Advertisment

ବଂଚିତ ବର୍ଗ ଓ କଳାକାରଙ୍କୁ ଭଣ୍ଡେଇଲେ ସରକାର: ଭତ୍ତା ପରିମାଣ ବଢ଼ାଇଲେନି, ହିତାଧିକାରୀ ବଢ଼ିବେ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଗତ ମଧୁବାବୁ ପେନସନ୍ ଯୋଜନାରେ ଆଉ ୪ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ।

undefined

Loka Seva Bhavan

Advertisment

ରାଜ୍ୟର ଦୁଃସ୍ଥ ସ୍ଥିତିରେ ଥିବା କଳାକାରମାନଙ୍କ ସମେତ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ ଆଦି ବଂଚିତ ବର୍ଗ ଖୁବଶୀଘ୍ର ଖୁସି ଖବର ପାଇବେ ବୋଲି ରାଜ୍ୟ ସରକାର ଦେଇଥିବା ଆଶ୍ୱାସନା ଏବେ ଲଲିପପ୍ ଭଳି ହୋଇଛି। ରାଜ୍ୟ ସରକାର ସିଧାସଳଖ ଏହି ବଂଚିତ ବର୍ଗଙ୍କୁ ଭଣ୍ଡେଇଛନ୍ତି। ଏହି ବର୍ଗର ଲୋକମାନେ ପାଉଥିବା ସରକାରୀ ମାସିକ ଭତ୍ତା ପରିମାଣକୁ ସରକାର ବଢ଼ାଇବେ ବୋଲି କରିଥିବା ଘୋଷଣାରୁ ଏବେ ନିଜେ ଓହରି ଯାଇଛନ୍ତି। ଆଉ ହିତାଧିକାରୀ ସଂଖ୍ୟା ବଢ଼ିବ ବୋଲି କହିଛନ୍ତି, ଯାହାକି ସମାଜର ଏହି ଗରିବ ବର୍ଗର ଲୋକଙ୍କ ପାଇଁ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଗତ ମଧୁବାବୁ ପେନସନ୍ ଯୋଜନାରେ ଆଉ ୪ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ। ଏହାଦ୍ୱାରା ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ରୁ ୩୬.୭୫ ଲକ୍ଷକୁ ବୃଦ୍ଧି ପାଇବ। ଏ ବାବଦରେ ରାଜ୍ୟ ସରକାର ମାସକୁ ୧୯୦.୨୦କୋଟି ଟଙ୍କା ଖର୍ଚ୍ଚ କରିବେ। ଗତ ଅଗଷ୍ଟରେ ଅଧିକ ୪.୧୩ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିଥିଲେ। ଏହି ଯୋଜନାରେ ଛୋଟ ପିଲାଠାରୁ ୭୯ବର୍ଷ ପର୍ଯ୍ୟନ୍ତ ହିତାଧିକାରୀମାନେ ମାସକୁ ୫୦୦ଟଙ୍କା ପାଇଥାନ୍ତି।

Advertisment

୮୦ବର୍ଷରୁ ଅଧିକ ବୟସର ଲୋକ ମାସକୁ ୭୦୦ଟଙ୍କା ପାଆନ୍ତି। ସେହିପରି ଭିନ୍ନକ୍ଷମ ବ୍ୟକ୍ତି ମାସକୁ ୫୦୦ଟଙ୍କାରୁ ୯୦୦ଟଙ୍କା ପର୍ଯ୍ୟନ୍ତ ମାସିକ ଭତ୍ତା ପାଇଥାନ୍ତି । ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା,ସୁସ୍ଥ ହୋଇଥିବା କୁଷ୍ଠ-ଏଡସ୍ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର ଓ କୋଭିଡ୍ ଅନାଥ ପିଲାମାନେ ଏହି ଯୋଜନାରେ ମାସିକ ଭତ୍ତା ପାଉଛନ୍ତି।

ସେହିପରି ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ ଆଉ ୩୦ହଜାର କଳାକାରକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୫୦ରୁ ୮୦ହଜାରକୁ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ଅଧିକ ୩୦ହଜାର କଳାକାର ଏଥିରେ ଉପକୃତ ହେବେ। ଏବେ କଳାକାରମାନଙ୍କୁ ମାସିକ ୧୨୦୦ଟଙ୍କା ସହାୟତା ରାଶି ମିଳୁଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ଫାଇଭ-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ମିଳିଥିବା ଅନୁରୋଧ ଆଧାରରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ, ଗରିବଙ୍କ ମାସିକ ଭତ୍ତା ପରିମାଣ ବୃଦ୍ଧି ସହ କଳାକାରଙ୍କ ଭତ୍ତା ବଢ଼ିବାର ଖୁସି ଖବର ଖୁବଶୀଘ୍ର ମିଳିବ ବୋଲି ନିଜେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଘୋଷଣା କରିଥିଲେ ମଧ୍ୟ ଏବେ କେବଳ ହିତାଧିକାରୀ ସଂଖ୍ୟା ବଢ଼ିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

BjD Indian Artistic
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe