Advertisment

ଗର୍ଜିଲେ ଛାତ୍ରୀ, କହିଲେ- ଖାଇବା ଠିକ୍‌ ଭାବେ ମିଳୁନି, ପାଠ କ’ଣ ପଢ଼ିବୁ

ଛାତ୍ରୀମାନେ ଗର୍ଜନ କରି ରାସ୍ତା ଅବରୋଧ କରିଥିବା ବେଳେ କର୍ତ୍ତୃପକ୍ଷ ଦାବି ମାନିବା ପରେ ହିଁ ହଷ୍ଟେଲକୁ ଫେରିବେ ବୋଲି କହିଛନ୍ତି।

Students Protest

Students Protest

Advertisment

‘ହଷ୍ଟେଲରେ ନିମ୍ନମାନର ଖାଦ୍ୟ ମିଳୁଛି। ପିଇବା ପାଣି ସବୁବେଳେ ଦୂଷିତ । ଫଳରେ ବାରମ୍ବାର ରୋଗରେ ପଡ଼ୁଛୁ। ଖାଇବା ତ ଠିକ୍‌ ଭାବେ ମିଳୁନି, ପାଠ କ’ଣ ପଢ଼ିବୁ ।’ କୋରାପୁଟ ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରୀ ଆଜି ଦୀର୍ଘ ଦିନର ପୁଞ୍ଜିଭୂତ ଅସନ୍ତୋଷ ପ୍ରକାଶ କରି ରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ରୀମାନେ ଗର୍ଜନ କରି ରାସ୍ତା ଅବରୋଧ କରିଥିବା ବେଳେ କର୍ତ୍ତୃପକ୍ଷ ଦାବି ମାନିବା ପରେ ହିଁ ହଷ୍ଟେଲକୁ ଫେରିବେ ବୋଲି କହିଛନ୍ତି।

Advertisment

ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୩୫୦ ପିଲା ରହି ପଢ଼ୁଛନ୍ତି। ସେମାନେ ଘରଠୁ ଦୂରରେ ରହୁଥିବା ବେଳେ ହଷ୍ଟେଲରେ ସେମାନଙ୍କୁ ସବୁବେଳେ ନିମ୍ନମାନର ଖାଇବା ମିଳୁଥିବା ଅଭିଯୋଗ କରିଛନ୍ତି।

ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ଆମେ ଘର ଛାଡ଼ି ଏଠାରେ ରହି ପାଠ ପଢ଼ୁଛୁ। କିନ୍ତୁ ଏଠାରେ ଖାଇବା ଠିକ୍‌ ଭାବେ ମିଳୁନି, ଆମେ ପାଠ କ’ଣ ପଢ଼ିବୁ । ସବୁବେଳେ ନିମ୍ନମାନର ଖାଦ୍ୟ ମିଳୁଛି। ପାଣି ବି ସବୁବେଳେ ଦୂଷିତ ରହୁଛି। ଫଳରେ ପେଟ ସମସ୍ୟା, ଚର୍ମ ରୋଗ ହେଉଛି। ହଷ୍ଟେଲରେ ବହୁତ ସମସ୍ୟା । ୱାର୍ଡେନ କିଛି ଶୁଣୁ ନାହାନ୍ତି। ତାଙ୍କ ଫୋନ୍‌ ସବୁବେଳେ ସୁଇଚ ଅଫ୍‌ ରହୁଛି। ଆମେ କାହାକୁ ସମସ୍ୟା ଜଣାଇବୁ ।’

Advertisment

ହଷ୍ଟେଲର ସମସ୍ୟା ନେଇ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଲେ ବି ସେ ଶୁଣୁ ନାହାନ୍ତି। ପଦକ୍ଷେପ ନେବେ କହି ଦିନ ଗଡ଼ାଉଛନ୍ତି। ଆମେ ଭଲ ଖାଦ୍ୟ ଦେବାକୁ କହିବାରୁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି କହୁଛନ୍ତି । ଏସବୁ ସମସ୍ୟାରେ ଅତିଷ୍ଠ ହୋଇ ଆଜି ରାସ୍ତାକୁ ଓହ୍ଲାଇଛୁ ବୋଲି ଛାତ୍ରୀମାନେ କହିଛନ୍ତି।

ଖବର ପାଇ କଲେଜ କର୍ତ୍ତୃପକ୍ଷ ପହଞ୍ଚି ପିଲାଙ୍କୁ ବୁଝାଶୁଝା କରିଥିଲେ ବି ସମସ୍ୟା ସମାଧାନ ହୋଇ ନ ଥିବା ଜଣାଯାଇଛି। ତୁରନ୍ତ ସମସ୍ୟା ସମାଧାନ ହେବା ନିମନ୍ତେ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି।

ଅପରପକ୍ଷେ, ଏହି ଘଟଣାର ସମାଧାନ ପାଇ କଲେଜ କର୍ତ୍ତୃପକ୍ଷଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ଏଥିରେ ଛାତ୍ରୀଙ୍କ ପ୍ରତିନିଧୀ ଭାବେ ଏକ ଦଳ ସାମିଲ ହୋଇଛନ୍ତି । ମାତ୍ର ଆଲୋଚନାର ଫଳାଫଳ ବାହାରି ନ ଥିବା ଜଣାଯାଇଛି।

Protest Student Protest Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe