Advertisment

ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା ବାଛୁରୀ

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅନୁଗୋଳ ଉପଜିଲ୍ଲାପାଳ ଗୁହାରୀ ଶୁଣିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜଣେ ପ୍ରାଣୀଧନ ଚିକିତ୍ସକ ବାଛୁରୀର ସଫଳ ଅସ୍ତ୍ରୋପଚାର କରିଛି। ଅପରେସନ୍‌ ପରେ ବାଛୁରୀ ସୁସ୍ଥ ଥିବା ଜଣାପଡ଼ିଛି।

author-image
Manoranjan Sial
Angul

Angul

ସମୂହ ଛୁଟିରେ ଯାଇଛନ୍ତି ପ୍ରାଣୀଧନ ଚିକିତ୍ସକ। ସେଥିପାଇଁ ନବଜାତ ବାଛୁରୀକୁ ଧରି ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ତରୁଣ କୁମାର ସାମଲ। ରୋଗୀଣା ବାଛୁରୀକୁ ଭଲ କରିଦେବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ଏପରି ଖବର ଆସିଛି ଅନୁଗୋଳ ଜିଲ୍ଲାରୁ।

Advertisment

ବଅଁରପାଳ ବ୍ଲକ୍‌ ନୂଆହତା ଗାଁର ତରୁଣ କୁମାର ସାମଲଙ୍କ ଗାଈ ୪ ଦିନ ତଳେ ଏକ ଶାବକ ଜନ୍ମ ଦେଇଥିଲା। ହେଲେ ବାଛୁରୀର ମଳଦ୍ୱାର ନଥିବା ଦେଖିବାକୁ ମିଳିଥିଲା। ଏହାପରେ ତରୁଣ ବାଛୁରୀକୁ ଧରି ଚିକିତ୍ସା ପାଇଁ ବଅଁରପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଯାଇଥିଲେ। ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁ ବାଛୁରୀର ଚିକିତ୍ସା କରାଇ ପାରିଲେ ନାହିଁ। ଶେଷରେ ନିରୁପାୟ ହୋଇ ଆଜି ତରୁଣ ନିଜ ପରିବାର ସଦସ୍ୟଙ୍କ ସହ ବାଛୁରୀକୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବାଛୁରୀର ଚିକିତ୍ସା ପାଇଁ ନିବେଦନ କରିଥିଲେ।

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅନୁଗୋଳ ଉପଜିଲ୍ଲାପାଳ ଗୁହାରୀ ଶୁଣିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜଣେ ପ୍ରାଣୀଧନ ଚିକିତ୍ସକ ବାଛୁରୀର ସଫଳ ଅସ୍ତ୍ରୋପଚାର କରିଛି। ଅପରେସନ୍‌ ପରେ ବାଛୁରୀ ସୁସ୍ଥ ଥିବା ଜଣାପଡ଼ିଛି।

Advertisment

ସେପଟେ ଗତ ୧୮ ତାରିଖରୁ ଅନୁଗୋଳ ଜିଲ୍ଲାର ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ଯାଇଛନ୍ତି। ପ୍ରାଣୀଧନ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀଙ୍କ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା ଇତ୍ୟାଦି ସହ ଓଡ଼ିଶାର ପ୍ରାଣୀ ଚିକିତ୍ସକଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକଙ୍କ ସହ ସମାନ ପଦୋନ୍ନତି, ଓଡ଼ିଶାର ପ୍ରାଣୀ ଚିକିତ୍ସକଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକଙ୍କ ହାରରେ ଏନପିଏ ପ୍ରଦାନ ଓ ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି ଏବଂ କ୍ୟାଡ଼ର ପୁନର୍ଗଠନ ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଣୀ ଚିକିତ୍ସକ। ଯେଉଁଥିପାଇଁ ପ୍ରାଣୀଧନ ଚିକିତ୍ସା ସେବାରେ ବ୍ୟାଘାତ ଘଟିଛି। ସମଗ୍ର ରାଜ୍ୟରେ ଏପରି ଚିତ୍ର ଦେଖିବାକୁ ମିଳିଛି।

ରିପୋର୍ଟ- ଅନୁଗୋଳରୁ ବିରଜା ଦାସ

Angul