Advertisment

କାର୍ଯ୍ୟରେ ଯୋଗଦେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ

ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ’ ୩୧ରୁ ୬ମାସ ଛୁଟିରେ ପଳାଇଥିଲେ ସୁଜାତା।

author-image
Tapaswini Nayak
ଅଦ୍ୟତନ ହୋଇଛି
Sujata karthikeyan

Sujata karthikeyan

କାର୍ଯ୍ୟରେ ଯୋଗ ଦେଇଛନ୍ତି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ। ୬ ମାସ ଛୁଟିରୁ ଫେରିବା ପରେ ଆଜି ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। କାଲି ସୁଜାତାଙ୍କ ସାନି ଛୁଟି ଆବେଦନ ଅଗ୍ରାହ୍ୟ କରିଥିଲେ ସରକାର। ଆଉ ୬ ମାସ ଛୁଟିରେ ରହିବାକୁ ଆବେଦନ କରିଥିଲେ ସୁଜାତା। ସୁଜାତାଙ୍କ ଆବେଦନ ଅଗ୍ରାହ୍ୟ ସହ ଯୋଗ ଦେବାକୁ ପରାମର୍ଶ ଦିଆଯାଇଥିଲା।

Advertisment

ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ’ ୩୧ରୁ ୬ ମାସ ଛୁଟିରେ ପଳାଇଥିଲେ ସୁଜାତା। ପୁଣିଥରେ ନିଜର ଛୁଟିକୁ ଆଉ ୬ ମାସ ବୃଦ୍ଧି ପାଇଁ ଆବେଦନ କରିଥିଲେ। ହେଲେ ରାଜ୍ୟ ସରକାର ସୁଜାତା କରିଥିବା ଆବେଦନକୁ ଖାରଜ କରିଥିଲେ। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଥିବା ଅବଗତ କରିଥିଲେ। ଏହା ସହିତ ଆଜି ଚାକିରିରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ନବୀନ ପଟ୍ଟନାୟକ ସରକାରରେ ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଅଖଣ୍ଡ ପ୍ରଭାବର ଅଧିକାରିଣୀ ଥିଲେ। ତେବେ ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ସୁଜାତା ଛୁଟିରେ ପଳାଇଥିବା ନେଇ ୨୦୨୪ ଜୁନ୍ ୬ ତାରିଖରେ ସାଧାରଣ ପ୍ରଶାସନ ବିଭାଗର ଚିଠିରୁ ଜଣାପଡ଼ିଥିଲା। ସୁଜାତାଙ୍କୁ ପିଛିଲା ଭାବେ ମେ’ ୩୧ ତାରିଖରୁ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ୧୮୦ ଦିନର ଛୁଟି (ସନ୍ତାନର ଯତ୍ନ ପାଇଁ) ଅନୁମତି ଦିଆଯାଇଥିଲା। ଏହି ଛୁଟି ଅବଧି ମଧ୍ୟରେ ସୁଜାତାଙ୍କୁ ସମ୍ପୂର୍ଣ୍ଣ ଦରମା ମଧ୍ୟ ମିଳୁଥିଲା। ସର୍ବ ଭାରତୀୟ ସେବା ରୁଲସ-୧୯୫୫ର ରୁଲ-୧୮(ଘ)ରେ ଥିବା ପ୍ରାବଧାନ ଆଧାରରେ ସେ ତାଙ୍କ ଝିଅର ଦଶମ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଛୁଟି ଆବେଦନ କରିଥିଲେ। ଯାହାକୁ ତତକାଳୀନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଅନୁମୋଦନ କରିଥିଲେ। ସାଧାରଣ ନିର୍ବାଚନବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା। ଆଜି ସେ ଏହି ନୂତନ ପଦବୀରେ ଯୋଗ ଦେଇଛନ୍ତି।

Advertisment
Bhubaneswar Ias Officer Sujata Karthikeyan