍ପସ ପରିସରରେ ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା ଅଧ୍ୟାପିକା, ଛାତ୍ରୀ, କର୍ମଚାରୀ ରହିବେ ନାହିଁ ବୋଲି କହି ରାଜ୍ୟ ସରକାରଙ୍କୁ ନିନ୍ଦିତ କରିଛନ୍ତି । ଅବଶ୍ୟ କିଛି ଘଣ୍ଟା ମଧ୍ୟରେ ରେଭେନ୍ସା କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେଇଛନ୍ତି, ମାତ୍ର ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପରିବର୍ତ୍ତେ ସେମାନଙ୍କର ଉପସ୍ଥିତି ଉପରେ କଟକଣା ଜାରି କିଭଳି କଲେ ଓ ଏଭଳି ଉଦ୍ଭଟ ଚିନ୍ତାଧାରା କେମିତି ଆସିଲା ତାକୁ ନେଇ ସାଧାରଣରେ ଚର୍ଚ୍ଚା । ଯୌନ ଉତ୍ପୀଡ଼ନ ନିବାରଣ (ପିଓଏସଏଚ) ଆଇନ, ୨୦୧୩କୁ କଡ଼ାକଡ଼ି ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।
ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅଜବ ନିଷ୍ପତ୍ତି
ରେଭେନ୍ସା ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ ଦସ୍ତଖତରେ ଆଜି ଶୁକ୍ରବାର ଏକ ନିର୍ଦ୍ଦେଶନାମା ଜାରି ହେଲା । ଯେଉଁଥିରେ ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀ କ୍ୟାମ୍ପସ ପରିସର(କାର୍ଯ୍ୟସ୍ଥଳ)ରେ ରହିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି ହେଲା । ଯେପର୍ଯ୍ୟନ୍ତ ଆନୁଷ୍ଠାନିକ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଓ(ଏସଓପି) ନଆସିଛି ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ଉଲ୍ଲେଖ କରାଯାଇଥିଲା । କାର୍ଯ୍ୟସ୍ଥଳରେ ନିରାପତ୍ତା ପଦକ୍ଷେପ ଓ ୱାର୍କିଂ ଆୱାରକୁ ନେଇ ଆବଶ୍ୟକ ଗାଇଡଲାଇନ୍ ଓ ପ୍ରୋଟୋକଲ ଏହି ଏସଓପିରେ ଆସିବ ବୋଲି ଦର୍ଶାଯାଇଥିଲା ।
ମାତ୍ର ଏହି ନିର୍ଦ୍ଦେଶନାମାକୁ ନେଇ ବିବାଦ ବଢ଼ିବା ପରେ ରେଭେନ୍ସ କର୍ତ୍ତୃପକ୍ଷ ପୁଣି ଏକ ସାନି ନିର୍ଦ୍ଦେଶନାମା ଜାରି କରି ଏହାକୁ ପ୍ରତ୍ୟାହାର କରିନେଇଥିଲେ । ତେବେ ପ୍ରଶ୍ନ ଉଠୁଛି, କ୍ୟାମ୍ପସରେ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କୁ ସୁରକ୍ଷିତ ଓ ନିରାପତ୍ତା ପରିବେଶ ଦେବା ଉପରେ ଗୁରୁତ୍ୱ ନଦେଇ କଟକଣା ଜାରି ଭଳି ଉଦ୍ଭଟ ଚିନ୍ତାଧାରା କିଭଳି ଆସିଲା ଓ ଏଥିପାଇଁ କୁଳପତି କିପରି ଅନୁମତି ଦେଲେ ଓ ରେଜିଷ୍ଟ୍ରାର(ସରକାରୀ ଅଫିସର) ଏହାକୁ କିପରି ଜାରି କଲେ ତାହା ସାଧାରଣରେ ଆଶ୍ଚର୍ଯ୍ୟ କରିଛି ।
ଶିକ୍ଷାନୁଷ୍ଠାନରେ ହେଲପଲାଇନ୍ ନମ୍ବର-୧୮୧
ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜନୀତିକ ଉଷ୍ମତା ବଢ଼ିଥିବାବେଳେ ଶୁକ୍ରବାର ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଯୌନ ଉତ୍ପୀଡ଼ନ ନିବାରଣ(ପିଓଏସଏଚ) ଆଇନ-୨୦୧୩କୁ କଡ଼ାକଡ଼ି ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ/ସହାୟତାପ୍ରାପ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ‘ମହିଳା ହେଲ୍ପଲାଇନ - ୧୮୧’ ନମ୍ବରକୁ ନିଜ ପରିସରର ପ୍ରମୁଖ ସ୍ଥାନଗୁଡ଼ିକରେ ସ୍ପଷ୍ଟ ଭାବେ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲ୍ପଲାଇନ ନମ୍ବର ପ୍ରଦର୍ଶନ ପାଇଁ ମଧ୍ୟ ବିଭାଗ ପକ୍ଷରୁ ଏକ ଡିଜାଇନ ମଧ୍ୟ ସଂଲଗ୍ନ କରାଯାଇଛି । ଏହାସହିତ ପିଓଏସଏଚ୍ ଆଇନ-୨୦୧୩ ଉପରେ ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ସଦସ୍ୟ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସଚେତନତା କର୍ମଶାଳା ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କର୍ମଶାଳାରେ ଉକ୍ତ ଆଇନ ଓ ନିୟମାବଳୀରେ ଥିବା ନୀତିଗୁଡ଼ିକ ପାଳନ କରିବା ପାଇଁ ମଧ୍ୟ ଶପଥ ନିଆଯିବ । ଏହି କର୍ମଶାଳା ଏହି ପତ୍ର ଜାରି ହେବାର ୩ ଦିନ ମଧ୍ୟରେ ଆୟୋଜନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଭାଗଗୁଡ଼ିକରେ ଆଇସିସି ଗଠନ ଓ ସଚେତନତା କର୍ମଶାଳା ପାଇଁ ନିର୍ଦ୍ଦେଶ
ବାଲେଶ୍ୱର ଛାତ୍ରୀ ଆତ୍ମଦାହ ଘଟଣା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିଭିନ୍ନ ବିଭାଗର ମନ୍ତ୍ରୀ ଓ ପ୍ରମୁଖ ସଚିବମାନେ ନୋଟ୍ ସିଟ୍ ପଠାଇ ବିଭାଗ ଏବଂ ବିଭାଗ ଅଧୀନରେ ଥିବା ଅଫିସଗୁଡ଼ିକରେ ମହିଳା କର୍ମଚାରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯୌନ ଉତ୍ପୀଡ଼ନ ନିବାରଣ (ପିଓଏସଏଚ) ଆଇନ, ୨୦୧୩ ଅନୁଯାୟୀ ଆଗାମୀ ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶରେ ଆଇସିସି ସଦସ୍ୟଙ୍କ ନାମ ଓ ସଂପର୍କ ନମ୍ବରକୁ ଅଫିସ୍ ଏବଂ ୱେବସାଇଟରେ ପ୍ରମୁଖ ସ୍ଥାନରେ ପ୍ରର୍ଦଶନ କରିବାକୁ ତାଗିଦ୍ କରାଯାଇଛି । ଏହାସହିତ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ଓ ସଚେତନତା ବୃଦ୍ଧି ନିମନ୍ତେ ନିୟମିତ ବ୍ୟବଧାନରେ ସଚେତନତା କର୍ମଶାଳା ଆୟୋଜନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
