Advertisment

ସୁଭଦ୍ରା ଯୋଜନା: ଆବେଦନର ସତ୍ୟାସତ୍ୟ ଯାଂଚ ପାଇଁ ୩ ବିଭାଗର ସହାୟତା ଲୋଡ଼ିଲେ

ସୁଭଦ୍ରା ଯୋଜନା: ଆବେଦନର ସତ୍ୟାସତ୍ୟ ଯାଂଚ ପାଇଁ ୩ ବିଭାଗର ସହାୟତା ଲୋଡ଼ିଲେ

author-image
Ordigital Desk
Subhadra

Subhadra

ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ ଆବେଦନକାରୀଙ୍କ ସତ୍ୟାସତ୍ୟ ଯାଂଚ ନିମନ୍ତେ ଅନ୍ୟ ୩ଟି ବିଭାଗର ସହାୟତା ଲୋଡ଼ିଛି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ । ବିଭିନ୍ନ କାରଣରୁ ଖାରଜ ହୋଇଥିବା ଆବେଦନଗୁଡ଼ିକର ସତ୍ୟାସତ୍ୟ ଯାଂଚ ନିମନ୍ତେ ରାଜ୍ୟ ଯୋଗାଣ ବିଭାଗ,  ପରିବହନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମଗାଯାଇଥିବା ଜଣାପଡ଼ିଛି ।

Advertisment

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ପ୍ରଶାସନିକ ଯାଂଚ: ଆବେଦନର ସତ୍ୟାସତ୍ୟ ଓ ତଥ୍ୟ ଯାଂଚ ପାଇଁ ପଦକ୍ଷେପ

ମହିଳା ଓ ଶିଶୁବିକାଶ ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସୁଭଦ୍ରା ଯୋଜନାରେ ଖାରଜ ହୋଇଥିବା ଆବେଦନର ଯାଂଚ ନିମନ୍ତେ ବିଭିନ୍ନ ବିଭାଗର ସହାୟତା ଲୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି । ବିଶେଷକରି ପରିବାରରେ ଚାରିଚକିଆ ଯାନ ମାଲିକାନା ଆଧାରରେ ପ୍ରତ୍ୟାଖ୍ୟାନ ହୋଇଥିବା ଆବେଦନଗୁଡ଼ିକର ସତ୍ୟତା ଯାଂଚ କରିବା ପାଇଁ ବିଭାଗକୁ ‘ବାହାନ’ ଡାଟାବେସ୍ ସହିତ ତଥ୍ୟ ମିଳାଇବାକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗକୁ କୁହାଯାଇଛି । 

Advertisment

ସେହିପରି ୨୫୦ଜଣ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବା ଯୋଗୁ ସେମାନଙ୍କର ଆବେଦନ ଖାରଜ ହୋଇଥିବାର ସତ୍ୟାସତ୍ୟ ଯାଂଚ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ଦେବାକୁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଏନେଇ ଏକ ନମୁନା ସର୍ଭେ କରି ସତ୍ୟାସତ୍ୟ ଜଣାଇବ । ଓକାକ୍ ଦ୍ୱାରା ଓଡ଼ିଶା ଜନ୍ମ ଓ ମୃତ୍ୟୁ ରେଜିଷ୍ଟ୍ରେସନ ସିଷ୍ଟମ (ଓବିଡିଆରଏସ) ରୁ ପ୍ରାପ୍ତ ମୃତ୍ୟୁ ତଥ୍ୟର ସତ୍ୟତା ନିଶ୍ଚିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ସେହିପରି ଆବେଦନକାରୀଙ୍କ ଆୟ ସମ୍ପର୍କରେ ତଥ୍ୟ ହାସଲ ପାଇଁ ପି-ପାସ୍ ଡାଟା ଓ ଓକାକ୍ ତଥ୍ୟକୁ ମେଳ କରିବାକୁ ରାଜ୍ୟ ଖାଦ୍ୟଯୋଗାଣ ବିଭାଗକୁ କୁହାଯାଇଛି ।

ସୁଭଦ୍ରା ଯୋଜନାର ଲାଭାର୍ଥୀ ଓ ବାଦ୍ ପଡ଼ିଥିବା ଆବେଦନକାରୀ

ରାଜ୍ୟରେ ପ୍ରାୟ ଦେଢ଼ଲକ୍ଷରୁ ଅଧିକ ଆବେଦନକାରୀ ଏବେ ସୁଭଦ୍ରା ଯୋଜନାର ସୁବିଧା ପାଇବାକୁ ଅପେକ୍ଷାରେ ରହିଛନ୍ତି । ବିଭିନ୍ନ କାରଣରୁ ସେମାନଙ୍କ ଆବେଦନ ଖାରଜ ହୋଇଯାଇଥିବା ଜଣାପଡ଼ିଛି । ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏ ସମସ୍ୟାର ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି କହିଥିଲେ । ରାସନ କାର୍ଡ ଓ ଆୟ ତଥ୍ୟରେ ଅସଙ୍ଗତି ଯୋଗୁ ପ୍ରାୟ ଏକ ଲକ୍ଷରୁ ଅଧିକ ମହିଳା ସେମାନଙ୍କର ଦ୍ୱିତୀୟ କିସ୍ତିରୁ ବଂଚିତ ହୋଇଛନ୍ତି । ମାତ୍ର ଏହାର ସମାଧାନ ପାଇଁ ବିଭାଗ ପକ୍ଷରୁ ‘ଏକକ ସର୍ଭେ’ କରାଯିବ ବୋଲି ସୂଚନା ଦେଇଥିଲେ । ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ଓଡ଼ିଶାର ୧ କୋଟିରୁ ଅଧିକ ମହିଳା ଲାଭାର୍ଥୀ ଭାବେ ଅନ୍ତର୍ଭୁକ୍ତ ହୋଇଛନ୍ତି । ୨୦୨୪ ସେପ୍ଟେମ୍ବର ୧୭ରେ ଯୋଜନାର ଉଦଘାଟନ ସମୟରେ ୨୫ ଲକ୍ଷରୁ ଅଧିକ ମହିଳାଙ୍କୁ ୧୨୫୦ କୋଟି ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା ।

୨୦୨୪ ନଭେମ୍ବର ୨୪ରେ ତୃତୀୟ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ୨୦୨୫ ଫେବୃଆରୀ ୮ରେ ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷ ମହିଳାଙ୍କୁ ୯୦୦ କୋଟି ଟଙ୍କା ଏବଂ ୨୦୨୫ ମାର୍ଚ୍ଚ ୫ରେ ପଂଚମ ପର୍ଯ୍ୟାୟରେ ୨.୩ ଲକ୍ଷ ନୂଆ ମହିଳାଙ୍କୁ ୧୧୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଗତ ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ମହିଳମାନଙ୍କୁ ସେମାନଙ୍କର ଆଉ ଏକ କିସ୍ତି ବାବଦରେ ୫ହଜାର ଟଙ୍କା ମିଳିଥିଲା ।

ଏହି ଯୋଜନା ଅଧୀନରେ ୨୧ ରୁ ୬୦ ବର୍ଷ ବୟସର ମହିଳାମାନେ ୫ ବର୍ଷ ମଧ୍ୟରେ ମୋଟ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ । ଏହି ସହାୟତା ବାର୍ଷିକ ୧୦ହଜାର ଟଙ୍କା ହିସାବରେ ଦୁଇଟି କିସ୍ତିରେ  ରକ୍ଷାବନ୍ଧନ ଏବଂ ଅନ୍ତର୍ଜାତୀୟ ମହିଳା ଦିବସରେ ସରକାର ପ୍ରଦାନ କରୁଛନ୍ତି ।

Odisha Subhadra Yojana