Advertisment

ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଗତକାଲି ସୁଦ୍ଧା ରାଜ୍ୟରେ ୧,୨୧୯ ଜଣ ଅଂଶୁଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Sun Stroke

Sun Stroke

ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି।

Advertisment

ଅଂଶୁଘାତରେ ଢେଙ୍କାନାଳ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ଏବଂ ମୟୂରଭଞ୍ଜରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେହିପରି ଆଉ ୧୪ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

ତାଙ୍କ ସୂଚନା ଅନୁଯାୟୀ, ଗତକାଲି ସୁଦ୍ଧା ରାଜ୍ୟରେ ୧,୨୧୯ ଜଣ ଅଂଶୁଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଢେଙ୍କାନାଳରେ ସର୍ବାଧିକ ୧୯୮ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ମୟୂରଭଞ୍ଜରେ ୧୪୬, ସୁନ୍ଦରଗଡ଼ରେ ୧୩୧ ଓ ସମ୍ବଲପୁରରେ ୧୨୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Advertisment

ଆଗକୁ ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିବାକୁ ଥିବାରୁ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରଖାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିବା ସହ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ଗ୍ରୀଷ୍ମ ଋତୁରେ ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ଏପ୍ରିଲ ୧୫ ତାରିଖରେ ଘଟିଥିଲା। ବାଲେଶ୍ୱର ଜିଲ୍ଲାର ମହେଶପୁର ଅଂଚଳର ୬୨ବର୍ଷୀୟ ଲକ୍ଷ୍ମୀକାନ୍ତ ସାହୁଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିଲା। ଏପ୍ରିଲ ୨୯ତାରିଖରେ ଢେଙ୍କାନାଳର ୫୦ବର୍ଷୀୟ ନିମାଇଁ ଚରଣ ରାଉତ ଓ ମେ’ ୮ତାରିଖରେ ମୟୂରଭଞ୍ଜର ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିଲା। ଏବେ ମୟୂରଭଞ୍ଜ ଜିଲ୍ଲାର ଆଉ ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ।

ରିପୋର୍ଟ- ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ

Sunstroke Heatstroke