Advertisment

୪ ବର୍ଷ ତଳେ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ; ଏଯାଏ ସହବାସୀ ପାଇଲେନି ପାଣି

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରରେ ଜାନିବିଲି ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଆଉ କହିଥିଲେ, ଏବେ ଜାନିବିଲି ପାଣି ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳ ଲୋକଙ୍କୁ ମିଳିବ।

author-image
Manoranjan Sial
Water

Water

ପାଇପ୍‌ ଲାଗିଛି। କନେକ୍‌ସନ ମଧ୍ୟ ହୋଇଛି। ହେଲେ ପାଣି ଆସୁନି। ବର୍ଷେ କି ଦୁଇ ବର୍ଷ ନୁହେଁ, ୨୦୧୯ ମସିହାରୁ ଏମିତି ଅବସ୍ଥା। ଗଞ୍ଜାମ ଜିଲ୍ଲାର ବହୁ ପ୍ରତୀକ୍ଷିତ ଜାନିବିଲି ଜଳ ଯୋଗାଣ ପ୍ରକଳ୍ପର ଇଏ ହେଉଛି ବାସ୍ତବ ଚିତ୍ର। ବ୍ରହ୍ମପୁର ସହରର ବିଭିନ୍ନ ସାହିରେ ବର୍ଷ ବର୍ଷ ଧରି ଏମିତି ପାଇପ୍ ଲାଗିଛି। ହେଲେ ପାଣି ଆସୁନି। ପାଣି ଆସିବା ତ ଦୂରର କଥା ଏଠି ଟେଷ୍ଟିଂ ମଧ୍ୟ କରାଯାଇନି। ଆଉ ଏବେ ସହରର ବିଭିନ୍ନ ଛକରେ ଚାଲିଛି ମରାମତି କାମ। କେଉଁଠି ଖୋଳାଖୋଳି ଚାଲିଛି ତ ଆଉ କେଉଁଠି ପାଇପ୍ ବିଛା ଯାଉଛି। ସହର ସାରା କାମ ଚାଲିଛି ଯେ ଚାଲିଛି, ସରିବାର ନାଁ ଧରୁନି।

Advertisment

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରରେ ଜାନିବିଲି ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଆଉ କହିଥିଲେ, ଏବେ ଜାନିବିଲି ପାଣି ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳ ଲୋକଙ୍କୁ ମିଳିବ। କିନ୍ତୁ ପାଣି କଥା ଛାଡ଼ନ୍ତୁ, ଏଯାଏଁ ସବୁ ଘରକୁ ପାଇପ ମଧ୍ୟ ପହଞ୍ଚି ପାରିନି। ଇତି ମଧ୍ୟରେ ଉଦଘାଟନକୁ ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ସୁଫଳ ପାଇବାରୁ ବଞ୍ଚିତ ସହରବାସୀ। ଯେଉଁଥିପାଇଁ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

୨୦୧୬ ମସିହାରେ ଗ୍ରେଟର ବ୍ରହ୍ମପୁରକୁ ଜଳ ଯୋଗାଣ ପାଇଁ ଜାନିବିଲି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ୨୦୧୮ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଥିଲା। ପାଇପ ବିଛାଇବା ପାଇଁ ୩୭୨ କୋଟି ଓ ରକ୍ଷଣାବେକ୍ଷଣ ପାଇଁ ୫୮ କୋଟି ୬୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ହେଲେ ଏବେ ଯାଏଁ କାମ ସାରିପାରିନି ନିର୍ମାଣ ଦାୟିତ୍ୱରେ ଥିବା L&T ସଂସ୍ଥା। ବିଡ଼ମ୍ବନାର କଥା ହେଲା, ପ୍ରକଳ୍ପ କାମ ସରିନଥିଲେ ମଧ୍ୟ ୨୦୧୯ରୁ ୨୦୨୨ ଯାଏଁ ଅପରେସନ ଓ ମେଣ୍ଟେନାନ୍ସ ବାବଦକୁ କଂପାନୀକୁ ଦିଆଯାଇଛି ୫ କୋଟି ଟଙ୍କା। ତେବେ କାମ ନସରୁଣୁ ମେଣ୍ଟେନ୍ସ ଟଙ୍କା କାହିଁକି ଦିଆଗଲା? ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ସଂପର୍କରେ L&T ର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ବ୍ରହ୍ମପୁର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମୁଖ୍ୟ ଦେବଦତ୍ତ ସାହୁ କହିଛନ୍ତି, ୧୨ ବର୍ଷ ପାଇଁ ମେଣ୍ଟେନାନ୍ସ ବାବଦକୁ L&Tକୁ ୫୮ କୋଟିରୁ ଅଧିକ ଟଙ୍କା ଦିଆଯିବାର ଥିଲା। ସେଥିରୁ ଏବେ ୫ କୋଟି ଦିଆଯାଇଛି। ଉଦଘାଟନ ପରେ କିଛି ଅଞ୍ଚଳକୁ ଜଳ ଯୋଗାଣ ଆରମ୍ଭ ହୋଇଛି। ଧୀରେ ଧୀରେ ପ୍ରକଳ୍ପ ଶେଷ ହେବ ବୋଲି ସେ କହିଛନ୍ତି।

ଅପରପକ୍ଷରେ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପୂର୍ବରୁ ମେଣ୍ଟେନାନ୍ସ ଟଙ୍କା ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମାଜିକ କର୍ମୀ। ଏନେଇ ଅଡିଟ୍ ବେଳେ ଜଣାପଡ଼ିବା ପରେ ଆକାଉଣ୍ଟ ଜେନେରାଲ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିା

ବ୍ରହ୍ମପୁର ଓ ପୁରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ପାଣି ସମସ୍ୟା କାହିଁ କେତେ ଦଶନ୍ଧିରୁ ଲାଗି ରହିଛି। ଜାନିବିଲି ପ୍ରକଳ୍ପ ଦ୍ୱାରା ଏହାର ସମାଧାନ ହେବ ବୋଲି ସ୍ୱପ୍ନ ଦେଖାଇଥିଲେ ସରକାର। ହେଲେ ୨୦୧୯ ନିର୍ବାଚନ ସରି ୨୦୨୪ ଆସିବାକୁ ବସିଲାଣି। ହେଲେ ପ୍ରକଳ୍ପ କାମ କିନ୍ତୁ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି।

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Drinking Water Problem