Advertisment

କାଳିଆ ଦର୍ଶନ ପାଇଁ ଭିଡ଼ ଅସମ୍ଭାଳ; କ୍ଷୋଭ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ

ଭକ୍ତ ଓ ଭଗବାନ ମଧ୍ୟରେ ଦୂରତା ଅଧିକ ନ ଥିଲେ ବି ତାହାକୁ ଅତିକ୍ରମ କରିବାକୁ ଲାଗି ଯାଉଛି ଘଣ୍ଟା ଘଣ୍ଟା ସମୟ। ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରବେଶ ପାଇଁ ଲମ୍ବିଛି ଲମ୍ବା ଧାଡ଼ି ।

Puri

Puri

Advertisment

କାଳିଆ ଦର୍ଶନ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଅସମ୍ଭାଳ ଭିଡ଼ । ଭକ୍ତ ଓ ଭଗବାନ ମଧ୍ୟରେ ଦୂରତା ଅଧିକ ନ ଥିଲେ ବି ତାହାକୁ ଅତିକ୍ରମ କରିବାକୁ ଲାଗି ଯାଉଛି ଘଣ୍ଟା ଘଣ୍ଟା ସମୟ। ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରବେଶ ପାଇଁ ଲମ୍ବିଛି ଲମ୍ବା ଧାଡ଼ି । ଅଥଚ ଘଣ୍ଟା ଘଣ୍ଟା ପରେ ବି ଲୋକେ ମନ୍ଦିରରେ ପ୍ରବେଶ କରି ପାରୁ ନାହାନ୍ତି। 

Advertisment

ଏପରି ସ୍ଥିତି ଗତ କିଛି ଦିନ ହେବ ଲାଗିଥିବା ବେଳେ ଠେଲାପେଲା ପରିସ୍ଥିତି ବି ଉପୁଜିଥିଲା। ତଥାପି ପରିସ୍ଥିତି ସୁଧୁରିନି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ।

ଆଜି କାର୍ତ୍ତିକ ମାସ ଶେଷ ସୋମବାର ହୋଇଥିବା ବେଳେ ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ସକାଳୁ ଆସିଥିବା ଭକ୍ତ ଦିନ ୧୦ଟା ଯାଏ ଲାଇନ୍‌ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ସିଂହଦ୍ୱାର ସମ୍ମୁଖରୁ ମାର୍କେଟ ଛକ ଯାଏଁ ଲୋକେ ଗୋଟେ ପରେ ଗୋଟେ ବ୍ୟାରିକେଡରେ ରହିଛନ୍ତି। ପୁରୁଷ, ମହିଳା, ବୟସ୍କ, ଛୁଆ ସମସ୍ତେ ଏହି ଭିଡ଼ରେ ଫସିଛନ୍ତି।

Advertisment

ଭିଡ଼ ଭିତରେ ଲୋକେ ଗରମରେ ଛଟପଟ ହେଉଥିବା ବେଳେ ପାଣି ଟୋପେ ପାଇ ପାରୁ ନାହାନ୍ତି। ଯିଏ ଯେମିତି ପାରିଲା ସେମିତି ଆଶ୍ରୟ ନେଲା, ଥକି ଗଲେ ରାସ୍ତା ଉପରେ ହିଁ ବସି ପଡ଼ୁଥିବା ଦେଖିବାକୁ ମିଳୁଛି। ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ମହିଳା, ବୟସ୍କ ଏବଂ ଛୋଟ ଛୋଟ ପିଲା। ଫଳରେ ବାହାର ରାଜ୍ୟର ଭକ୍ତ ଜଗନ୍ନାଥ ଦର୍ଶନ କରିବାକୁ ଆସି ଖୁବ୍‌ ହଇରାଣ ହେଉଥିବା କହି ଅସନ୍ତୋଷ ଝାଡ଼ୁଛନ୍ତି। 

ଆଜି ଗୋଟିଏ ଦିନ ନୁହେଁ ମାସ ମାସ ଧରି ଏମିତି ଭିଡ଼ ହେଉଥିବା ସତ୍ତ୍ୱେ କାହାର ଯେପରି ଏଥିପ୍ରତି ନିଘା ନାହିଁ। ଶ୍ରୀମନ୍ଦିରରେ ଏବେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ। ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ ହେତୁ ଅନ୍ୟ ତିନି ଦ୍ୱାର ବନ୍ଦ ଥିବାରୁ ଏପରି ସ୍ଥିତି ଉପୁଜୁଥିବା କୁହାଯାଉଛି।

ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରିବା ପାଇଁ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ପ୍ରସଙ୍ଗରେ ଅତି ସମ୍ବେଦନଶୀଳ ହୋଇଛନ୍ତି ବିଶ୍ୱଭୂଷଣ ।

ସେ କହିଛନ୍ତି ମହାପ୍ରଭୁ ଓ ଭକ୍ତଙ୍କ ମଧ୍ୟରେ ଏଭଳି ପ୍ରତିବନ୍ଧକ ସୃଷ୍ଟି କରିବା ଅନ୍ୟାୟ । ଘଣ୍ଟାଘଣ୍ଟା ଧାଡ଼ିରେ ଛିଡ଼ା ହୋଇଥିବା ଭକ୍ତଙ୍କ ମୌଳିକ ସମସ୍ୟା କଥା ଉଠାଉଛନ୍ତି ଛତିଶଗଡ଼ ରାଜ୍ୟପାଳ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଭକ୍ତ ଦର୍ଶନ ପାଇଁ ତିନି ଦ୍ୱାରରେ ବ୍ୟବସ୍ଥା କରି ଗୋଟିଏ ଦ୍ୱାର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ବନ୍ଦ ରଖିଲେ ସରୁଖୁରୁରେ ଭକ୍ତ ଦର୍ଶନ କରିପାରନ୍ତେ । ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଡହଳ ବିକଳ ସ୍ଥିତି ଦେଖି ଅତ୍ୟନ୍ତ ଭଙ୍ଗି ପଡ଼ିଛନ୍ତି ବିଶ୍ୱଭୂଷଣ । ତେବେ ସେବାୟତ ନୀତି ବିଳମ୍ବ କରିବା ଯୋଗୁ ଭକ୍ତଙ୍କ ଅସୁବିଧା ହେଉଥିବା ପ୍ରସଙ୍ଗ ବି ସେ ଉଠାଇଛନ୍ତି ।

ଏମିତି କି ଶ୍ରୀଜିଉଙ୍କୁ ଉପାସରେ ରଖିବା ପ୍ରସଙ୍ଗରେ ମଧ୍ୟ ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଶାସନ ଚାହିଁଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ମଧ୍ୟ ନିଜେ ଏକ ଦୈନିକ ଖବର କାଗଜରେ ଲେଖିଥିବା ଆର୍ଟିକିଲରେ କହିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ । ଏହାସହ ସେ ଉତ୍କଳମଣିଙ୍କ ଉକ୍ତିକୁ ମଧ୍ୟ ଆଲେଖରେ ସାମିଲ କରି ଲେଖିଛନ୍ତି ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟ ନାରାୟଣ ।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe