Advertisment

ସୁଭଦ୍ରା: ଆବେଦନ ୧.୦୩ କୋଟି ଟପିଲା, ତୃତୀୟ ପର୍ଯ୍ୟାୟରେ ଆଉ ୨୦ଲକ୍ଷଙ୍କୁ ମିଳିବ

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ଆସନ୍ତା ୨୪ତାରିଖରେ ୨୦ଲକ୍ଷ ହିତାଧିକାରୀଙ୍କୁ ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

Subhadra

Subhadra

Advertisment

ରାଜ୍ୟ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତା ୨୪ତାରିଖରେ ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ମିଳିବ । ଏନେଇ ରାଜ୍ୟ ସରକାର ପ୍ରସ୍ତୁତି ଶେଷ କରିଛନ୍ତି । ଏବେସୁଦ୍ଧା ରାଜ୍ୟରେ ମୋଟ ୧କୋଟି ୩ଲକ୍ଷ ୬୨ହଜାର ୩୭୭ଜଣ ଆବେଦନକାରୀ ‘ସୁଭଦ୍ରା’ ଟଙ୍କା ପାଇବା ପାଇଁ ଆବେଦନ କରିଥିବାବେଳେ ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦରେ ୫ହଜାର ଟଙ୍କା ଲେଖାଏଁ ଯୋଗାଇ ଦେଇଛନ୍ତି । ଏବେ ତୃତୀୟ ପର୍ଯ୍ୟାୟରେ ୨୦ଲକ୍ଷ ହିତାଧିକାରୀ ପାଇବା ପରେ ବି ଆଉ ୨୩ଲକ୍ଷରୁ ଅଧିକ ଆବେଦନକାରୀ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ବାକି ରହିବେ ବୋଲି ଜଣାପଡ଼ିଛି ।

Advertisment

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ଆସନ୍ତା ୨୪ତାରିଖରେ ୨୦ଲକ୍ଷ ହିତାଧିକାରୀଙ୍କୁ ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପଞ୍ଜିକୃତ ଅଥଚ ବ୍ୟାଙ୍କ ଓ ଆଧାର ସଂଯୋଗୀକରଣଜନିତ ସମସ୍ୟା ଯୋଗୁ ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କ ସମସ୍ୟାକୁ ସମାଧାନ କରିବାକୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଜଣେବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ଅର୍ଥ ପାଇବାକୁ ଯେପରି ବଂଚିତ ନହେବେ ତାହା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।

ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ(ଏନସିପିଆଇ) ଡିଜିଟାଲ ପେମେଂଟ ମାଧ୍ୟମରେ ଅର୍ଥ ପ୍ରେରଣବେଳେ ଯେଉଁମାନଙ୍କର ତ୍ରୁଟି ଦେଖାଦେଇଥିଲା, ତାକୁ ଅନୁଧ୍ୟାନ କରାଯିବ । ଏଥିପାଇଁ ହିତାଧିକାରୀଙ୍କ ନିମନ୍ତେ ବ୍ଲକସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଯାଂଚ କମିଟି, ପୌରାଂଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଯାଂଚ କମିଟି ଓ ମହାନଗରରେ ମ୍ୟୁନିସପାଲ କମିଶନରଙ୍କ ଅଧ୍ୟକ୍ଷତାରେ ଯାଂଚ କମିଟି ଦ୍ୱାରା ଆବେଦନଗୁଡ଼ିକର ଯାଂଚ ପରେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଯାଂଚ ଓ ଅନୁମୋଦନ ପରେ ହିତାଧିକାରୀଙ୍କ ତାଲିକାକୁ ସରକାରଙ୍କ ଅନୁମୋଦନ ପାଇଁ ବିଭାଗ ନିକଟକୁ ପଠାଇବାକୁ ଏସଓପି ପ୍ରସ୍ତୁତ ହୋଇଛି । ହିତାଧିକାରୀଙ୍କୁ ସହାୟତା ପାଇଁ ସବୁ ଜିଲ୍ଲାରେ ସୁଭଦ୍ରା ହେଲପ ଡେସ୍କମାନ କାର୍ଯ୍ୟ କରୁଛି । କ୍ଷେତ୍ରସ୍ତରରେ ଯାଂଚ ଟିମମାନେ ଆବେଦନଗୁଡ଼ିକୁ ଯାଂଚ କରିବେ । ଯାଂଚ ପ୍ରକ୍ରିୟା ଯେପରି ସ୍ୱଚ୍ଛ ଓ ନିରପେକ୍ଷ ରହିବ ତାହା ଉପରେ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି ।

Advertisment

ଆଜିର ଏହି ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ମହିଳା ଓ ଶିଶୁବିକାଶ ବିଭାଗ ସଚିବ ଶୁଭା ଶର୍ମାଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଡିଓମାନେ ମଧ୍ୟ ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ୨୪ତାରିଖରେ ମିଳିବ ବୋଲି ଗତ ଦୁଇଦିନ ତଳେ ଘୋଷଣା କରିବା ପରେ ଆଜି ପ୍ରଶାସନିକସ୍ତରରେ ଏନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe