Advertisment

ଆନ୍ଦୋଳନକୁ ଓହ୍ଲାଇଲେ ଅଣପଞ୍ଜୀକୃତ ହବିଷ୍ୟାଳି; ମୁଣ୍ଡ ଗୁଞ୍ଜିବାକୁ ମିଳୁନି ଜାଗା

ପବିତ୍ର କାର୍ତ୍ତିକ ମାସରେ ସବୁଦିନ କାଳିଆକୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ପୁରୀକୁ ଧାଇଁ ଆସିଛନ୍ତି ଶହ ଶହ ହବିଷ୍ୟାଳୀ। ମାତ୍ର ପୁରୀରେ ପାଦ ଦେଉ ଦେଉ ସେମାନଙ୍କୁ ମିଳିଛି ନିରାଶା। ମୁଣ୍ଡ ଗୁଞ୍ଜିବାକୁ ମିଳୁନି ଜାଗା।

Strike in puri

Strike in puri

Advertisment

ଅଣ୍ଟା ସଳଖି ହେଉ ନାହିଁ। ଚାଲିବାକୁ ବି ବଳ ନାହିଁ। ଅନ୍ୟର ସାହାରା ବିନା ପାଦେ ଚାଲିବା ସମ୍ଭବ ନୁହେଁ। ମାତ୍ର ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅଥୟ କରୁଛି କାଳିଆ ପ୍ରେମ । ପବିତ୍ର କାର୍ତ୍ତିକ ମାସରେ ସବୁଦିନ କାଳିଆକୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ପୁରୀକୁ ଧାଇଁ ଆସିଛନ୍ତି ଶହ ଶହ ହବିଷ୍ୟାଳୀ।

Advertisment

ମାତ୍ର ପୁରୀରେ ପାଦ ଦେଉ ଦେଉ ସେମାନଙ୍କୁ ମିଳିଛି ନିରାଶା। ମୁଣ୍ଡ ଗୁଞ୍ଜିବାକୁ ମିଳୁନି ଜାଗା। ଫଳରେ ଅସହ୍ୟ ଖରାରେ ସେମାନେ ରାସ୍ତା ଉପରେ କଲବଲ ହେଉଥିବା ବେଳେ ସେମାନଙ୍କ ଦୁଃଖ କେହି ବୁଝୁ ନ ଥିବା ଅଭିଯୋଗ କରିଛନ୍ତି।

ଏପରି କିଛି ଦୃଶ୍ୟ ଆଜି ସକାଳେ ପୁରୀ ବୃନ୍ଦାବନ ଆଶ୍ରମ ସମ୍ମୁଖରେ ଦେଖିବାକୁ ମିଳିଛି। ପଞ୍ଜୀକୃତ ହୋଇ ପାରି ନ ଥିବା ହବିଷ୍ୟାଳୀ ରହିବାକୁ ଆଶ୍ରୟ ପାଉ ନଥିବା ବେଳେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Advertisment

କାର୍ତ୍ତିକ ବ୍ରତ ପାଳନ ପାଇଁ ଶ୍ରୀମନ୍ଦିରରେ ଜମିଲାଣି ଭକ୍ତଙ୍କ ଭିଡ଼ । ଆଜି ପୂର୍ଣ୍ଣିମା ଥିବାରୁ ଆସନ୍ତା କାଲିଠୁ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳୀ। ଏଥିପାଇଁ ଚଳଞ୍ଚଳ ଶ୍ରୀକ୍ଷେତ୍ର। ଧର୍ମ ମାସରେ ପୁଣ୍ୟ ଅର୍ଜନ କରିବାକୁ ପୁରୀରେ ଲାଗିଛି ହବିଷ୍ୟାଳୀଙ୍କ ଭିଡ।

ମାତ୍ର ଘରେ ନ ପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ । ଅର୍ଥାତ କାର୍ତ୍ତିକ ମାସ ଆରମ୍ଭ ନ ହେଉଣୁ ରାସ୍ତାକୁ ଓହ୍ଲାଇଲେଣି ହବିଷ୍ୟାଳୀ। ରହଣି ବ୍ୟବସ୍ଥା ଦାବିରେ ସେମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ପଛାଇ ନାହାନ୍ତି।

କାର୍ତ୍ତିକ ମାସରେ ହବିଷ୍ୟାଳୀମାନଙ୍କ ରହଣି ସମେତ ସମସ୍ତ ପ୍ରକାର ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଘୋଷଣା ହୋଇଥିଲା। ଏଥିନିମନ୍ତେ ନିଜ ନାମ ଅନଲାଇନ୍‌ରେ ପଞ୍ଜୀକରଣ କରିବାକୁ ଗତ ୬ ତାରିଖରେ ଘୋଷଣା କରାଯାଇଥିଲା। ଏହି ପ୍ରକ୍ରିୟା ୫ ଦିନ ପର୍ଯ୍ୟନ୍ତ ଅର୍ଥାତ ଗତ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା।

ମାତ୍ର କେବଳ ଗୋଟିଏ ଦିନ ପରେ ଅର୍ଥାତ ୭ ତାରିଖରେ ପୋର୍ଟାଲକୁ ବନ୍ଦ କରି ଦିଆଗଲା। ଫଳରେ ବହୁ ହବିଷ୍ୟାଳୀ ପଞ୍ଜିକରଣ କରିବାରୁ ବଞ୍ଚିତ ହୋଇଛନ୍ତି। ଏପରି ସ୍ଥିତିରେ ସେମାନେ ଆଜି ପୁରୀରେ ପହଞ୍ଚିଥିବା ବେଳେ ସେମାନଙ୍କୁ ରହିବାକୁ ଜାଗା ଖଣ୍ଡେ ମିଳୁନି।

ଖବର ପାଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପହଞ୍ଚି ଆନ୍ଦୋଳନରତ ହବିଷ୍ୟାଳୀଙ୍କୁ ବୁଝାସୁଝା କରିଛନ୍ତି । ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ । ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରହିବା ପାଇଁ ଦିଆଯିବ ବୋଲି ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କୁ କୁହାଯାଇଥିବା ସୂଚନା ମିଳିଛି । ମାତ୍ର ଏହା ପରେ ବି ଆନ୍ଦୋଳନ ପ୍ରଶମିତ ହୋଇ ନ ଥିବା ଜଣାଯାଇଛି।

କିଛି ହବିଷ୍ୟାଳୀ ଯେକୌଣସି ପରିସ୍ଥିତିରେ ବି କାର୍ତ୍ତିକ ମାସରେ ପୁରୀରେ ରହିବେ ବୋଲି କହୁଥିବା ବେଳେ ଆଉ କିଛି କିନ୍ତୁ ନିରାଶ ହୋଇ ଘରକୁ ଫେରିବାକୁ ଗୋଡ଼ କାଢ଼ିଲେଣି।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe