Advertisment

ଡିସେମ୍ବରରେ ସରିବ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ଡେଡଲାଇନ୍, ଏପଟେ ଆଉ ୨୫ ନୂଆ ଜିଲ୍ଲା ଦାବି

ପଦ୍ମପୁର ସମେତ ମୋଟ ୨୬ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ମିଳିଛି ସେଥିରେ ସର୍ବାଧିକ ୪ଟି ଗଞ୍ଜାମ ଜିଲ୍ଲାରୁ ଆସିଥିବାବେଳେ ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲାରୁ ୩ଟି ଲେଖାଏଁ, ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, ବାଲେଶ୍ୱର ଓ କଟକରେ ୨ଟି ଲେଖାଏଁ ନୂଆ ଜିଲ୍ଲା ଗଠନ ପାଇଁ ଦାବି ହୋଇଛି ।

Sudam Marandi

Sudam Marandi

Advertisment

ପଦ୍ମପୁର ବିଧାନସଭା ଉପନିର୍ବାଚନବେଳେ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଡେଡଲାଇନକୁ ଆଉ ମାତ୍ର ୩ମାସ ବାକି ଥିବାବେଳେ ରାଜ୍ୟରେ ଆଉ ୨୫ଟି ସ୍ଥାନରେ ନୂଆ ଜିଲ୍ଲା ଗଠନ ପାଇଁ ଦାବି ଜୋର ଧରିଛି । ତେବେ ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂଆ ଜିଲ୍ଲା ଗଠନ କରିବା ପାଇଁ ଆସିଥିବା ଦାବି ଉପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବା ଏହି ନୂଆ ଜିଲ୍ଲା ଗଠନ ଦାବି ଶାସକ ବିଜେଡିକୁ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

Advertisment

ଆଜି ବିଧାନସଭାରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ, ରାଜ୍ୟରେ ନୂଆ ଜିଲ୍ଲା ଗଠନ ପାଇଁ ବିଭିନ୍ନ ଭାଗରୁ ଏକାଧିକ ଦାବି ପତ୍ରଗୁଡ଼ିକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ମିଳିଛି । ଚଳିତ ୨୦୨୩-୨୪ ବର୍ଷରେ ରାଜ୍ୟରେ ନୂଆ ରାଜସ୍ୱ ଜିଲ୍ଲା ଘୋଷଣା ପାଇଁ ବିଭିନ୍ନ ଦାବିପତ୍ରଗୁଡ଼ିକ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ପଦ୍ମପୁର ସମେତ ମୋଟ ୨୬ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ମିଳିଛି ସେଥିରେ ସର୍ବାଧିକ ୪ଟି ଗଞ୍ଜାମ ଜିଲ୍ଲାରୁ ଆସିଥିବାବେଳେ ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲାରୁ ୩ଟି ଲେଖାଏଁ, ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, ବାଲେଶ୍ୱର ଓ କଟକରେ ୨ଟି ଲେଖାଏଁ ନୂଆ ଜିଲ୍ଲା ଗଠନ ପାଇଁ ଦାବି ହୋଇଛି ।

ମନ୍ତ୍ରୀ ଶ୍ରୀ ମାର୍ଣ୍ଡିର୍ ଏହି ନୂଆ ଜିଲ୍ଲା ଗଠନ ପାଇଁ ଆସିଥିବା ଦାବିଗୁଡ଼ିକ ମଧ୍ୟରେ ବରଗଡ଼ ଜିଲ୍ଲାର ପଦ୍ମପୁର,  ଗଞ୍ଜାମ ଜିଲ୍ଲାର ଘୁମୁସର, ଋଷିକୁଲ୍ୟା(ଆସିକା), ବ୍ରହ୍ମପୁର ଓ ଭଞ୍ଜନଗର, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼, ମୟୂରଭଞ୍ଜ ଜିଲ୍ଲାର ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର ଓ ଖିଚିଂ, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଓ ରାଉରକେଲା, ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଓ କଣ୍ଟାବାଞ୍ଜି, ଅନୁଗୁଳ ଜିଲ୍ଲାର ତାଳଚେର, ପାଲଲହଡ଼ା, ଆଠମଲ୍ଲିକ, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, କଟକ ଜିଲ୍ଲାରୁ ଆଠଗଡ଼ ଓ ଚଣ୍ଡିଖୋଲ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ବାଲେଶ୍ୱର ଜିଲ୍ଲାର ନୀଳଗିରି ଓ ସୋରୋ ଏବଂ ରାୟଗଡ଼ା ଜିଲ୍ଲାର ଗୁଣୁପୁରକୁ ନୂଆ ଜିଲ୍ଲାର ମାନ୍ୟତା ଦେବା ପାଇଁ ଦାବିପତ୍ର ରାଜସ୍ୱ ବିଭାଗକୁ ମିଳିଛି ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡିର୍ ସୂଚନା ଦେଇଛନ୍ତି ।  ଓଡ଼ିଶା ରାଜସ୍ୱ ପ୍ରଶାସନ(ୟୁନିଟ) ଆକ୍ଟ-୧୯୬୩ ଓ ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ତଥା ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂଆ ଜିଲ୍ଲା ଗଠନ କରିବା ପାଇଁ ଆସିଥିବା ଦାବି ଉପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ।

Advertisment

ତେବେ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କଳାହାଣ୍ଡି ଜିଲ୍ଲାରୁ କେବଳ ଧର୍ମଗଡ଼ରୁ ଜିଲ୍ଲା ଗଠନ ଦାବିପତ୍ର ମିଳିଥିବା କହିଥିବାବେଳେ ଶ୍ରୀ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରୁ ଜିଲ୍ଲା ଗଠନ ଦାବିପତ୍ର ମିଳିଥିବା ଦର୍ଶାଇଛନ୍ତି । ସେହିପରି ରାଉରକେଲାକୁ ନୂଆ ଜିଲ୍ଲା ଗଠନ ଦାବି ସପକ୍ଷ ଓ ବିରୋଧରେ ମିଳିଛି ବୋଲି ସେ କହିଛନ୍ତି ।

ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ରାଜ୍ୟରେ ଜିଲ୍ଲା ପୁନର୍ଗଠନ କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି । ଯଦିଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନବେଳେ ପଦ୍ମପୁରକୁ ରାଜ୍ୟର ୩୧ତମ ଜିଲ୍ଲା ମାନ୍ୟତା ୨୦୨୩ ଡିସେମ୍ବର ସୁଦ୍ଧା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ କ୍ୟାବିନେଟରେ ମଧ୍ୟ ପ୍ରସ୍ତାବ ପାରିତ କରାଇଥିଲେ ।

Odisha Assembly Monsoon Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe