‘ବାତ୍ୟାବେଳେ ବ୍ୟାଘାତ ହେବନି ଟେଲିକମ୍ ସେବା,୭ ଉପକୂଳ ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା’

ବାତ୍ୟା ପାଇଁ ରେଡ୍ ଜୋନ୍ ଚିହ୍ନଟ ୭ଟି ଜିଲ୍ଲା ଯଥା- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ଯାଜପୁର ଓ କଟକରେ ଭାରତ ସରକାରଙ୍କ ଗାଇଡଲାଇନ୍ ଆଧାରରେ ଟେଲିକମ୍ ସେବାପ୍ରଦାନକାରୀ ସଂସ୍ଥାଗୁଡ଼ିକ ସହଯୋଗରେ ଆଜି ସକାଳ ୮ଟାରୁ ଇଂଟର ସର୍କଲ ରୋମିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

Representational Image

  • Published: Thursday, 24 October 2024
  • , Updated: 24 October 2024, 09:55 PM IST

ବାତ୍ୟା ‘ଦାନା’ ଯୋଗୁ ପ୍ରଭାବିତ ହେବାକୁ ଥିବା ଉପକୂଳ ଓଡ଼ିଶାରେ ଟେଲିକମ୍ ସେବା ବ୍ୟାଘାତ ହେବନାହିଁ । ଏଥିପାଇଁ ରାଜ୍ୟ ସରକାର ବାତ୍ୟାର ପ୍ରକୋପ ଥିବା ୭ଟି ଜିଲ୍ଲା(ସମ୍ଭାବ୍ୟ ବାତ୍ୟା ପାଇଁ ରେଡ୍ ଜୋନ୍ ଚିହ୍ନଟ)ରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ବିଏସଏନଏଲ, ଜିଓ, ଏୟାରଟେଲ୍ ଓ ଭୋଡ଼ାଫୋନର ସହଯୋଗରେ ଆଜି ସକାଳ ୮ଟାରୁ ଇଂଟର-ସର୍କଲ ରୋମିଂ ସେବା କାର୍ଯ୍ୟକାରୀ କରାଯାଇଛି ବୋଲି ରାଜ୍ୟ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବାତ୍ୟା ପାଇଁ ରେଡ୍ ଜୋନ୍ ଚିହ୍ନଟ ୭ଟି ଜିଲ୍ଲା ଯଥା- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ଯାଜପୁର ଓ କଟକରେ ଭାରତ ସରକାରଙ୍କ ଗାଇଡଲାଇନ୍ ଆଧାରରେ ଟେଲିକମ୍ ସେବାପ୍ରଦାନକାରୀ ସଂସ୍ଥାଗୁଡ଼ିକ ସହଯୋଗରେ ଆଜି ସକାଳ ୮ଟାରୁ ଇଂଟର ସର୍କଲ ରୋମିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଏହାଦ୍ୱାରା ଗୋଟିଏ ଟେଲିକମ୍ କମ୍ପାନୀର ଗ୍ରାହକ ଅନ୍ୟ ଟେଲିକମ୍ କମ୍ପାନୀର ନେଟୱାର୍କ ବ୍ୟବହାର କରିପାରୁଛନ୍ତି । ଗୋଟିଏ ଟେଲିକମ୍ କମ୍ପାନୀର ନେଟୱାର୍କ ଡାଉନ୍ ହେଲେ ଅନ୍ୟ ଟେଲିକମ୍ କମ୍ପାନୀର ନେଟୱାର୍କକୁ ସାଧାରଣ ଲୋକେ ବ୍ୟବହାର କରିପାରୁଛନ୍ତି । ଏହି ୭ଟି ଜିଲ୍ଲାର ଲୋକେ ବିଶେଷଭାବେ ଉପକୃତ ହୋଇପାରୁଛନ୍ତି । ଏହି ଜିଲ୍ଲାଗୁଡ଼ିକର ସବୁ ମୋବାଇଲ୍ ଟାୱାରରେ ଜେନେରେଟର ସେବା ପ୍ରସ୍ତୁତ ରଖାଯାଇଛି ।

ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟ ସେଲ୍ ଅନ୍ ହୁଇଲର ବ୍ୟବସ୍ଥା କରିଛନ୍ତି । କୌଣସି ସ୍ଥାନରେ ଟାୱାର ଖରାପ ହେଲେ ସମ୍ପୃକ୍ତ କମ୍ପାନୀଗୁଡ଼ିକର ବୈଷୟିକ ଟିମ୍ ତା’ର ତୁରନ୍ତ ମରାମତି କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି । ଆଜି ଲୋକସେବା ଭବନସ୍ଥିତ ନିଜ ଚ୍ୟାମ୍ବରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଭାରତ ସରକାରଙ୍କ ଦୂରସଂଚାର ବିଭାଗର ବରିଷ୍ଠ ଅଧିକାରୀ ଓ ଟେଲିକମ୍ କମ୍ପାନୀଗୁଡ଼ିକର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ।

Related story