Advertisment

କାଳିଆର ଶ୍ରୀମୁଖ ଶିଙ୍ଗାରରେ ବ୍ୟବହୃତ କସ୍ତୁରୀ ଡୁପ୍ଲିକେଟ, ସେବକଙ୍କ ସଂଗୀନ ଅଭିଯୋଗ

ଶ୍ରୀମନ୍ଦିର ସତ୍ତ୍ୱଲିପିକୁ ଅଣଦେଖା କରାଯାଇ ଏହି ନୀତିକୁ ଉପେକ୍ଷା କରାଯାଉଥିବା ଓ ଶ୍ରୀମନ୍ଦିର ପ୍ରଶାସନ ନକଲି ସାମଗ୍ରୀ ଯୋଗାଇ ଦିଆଯାଉଥିବା ନେଇ ଏହି ସେବାରେ ନିୟୋଜିତ ଦତ୍ତ ମହାପାତ୍ର ସେବାୟତ ସଂଗୀନ ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
Lord Jagannath

Lord Jagannath

Advertisment

ନୀଳାଦ୍ରି ବିଜେକୁ ୧୭ ଦିନ ବିତିଲାଣି। ହେଲେ ତା ପରଠୁ ଆଉ ହୋଇନି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଶ୍ରୀମୁଖ ଶୃଙ୍ଗାର। ଶ୍ରୀମନ୍ଦିର ସତ୍ତ୍ୱଲିପିକୁ ଅଣଦେଖା କରାଯାଇ ଏହି ନୀତିକୁ ଉପେକ୍ଷା କରାଯାଉଥିବା ଓ ନକଲି ସାମଗ୍ରୀ ଯୋଗାଇ ଦିଆଯାଉଥିବା ନେଇ ଏହି ସେବାରେ ନିୟୋଜିତ ଦତ୍ତ ମହାପାତ୍ର ସେବାୟତ ସଂଗୀନ ଅଭିଯୋଗ ଆଣିଛନ୍ତି। ମାତ୍ର ଏସବୁ ପ୍ରସଙ୍ଗକୁ କିନ୍ତୁ ଏଡ଼ାଇ ଯାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କେବଳ ଏତିକି କହିଛନ୍ତି- ଆସନ୍ତାକାଲି ହେବ ଠାକୁରଙ୍କ ବନକଲାଗି ନୀତି।

Advertisment

ଦତ୍ତମହାପାତ୍ର ସେବକ ସଞ୍ଜୟ ଦତ୍ତମହାପାତ୍ର କହିଛନ୍ତି, କାଳିଆ ସାଆନ୍ତଙ୍କ ଶ୍ରୀମୁଖ ଶିଂଗାର ବା ବନକଲାଗି ନୀତି ପାଇଁ ସୁଗନ୍ଧ କସ୍ତୁରୀ ଶ୍ରୀମନ୍ଦିର ପ୍ରଶାସନ ଦେଉନାହିଁ। ଯେଉଁ କସ୍ତୁରି ଦିଆଯାଉଛି ସେଥିରେ କିଛି ପାଉଡର ମିଶି ଆସୁଛି। ତାହା ବାସନା ନାହିଁ କି ଗନ୍ଧ ନାହିଁ। ପୂରା ଡୁପ୍ଲିକେଟ। ରେକର୍ଡ ମୁତାବକ ଗୁରୁବାରରେ ବନକଲାଗି କରାଯିବା କଥା। ଅସୁବିଧା ଥିଲେ ବୁଧବାର କରାଯାଏ। ମହାପ୍ରଭୁଙ୍କ ସେବାରେ ଏଭଳି ଅଣଦେଖା କରାଯିବା ସମସ୍ତଙ୍କୁ ଦୁଃଖ ଦେଉଛି।

ଏପଟେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିଳାଦ୍ରୀ ବିଜେ ପରଠୁ ଦୀର୍ଘ ୧୭ ଦିନ ହେଲାଣି ଆଜି ଯାଏଁ ଥରୁଟିଏ ବି ହୋଇପାରିନି ମହାପ୍ରଭୁଙ୍କ ଶ୍ରୀମୁଖ ଶିଂଗାର। ଯେଉଁଠି ଶ୍ରୀମନ୍ଦିର ସତ୍ତ୍ୱଲୀପି ଅନୁସାରେ ମାସକୁ ୪ଥର ଶ୍ରୀମୁଖ ଶିଂଗାର ହେବା କଥା। ସେଥିରେ ଘୋର ବ୍ୟତିକ୍ରମ ପାଇଁ କ୍ଷୁବ୍ଧ ହୋଇଛନ୍ତି ଦତ୍ତମହାପାତ୍ର ସେବକ। କେଉଁ ବାରରେ ଏହି ଗୁପ୍ତ ନୀତି ସମ୍ପନ୍ନ ହେବ ତାକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଥିବା ବେଳେ ଆଜି ଏହାର ସମାଧାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା।

Advertisment

ସୂଚନା ଅନୁସାରେ ପୂର୍ବଭଳି ଆସନ୍ତା କାଲି ଅର୍ଥାତ ବୁଧବାର ହିଁ ଶ୍ରୀମୁଖ ଶିଂଗାର ନୀତି ସମ୍ପନ୍ନ ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ ଦତ୍ତମହାପାତ୍ର ସେବକ ବୁଧବାର ବଦଳରେ ସୋମବାର ଓ ଗୁରୁବାର ଏହି ନୀତି କରିବାକୁ ଜିଦ୍ ଧରିଥିଲେ ବି ନିଷ୍ପତ୍ତି ସେଇ ବୁଧବାରରେ ଅଟକି ଥିବା ଜଣାପଡ଼ିଛି।

ଅନ୍ୟପଟେ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ଗୁରୁବାର ମା ଲକ୍ଷ୍ମୀ, ଦେବୀ ସରସ୍ୱତୀ ଓ ଶ୍ରୀମଦନ ମୋହନଙ୍କ ମାଜଣା ଥିବାରୁ ସେଦିନ ବନକ ଲାଗି ନୀତି ରଖିଲେ ଏଥିରେ ଘୋର ବିଳମ୍ବ ହେବ। ତେଣୁ ଗୁରୁବାର ବନକଲାଗି ନୀତି ନକରି ବୁଧବାରକୁ ରଖାଯାଇଛି।

ଭକ୍ତଙ୍କ ମୁଖ୍ୟ ଆକର୍ଷଣ ମହାପ୍ରଭୁଙ୍କ ଶ୍ରୀମୁଖ। ତେଣୁ ଏହାକୁ ସବୁବେଳେ ଆକର୍ଷଣୀୟ ରଖିବାକୁ କରାଯାଏ ବନକଲାଗି। ଯେଉଁଥିରେ ଧଳା, କଳା,
ନାଲି ଓ ହଳଦିଆ ପ୍ରାକୃତିକ ରଙ୍ଗ ସହ ସୁଗନ୍ଧ କସ୍ତୁରୀ, ହେଙ୍ଗୁଳ, ହରିତାଳ ଓ କେଶର ଆଦି ସାମଗ୍ରୀ ଦରକାର। କିନ୍ତୁ ଏବେ ଏହି ପ୍ରାକୃତିକ ପ୍ରସାଧନ ମିଳିବାରେ ଅସୁବିଧା ଉପୁଜିଲାଣି। ତେବେ ବନକଲାଗି ନୀତିରେ ବିଭ୍ରାଟ ଓ ନକଲି ସାମଗ୍ରୀ ବ୍ୟବହାର ଅଭିଯୋଗ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ମୁହଁ ଖୋଲୁନଥିବାବେଳେ କେବଳ ଆସନ୍ତାକାଲି ହିଁ ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର ନୀତି ଅନୁଷ୍ଠିତ ହେବ କହି ପୂରା ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।

Puri Lord Jagannath Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe