Advertisment

ଦଣ୍ଡମୁକ୍ତ ଅଞ୍ଚଳରେ ମିଳିଲା ଦଣ୍ଡ: ସପ୍ତମ ଶ୍ରେଣୀ ଛାତ୍ରଙ୍କ କାନ ଫାଟିଲା

ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ବିଦ୍ୟାଳୟଗୁଡ଼ିକର କାନ୍ଥରେ ଏନେଇ ଲିଖିତ ଭାବେ ଦର୍ଶାଯାଇଛି।

author-image
Hemant Lenka
Teacher

Teacher

ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ବିଦ୍ୟାଳୟଗୁଡ଼ିକର କାନ୍ଥରେ ଏନେଇ ଲିଖିତ ଭାବେ ଦର୍ଶାଯାଇଛି। ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ମାଡ଼ ମାରିପାରିବେ ନାହିଁ ବୋଲି ଶିକ୍ଷା ଅଧିକାର ଅଧିନିୟମରେ ବି ଉଲ୍ଲେଖ କରାଯାଇଛି।

Advertisment

ହେଲେ ସରକାରଙ୍କ ଏହି ନିର୍ଦ୍ଦେଶନାମା ସବୁ ସ୍ଥାନରେ କାର୍ଯ୍ୟକାରୀ କରାଯାଉ ନାହିଁ। କିଛି ସ୍କୁଲରେ ଶିକ୍ଷକ/ଶିକ୍ଷୟିତ୍ରୀ ନିୟମକୁ ଉଲ୍ଲଙ୍ଗନ କରୁଛନ୍ତି। ସେମାନେ ପିଲାମାନଙ୍କୁ ସ୍କୁଲରେ ନିର୍ଧୁମ ମାଡ଼ ମାରୁଛନ୍ତି।

ଏହାର ନିଚ୍ଛକ ଉଦାହରଣ ଦିଗପହଣ୍ଡିର ଚିକିଟି ପେଣ୍ଠ ସରସ୍ୱତୀ ଶିଶୁ ମନ୍ଦିରରେ ଦେଖିବାକୁ ମିଳିଛି। ଶିଶୁମନ୍ଦିର ଗୁରୁଜୀଙ୍କ ମାଡ଼ରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ କାନ ପରଦା ଫାଟି ଯାଇଥିବା ଅଭିଯୋଗ ହୋଇଛି।

Advertisment

ଶିଶୁ ମନ୍ଦିରର ଗୁରୁଜୀ ରଞ୍ଜିତ ପ୍ରଧାନ ପ୍ରାର୍ଥନା ସମୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ସାଗର ସାହୁଙ୍କୁ ମାଡ଼ ମାରିଛନ୍ତି। ସେ ଏତେ ଜୋରରେ ସାଗରଙ୍କୁ ମାଡ଼ ମାରିଥିଲେ ଯେ ତାଙ୍କ କାନ ପରଦା ଫାଟି ଯାଇଥିଲା।

ଘଟଣାଟି ଗୁରୁବାର ଘଟିଥିଲା। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ନ ନେଇ ଚାପିଦେବାକୁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରଙ୍କ ବାପା ଟିଟୁ ସାହୁଙ୍କର ଅଭିଯୋଗ କରିଛନ୍ତି ଯେ ଗୁରୁବାର ସନ୍ଧ୍ୟାରେ ସେ ବ୍ରହ୍ମପୁରରୁ ଘରକୁ ଫେରିବା ପରେ ତାଙ୍କ ପୁଅ ସାଗର ତାଙ୍କୁ ରଞ୍ଜିତ ଗୁରୁଜୀଙ୍କ କାରନାମା ସମ୍ପର୍କରେ ଅବଗତ କରାଇଥିଲେ। ରଞ୍ଜିତ ଗୁରୁଜୀ କେମିତି ମାଡ଼ ମାରି ତାଙ୍କ କାନ ପରଦା ଫଟାଇ ଦେଇଛନ୍ତି, ସେ ବିଷୟରେ ସାଗର ବାପାଙ୍କୁ ଜଣାଇଥିଲେ।

ଏକଥା ଜାଣିବା ପରେ ଶୁକ୍ରବାର ପୁଅକୁ ଧରି ଟିଟୁ ବ୍ରହ୍ମପୁର ବଡ଼ ମେଡିକାଲ ଯାଇଥିଲେ। ସେଠାରେ ଇଏନଟି ବିଭାଗରେ ଦେଖାଇଥିଲେ। ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସାଗରଙ୍କ କାନର ପରଦା ଫାଟି ଯାଇଛି। ତେଣୁ ଡାକ୍ତର ତାଙ୍କୁ ୭ ଦିନ ଘରେ ଔଷଧ ଖାଇ ବିଶ୍ରାମ ପରେ ପୁଣି ହସ୍ପିଟାଲ ଆସିବାକୁ କହି‌ଥିଲେ।

ସାଗରଙ୍କ କାନ ପରଦା ଫାଟି ଯାଇଥିବା ଖବର ମିଳିବା ପରେ ଶନିବାର ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତାଙ୍କ ଘରକୁ ଆସିଥିଲେ। ତେବେ ତାଙ୍କ ଉପରେ ଟିଟୁ ନିଜର ଅସନ୍ତୋଷ ଝାଡ଼ିଛନ୍ତି।

ଅନ୍ୟପକ୍ଷରେ ସାଗରଙ୍କ କାନ ସମସ୍ୟା ଦୂର ହୋଇ ନଥିବା ବେଳେ ସେଥିରୁ ପୁଜ ବାହାରିବା ଆରମ୍ଭ ହୋଇଛି। ତେଣୁ ତାଙ୍କୁ ପରିବାର ଲୋକ ବିଶାଖପାଟଣା ନେବା ପାଇଁ ଯୋଜନା କରୁଛନ୍ତି।

ଘଟଣା ସମ୍ପର୍କରେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ବିଶୋଇଙ୍କ ସହ ଯୋଗାଯୋଗ କରିବାରୁ ସେ ମାଡ଼ ମରାଯାଇଥିବା କଥାକୁ ସ୍ୱୀକାର କରିଛନ୍ତି। ଘଟଣାରେ ସାମିଲ ଥିବା ଶିକ୍ଷକଙ୍କୁ ତାଗିଦ କରାଯାଇଛି ଓ ଆହତ ପିଲାର ଅଭିଭାବକଙ୍କୁ ଏପରି ଘଟଣା ଆଗକୁ ଯେମିତି ନ ହେବ, ସେନେ ପ୍ରତିଶ୍ରୁତି ଦିଆଯାଇଥିବା ସେ କହିଛନ୍ତି।

ଶିଶୁ ମନ୍ଦିର ଭଳି ଏକ ପବିତ୍ର ଶିକ୍ଷା ଅନୁଷ୍ଠାନରେ ଜଣେ କୋମଳମତି ବାଳକକୁ ଏଭଳି ମାଡ଼ ମାରିବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି|

Odisha Ganjam Berhampur