ଝିଅ କରିବ ବାଲି ତୃତୀୟା ଓଷା। ଏଥିପାଇଁ ବାପା ମନି ଅର୍ଡରରେ ୧୦୦୦ ଟଙ୍କା ଝିଅର ଶ୍ୱଶୁର ଘରକୁ ପଠାଇଥିଲେ। ହେଲେ ୮୦ କିଲୋମିଟର ଦୂରରେ ରହୁଥିବା ଝିଅ ପାଖରେ ଏହି ମନି ଅର୍ଡର ପହଞ୍ଚିବା ପାଇଁ ଲାଗିଥିଲା ୫ବର୍ଷ। ଯାହାକୁ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ପ୍ରକାଶ କରିପାରନ୍ତି, ହେଲେ ଘଟଣାଟି ସତ। ଏପରି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ପୁରୀ ଜିଲ୍ଲାରେ।
ପୁରୀ ନିକଟସ୍ଥ ବୀର ନରସିଂହପୁର ଗାଁର ପ୍ରକାଶ ରଥ ନିଜ ଝିଅ ପ୍ରିୟମ୍ବଦାଙ୍କୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପାଟଳଦା ପଂଚାୟତ ଆଦିକନ୍ଦପୁର ଶାସନ ଗ୍ରାମରେ ରହୁଥିବା ସୁଧୀରି କୁମାରଙ୍କୁ ବିବାହ ଦେଇଥିଲେ। ଝିଅର ବାଲି ତୃତୀୟା ଓଷା ପାଇଁ ତାର ଶ୍ୱଶୁର ଘରକୁ ୧୦୦୦ ଟଙ୍କାମନି ଅର୍ଡରରେ ପଠାଇଥିଲେ। ପ୍ରକାଶ ୨୦୧୮ ମସିହା ଅଗଷ୍ଟ୨୪ ତାରିଖରେ ଏହି ଟଙ୍କା ପଠାଇଥିଲେ। ଏନେଇ ପ୍ରକାଶ ଝିଅକୁ ଫୋନ୍ ଯୋଗେ କହିଥିଲେ।
ବାପା ମନି ଅର୍ଡରରେ ପଠାଇଥିବା ପଇସାକୁ ଝିଅ ଅନାଇ ବସିଥିଲା। କାରଣ ବାପାର ପାଇସାରେ ସେ ବତ୍ର ଜିନିଷ କିଣିବ। ହେଲେ ଝିଅ ପାଖରେ ବାପା ପଠାଇଥିବା ଟଙ୍କା ପହଞ୍ଚି ନଥିଲା। ବାଲି ତୃତୀୟା ଓଷା ପରେ ମଧ୍ୟ ସେହି ଟଙ୍କା ଆସିନଥିଲା। ପ୍ରିୟମ୍ବଦାଙ୍କ ସ୍ୱାମୀ ସୁଧୀର ସ୍ଥାନୀୟ ପୋଷ୍ଟ ଅଫିସ ଓ ପୁରୀ ପୋଷ୍ଟ ଅଫିସରେ ଏନେଇ ପଚରାଉଚରା କରିଥିଲେ। ହେଲେ କୌଣସି ଉତ୍ତର ପାଇନଥିଲେ। ବାଧ୍ୟ ହୋଇ ସୁଧୀରି ଚୁପ୍ ହୋଇ ରହିଥିଲେ।
ହେଲେ ୫ବର୍ଷ ପରେ ପ୍ରିୟମ୍ବଦାଙ୍କ ପାଖରେ ଗତ ଚାରି ତାରିଖରେ ଏହି ମନିଅର୍ଡର ପହଞ୍ଚିଛି। ପୋଷ୍ଟ ପିଅନ ତାଙ୍କୁ ମନି ଅର୍ଡରରେ ଆସିଥିବା ୧୦୦୦ଟଙ୍କା ପ୍ରିୟମ୍ବଦାଙ୍କୁ ପ୍ରଦାନ କରିଛନ୍ତି। ଡେରିରେ ହେଉ ପଛେ ଟଙ୍କା ପହଞ୍ଚିଥିବାରୁ ସୁଧୀରି ଓ ତାଙ୍କ ସ୍ତ୍ରୀ ପ୍ରିୟମ୍ବଦା ଖୁସି ଅନୁଭବ କରିଛନ୍ତି। ପ୍ରିୟମ୍ବଦାଙ୍କ ବାପ ଘରଠାରୁ ତାଙ୍କ ଶ୍ୱଶୁର ଘରର ଦୂରତା ୮୦ କିଲୋମିଟର। ଏହି ଘଟଣା ସାମ୍ନାକୁ ଆସିବା ପରେ ଅସ୍ତରଙ୍ଗରେ ଚର୍ଚ୍ଚାର ବିଷୟ ପାଲଟିଛି।
ସାଧାରଣତଃ ବ୍ରାହ୍ମଣ ସଂପଦାୟର ମହିଳାମାନେ ଭାଦ୍ରବ ମାସରେ ବାଲିତୃତୀୟ ଓଷା ପାଳନ କରନ୍ତି। ଏଥିପାଇଁ ମହିଳା ମାନଙ୍କ ବାପଘରୁ ବାଲିତୃତୀୟା ଓଷା ପାଇଁ ଭାର ଆସିଥାଏ। ହେଲେ ପ୍ରିୟମ୍ବଦାଙ୍କ ବାପଘରୁ ଆସିଥିବା ଭାର ପହଂଚିବାକୁ ପାଞ୍ଚ ବର୍ଷ ଲାଗିବା ଘଟଣାରେ ତାଙ୍କ ପରିବାର ଲୋକେ ଡାକ ବିଭାଗକୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ କୌଣସି ବୈଷୟିକ ତ୍ରୁଟି ପାଇଁ ଏଭଳି ବିଳମ୍ବ ହୋଇଥିବା ସ୍ଥାନୀୟ ପୋଷ୍ଟ ମାଷ୍ଟର କହିଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।