ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଯୋଜନା ଗାଁରେ ରୂପାନ୍ତରଣ ଆଣିଛି। ମେଟ୍ରୋ ରେଳ ଯୋଜନା ଏ ରୂପାନ୍ତରଣକୁ ଆହୁରି ଆଗକୁ ନେବ

Representational Image

  • Published: Monday, 01 January 2024
  • , Updated: 01 January 2024, 05:45 PM IST

ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ବାରଙ୍ଗ ରତାଗଡ଼ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିବସ ହୋଇ ରହିବ। ପରିବହନ କ୍ଷେତ୍ରରେ ଆସିବ ବଡ଼ ରୂପାନ୍ତର। ସେ କହିଥିଲେ ଯେ ମେଟ୍ରୋ ରେଳପାଇଁ ମୁଁ ଯେଉଁ ପ୍ରତିଶୃତି ଦେଇଥିଲି। ତାହା ଆଜି ପାଳନ କରୁଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଯୋଜନା ଗାଁରେ ରୂପାନ୍ତର ଆଣିଛି। ମେଟ୍ରୋ ରେଳ ଯୋଜନା ଏ ରୂପାନ୍ତରକୁ ଆହୁରି ଆଗକୁ ନେବ। ପୁରୁଣା ରାଜଧାନୀ କଟକ ସହିତ ନୂଆ ରାଜଧାନୀ ଭୁବନେଶ୍ୱରର ସମ୍ପର୍କକୁ ଆହୁରି ମଜବୁତ କରିବ। ବାଟରେ ଆସିବା ବେଳେ ସ୍ଥାନେସ୍ଥାନେ ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନା ସମ୍ପର୍କରେ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ “ଏଠାକୁ ଆସିବା ବେଳେ ରାସ୍ତାରେ ହଜାର ହଜାର ଲୋକଙ୍କ ଶୁଭେଚ୍ଛା ପାଇଲି। ନୂଆ ବର୍ଷର ଏ ଖୁସି, ଏ ଆନନ୍ଦ, ସବୁ ଦିନ ଜାରି ରହୁ, ମହାପ୍ରଭୁଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା। ବିକାଶର ପର୍ବ ଆପଣମାନଙ୍କ ସହଯୋଗରେ ଆହୁରି ଆଗକୁ ବଢୁ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମେଟ୍ରୋ ରେଳର ଏହି ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ନିର୍ମାଣ କରାଯିବ। ୨୬ କି.ମି. ଏହି ପ୍ରକଳ୍ପରେ ୨୦ଟି ଷ୍ଟେସନ ରହିବ। ଏଥିପାଇଁ ୬୨୫୫.୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୫-ଟି ଉପକ୍ରମରେ ଏହା ରାଜ୍ୟର ଏକ ଫ୍ଲାଗସିପ୍ ପ୍ରକଳ୍ପ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକଳ୍ପର ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ପ୍ରକାଶକରି ସେ କହିଲେ ଯେ ଓଡିଶା ଇତିହାସରେ ଭିତ୍ତିଭୂମି କ୍ଷେତ୍ରରେ ଏହା ସବୁଠାରୁ ବଡ଼ ନିବେଶ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପ୍ରଥମେ ଭୁବନେଶ୍ୱର ଏୟାରପୋର୍ଟ ଛକରୁ ବାରଙ୍ଗ ରତାଗଡ଼ ପର୍ଯ୍ୟନ୍ତ ରୋଡ୍ ସୋ’ରେ ଆସି ସେଠାରେ ମେଟ୍ରୋ ପ୍ରକଳ୍ପ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଏୟାରପୋର୍ଟ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ରୋଡ୍‌-ସୋରେ ଯାଇ କ୍ୟାପିଟାଲ ହସ୍ପିଟାଲ ଛକ, ୧୨୦ ବ୍ୟାଟାଲିୟାନ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଲ୍‌ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଇଣ୍ଡିଆନ ଅଏଲ ଛକ, କିଟ୍ ଛକ, ନନ୍ଦନ ବିହାର ଓ ରଘୁନାଥପୁରଠାରେ ଉପସ୍ଥିତ ଜନତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେଠାରୁ ସେ ବାରଙ୍ଗ ଛକ ଓ ଫୁଲପୋଖରୀ ଛକରେ ଲୋକଙ୍କୁ ଶୁଭେଚ୍ଛା ଜଣାଇ ବାରଙ୍ଗ ରତାଗଡ଼ଠାରେ ପହଞ୍ଚି ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଶେଷରେ ସେ କହିଥିଲେ ଯେ ମେଟ୍ରୋ ରେଳ ପ୍ରକଳ୍ପକୁ ଖୋର୍ଦ୍ଧା, ପୁରୀ ଓ କଟକ ସହରକୁ ସଂପ୍ରସାରଣ କରିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏକ ନୂଆ ଓଡିଶା ସଶକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

Related story