ଆସନ୍ତାକାଲି ସବୁ ବ୍ଲକରେ ସୁଭଦ୍ରା ସଭା: ଖର୍ଚ୍ଚ ପାଇଁ ଦେଲେ ୫ଲକ୍ଷ ଟଙ୍କା

ବ୍ଲକସ୍ତରରେ ‘ସୁଭଦ୍ରା ଯୋଜନା’ର ଲୋକାର୍ପଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସଏଚଜି ମହିଳା ସଦସ୍ୟା,ଆଶା କର୍ମୀ, ସୁଭଦ୍ରା ହିତାଧିକାରୀ ଓ ପଂଚାୟତ ନିର୍ବାଚିତ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏହି ସଭା କରିବାକୁ ବିଡିଓମାନଙ୍କୁ କୁହାଯାଇଛି ।

Representational image

  • Published: Monday, 16 September 2024
  • , Updated: 16 September 2024, 11:00 PM IST

ରାଜ୍ୟର ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ । ଜନତା ମଇଦାନରେ ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ପ୍ରଶାସନିକସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଆସନ୍ତାକାଲି ସେପ୍ଟେମ୍ବର ୧୭ତାରିଖରେ ରାଜ୍ୟର ସମସ୍ତ ବ୍ଳକରେ ‘ ବ୍ଲକସ୍ତରୀୟ ମହିଳା ସମାବେଶ’  ହେବ । ଏଥିପାଇଁ ପ୍ରତ୍ୟେକ ବ୍ଲକକୁ ରାଜ୍ୟ ସରକାର ୫ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦେଇଛନ୍ତି । ଏହି ବ୍ଲକସ୍ତରୀୟ ସଭାରେ ମହିଳା ଏସଏଚଜି ସଦସ୍ୟା, ଆଶା କର୍ମୀ ଓ ସୁଭଦ୍ରା ହିତାଧିକାରୀମାନେ ଉପସ୍ଥିତ ରହିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ରାଜ୍ୟର ବିଜେପି ସରକାର ନିଜର ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଜୋରଦାର କସରତ ଆରମ୍ଭ କରିଛି । ରାଜ୍ୟସ୍ତରରେ ଭୁବନେଶ୍ୱରର ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ବ୍ଲକସ୍ତରରେ ଏହି ଯୋଜନାର ମେଗା ଲଂଚି ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକକୁ ୫ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି । ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଏହି ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମହିଳା ସମାବେଶ ନିମନ୍ତେ ମୋଟ ୧୫.୭୦କୋଟି ଟଙ୍କା ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଇଛି ।

ବ୍ଲକସ୍ତରରେ ‘ସୁଭଦ୍ରା ଯୋଜନା’ର ଲୋକାର୍ପଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସଏଚଜି ମହିଳା ସଦସ୍ୟା,ଆଶା କର୍ମୀ, ସୁଭଦ୍ରା ହିତାଧିକାରୀ ଓ ପଂଚାୟତ ନିର୍ବାଚିତ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏହି ସଭା କରିବାକୁ ବିଡିଓମାନଙ୍କୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଏଲଇଡି ସ୍କ୍ରିନ୍ ଲଗାଇ ଭୁବନେଶ୍ୱରରେ ‘ସୁଭଦ୍ରା’ ଯୋଜନାର ମେଗା ଲୋକାର୍ପଣ ଉତ୍ସବର ସିଧାସଳଖ ପ୍ରସାରଣ ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ଉଭୟ ଜିଲ୍ଲାପାଳ ଓ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସରକାର ମଧ୍ୟ ଏହି ବ୍ଲକସ୍ତରୀୟ ସଭାରେ କେଉଁସବୁ ପ୍ରସଙ୍ଗରେ ଆଲୋଚନା ହେବ ତା’ର ରୂପରେଖ ପ୍ରସ୍ତୁତ କରି ସବୁ ବ୍ଲକକୁ ପଠାଇଥିବା ଜଣାପଡ଼ିଛି ।

ସୁଭଦ୍ରା ଯୋଜନାର ମେଗା ଲୋକାର୍ପଣ ଉତ୍ସବ ପାଇଁ ବ୍ଲକସ୍ତରରେ ଆୟୋଜିତ ଏସଏଚଜି ସମ୍ମିଳନୀରେ ସ୍ଥାନୀୟ ବିଡିଓ ସ୍ୱାଗତ ଅଭିଭାଷଣ ରଖିବେ । ତା’ପରେ ସୁଭଦ୍ରା ଭିଡିଓ ପ୍ରଦର୍ଶିତ ହେବ । ସୁଭଦ୍ରା ଯୋଜନା ଉପରେ ଆଲୋଚନା ସହ ମହିଳା ଏସଏଚଜି ସଦସ୍ୟା(୧୦-୧୫ଜଣ) ନିଜ ନିଜର ସଫଳତା କାହାଣୀ ଉପସ୍ଥାପନ କରିବେ । ପଂଚାୟତ ସମିତିର ନିର୍ବାଚିତ ପ୍ରତିନିଧିମାନେ ନିଜର ମତ ରଖିବେ । ତା’ପରେ ସୁଭଦ୍ରା ଗୀତ ବଜାଯିବ । ମିଶନଶକ୍ତି ବିଭାଗ ଅଧୀନରେ ଥିବା ବିପିସି ଧନ୍ୟବାଦ ଦେବେ । ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ହିତାଧିକାରୀଙ୍କ ଯୋଗ୍ୟତା, କିସ୍ତି ମିଳିବା, ଡିଜିଟାଲ ସ୍ଥାନାନ୍ତରର ଫାଇଦା ଓ ଯୋଜନା ସହ ଜଡ଼ିତ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଏହାସହିତ ଜନତା ମଇଦାନରେ ମେଗା ଲୋକାର୍ପଣର ସିଧାସଳଖ ପ୍ରସାରଣ ପାଇଁ ସେଠାରେ ଏଲଇଡିର ବ୍ୟବସ୍ଥା ମଧ୍ୟ ରହିବ ।

ଏହାବ୍ୟତୀତ ସମସ୍ତ ଜିଲ୍ଲାପାଳଙ୍କୁ ଅତିକମରେ ୧୦୦ଜଣ ଲେଖାଏଁ  ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ଭୁବନେଶ୍ୱର ପଠାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ମହିଳାମାନଙ୍କ ଯିବାଆସିବା ପାଇଁ ଗାଡ଼ି, ରହିବା ଓ ଖାଇବା ଆଦି ସହ ନିରାପତ୍ତା ଆଦି ସବୁକିଛି ଦାୟିତ୍ୱ ତୁଲାଇବାକୁ ମଧ୍ୟ କୁହାଯାଇଛି । ଅବଶ୍ୟ ଏବାବଦରେ ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ମହିଳା ଓ ଶିଶୁବିକାଶ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛି ।

 

 

Related story