ଲୋକଙ୍କ ନିକଟତର ହେବାକୁ ବିଜେପିର କସରତ୍‌: ସବୁ ପଂଚାୟତରେ ଆଜିଠୁ ‘ସୁଭଦ୍ରା ସ୍ୱାଗତ ସପ୍ତାହ’

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୭ତାରିଖରେ ‘ସୁଭଦ୍ରା’ ଯୋଜନାର ଆନୁଷ୍ଠାନିକ ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବାର କାର୍ଯ୍ୟକ୍ରମ ରହିଛି ।

‘ସୁଭଦ୍ରା ସ୍ୱାଗତ ସପ୍ତାହ’

  • Published: Thursday, 12 September 2024
  • , Updated: 12 September 2024, 10:21 PM IST

ରାଜ୍ୟରେ ୩ମାସ ପୂରଣ କରିଥିବା ବିଜେପି ସରକାର ଏବେ ସାଧାରଣ ଲୋକଙ୍କ ନିକଟତର ହେବାକୁ ବ୍ଲକ ଓ ପଂଚାୟତରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । ନିଜର ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପ୍ରଚାର ଓ ପ୍ରସାର ନିମନ୍ତେ ଶାସକ ବିଜେପି ଆଜିଠୁ ଜନସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବ୍ଲକ ଓ ପଂଚାୟତରେ ‘ସୁଭଦ୍ରା ସ୍ୱାଗତ ସପ୍ତାହ’ ପାଳନ ପାଇଁ ନିର୍ଦ୍ଦେଶ ଦେଇଛି । ସୁଭଦ୍ରା ଯୋଜନା ପାଇଁ ଆଜି ସନ୍ଧ୍ୟାସୁଦ୍ଧା ୪୫ଲକ୍ଷ ମହିଳା ପଞ୍ଜିକରଣ କରିଥିବା ଜଣାପଡ଼ିଛି ।

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୭ତାରିଖରେ ‘ସୁଭଦ୍ରା’ ଯୋଜନାର ଆନୁଷ୍ଠାନିକ ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ଅନ୍ୟ ସମସ୍ତ ବିଭାଗକୁ ‘ସୁଭଦ୍ରା’ ଯୋଜନାର ବ୍ୟାପକ ପ୍ରଚାରପ୍ରସାର ନିମନ୍ତେ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ନିଜ ନିଜ ପାଣ୍ଠିରୁ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପରାମର୍ଶ ଦେଇଛି । ଏପଟେ ସୁଭଦ୍ରା ଯୋଜନା ପାଇଁ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଆଜିଠୁ ସୁଭଦ୍ରା ସ୍ୱାଗତ ସପ୍ତାହ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକସ୍ତରର ସମସ୍ତ ଅଧିକାରୀଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର, ଏସଏଚଜି ସଦସ୍ୟା, ଆଶାକର୍ମୀ ପ୍ରମୁଖ ଗାଁ ଗାଁରେ ସଭା କରି ଲୋକଙ୍କୁ ‘ସୁଭଦ୍ରା’ ଯୋଜନା ସମ୍ବନ୍ଧରେ ସଚେତନ କରାଇବେ ।

ପ୍ରତି ପଂଚାୟତରେ ପ୍ରଥପ୍ରାନ୍ତ ନାଟକ ସମେତ ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ମଧ୍ୟ ଆୟୋଜନ କରି ସୁଭଦ୍ରା ଯୋଜନା ପାଇଁ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଅଂଚଳର ସଫଳ ମହିଳାଙ୍କୁ ‘ସୁଭଦ୍ରା ଅପା’ର ଆଖ୍ୟା ଦିଆଯିବା ସହ ସଫଳ ମହିଳାଙ୍କ କାହାଣୀକୁ ‘ମୋ ସୁଭଦ୍ରା ଷ୍ଟୋରି’ ଭାବେ ପ୍ରତିଷ୍ଠିତ କରାଯିବ । କେବଳ ସେତିକି ନୁହେଁ, ଏହି ଯୋଜନାର ଉଦ୍ଦେଶ୍ୟକୁ ସୁଦୂରପ୍ରସାରୀ କରିବା ନିମନ୍ତେ ଆସନ୍ତାକାଲିଠୁ ‘ଘରେଘରେ ସୁଭଦ୍ରା’ ବିଷୟବସ୍ତୁ ଉପରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ,ତର୍କ,ରଙ୍ଗୋଲୀ ଓ ଫଟୋଗ୍ରାଫି ଆଦିର ପ୍ରତିଯୋଗିତା କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ସଦସ୍ୟତା ଅଭିଯାନ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ, ସୁଭଦ୍ରା ଯୋଜନା, ୧୦୦ଦିନ ବିଜେପି ସରକାରର ଉପଲବ୍‌ଧି ପ୍ରସଙ୍ଗରେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ସଂଗଠନ ସମ୍ପାଦକ ମାନସ ମହାନ୍ତି ଓ ଦଳୀୟ ବିଧାୟକମାନେ ଉପସ୍ଥିତ ରହି ସଦସ୍ୟତା ଅଭିଯାନକୁ କିଭଳି ବ୍ୟାପକ କରାଯିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରତି ବିଧାନସଭା କ୍ଷେତ୍ରରୁ ୧ଲକ୍ଷରୁ ଅଧିକ ସଦସ୍ୟଙ୍କୁ ସାମିଲ କରାଯିବା ସହ ଦଳୀୟ ବିଧାୟକମାନେ ନିଜସ୍ତରରେ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକୁ ଲୋକମାନଙ୍କ ପାଖରେ ପହଂଚାଇବାକୁ ନିଷ୍ପତ୍ତି ହୋଇଛି । ନିର୍ବାଚନବେଳେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ବିଜେପି କିପରି ପୂରଣ କରୁଛି, ସେ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ଓ ଏହା ତୃଣମୂଳସ୍ତରରେ କିପରି ପହଂଚିବ ସେବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଉଭୟ ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରି ୧୦୦ଦିନର ଉପଲବ୍‌ଧିକୁ ଲୋକଙ୍କ ପାଖରେ ପହଂଚାଇବାକୁ ନିଷ୍ପତ୍ତି ହୋଇଛି ବୋଲି ବିଜେପି ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

Related story