Advertisment

ନୂଆ ଯୋଜନା ଆଳରେ ମତ୍ସ୍ୟଜୀବୀଙ୍କୁ ଭଣ୍ଡେଇଲେ ସରକାର

ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି।

author-image
Ordigital Desk
Fishermen

Fishermen

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ମତ୍ସ୍ୟଜୀବୀ ପରିବାରଗୁଡ଼ିକୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି ରାଜ୍ୟ ସରକାର। ନୂଆ ବୋତଲରେ ପୁରୁଣା ମଦ ଭଳି ମତ୍ସ୍ୟଜୀବୀଙ୍କ ନିମନ୍ତେ ୨୦୨୨-୨୩ରେ କାର୍ଯ୍ୟକ୍ଷମ ଥିବା ଯୋଜନାଗୁଡ଼ିକୁ ଆଜି ନୂଆ ନାଁ ‘ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ରେ ଲୋକାର୍ପଣ ହୋଇଛି। ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଚଳିତବର୍ଷ ୪୪୮କୋଟି ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପ୍ରାୟ ଏକ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ, ୫୦ହଜାରରୁ ଅଧିକ ମତ୍ସ୍ୟଚାଷୀ ଓ ୧୧ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟରେ ଗତ ୨୦ବର୍ଷ ଭିତରେ ମତ୍ସ୍ୟ ଉତ୍ପାଦନ ୪ଗୁଣ ବୃଦ୍ଧି ପାଇଛି। ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ୪୫୦୦କୋଟି ଟଙ୍କାରେ ପହଂଚିଛି। ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇ ଓଡ଼ିଶା ମତ୍ସ୍ୟନୀତି-୨୦୧୫ ଓ ଓଡ଼ିଶା ଜଳଭଣ୍ଡାର ମତ୍ସ୍ୟନୀତି-୨୦୧୨ ଆଣିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ। ଓଡ଼ିଶା ଏବେ ମାଛ ଯାଆଁଳ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିଛି। ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ତାଙ୍କ ସରକାର କରୁଛି। ମତ୍ସ୍ୟଜୀବୀମାନଙ୍କ ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା, ରୋଜଗାର ଓ ପୁଷ୍ଟିକୁ ଅଧିକ ଗୁରୁତ୍ୱ ଦିଆଯାଇଛି ଅନେକ ପଦକ୍ଷେପ ନିଆଯାଇଛି।

ତେବେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ତଥ୍ୟ ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ନାଁରେ ଯେଉଁ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ସେଥିରେ ମୋଟ ୧୬ଟି କାର୍ଯ୍ୟକ୍ରମ ରହିଛି। ତେବେ ଏଥିରୁ ୧୨ଟି କାର୍ଯ୍ୟକ୍ରମ ୨୦୨୨-୨୩ ମସିହାରେ ଭିନ୍ନ ନାଁରେ କାର୍ଯ୍ୟକାରୀ ହେଉଥିଲା। ଚଳିତ ଆର୍ଥିକ ବର୍ଷରେ କେବଳ ସବୁ କାର୍ଯ୍ୟକ୍ରମକୁ ମିଶାଇ ଦେଇ ବିଭାଗ ତା’ର ଗୋଟିଏ ନାଁ ଦେଇଛି, ଯାହାକୁ ମୁଖ୍ୟମନ୍ତ୍ରୀ ଆଜି ଶୁଭାରମ୍ଭ କରିଥିବା ଜଣାପଡ଼ିଛି।

Advertisment

ଉଦାହରଣସ୍ୱରୂପ ମତ୍ସ୍ୟଜୀବୀଙ୍କ ପରିବାରର କୌଣସି ପିଲା ଦଶମ ଶ୍ରେଣୀ ପରୀକ୍ଷାରେ ୫୦ରୁ ୫୯% ମାର୍କ ରଖିଲେ ତାଙ୍କୁ ୩ହଜାର ଟଙ୍କା, ୬୦ରୁ ୭୦ % ରଖିଲେ ୫ହଜାର ଟଙ୍କା ଓ ୭୦%ରୁ ଅଧିକ ରଖିଲେ ୭୫୦୦ଟଙ୍କା ପ୍ରୋତ୍ସାହନ ରାଶି ସରକାର ଦେଉଥିଲେ । ୨୦୨୩-୨୪ରେ ଦଶମ ଶ୍ରେଣୀ ପାସ୍ ଛାତ୍ରଛାତ୍ରୀଙ୍କ ପ୍ରୋତ୍ସାହନ ରାଶିକୁ ସରକାର ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ନାଁରେ ଦଶମ ଶ୍ରେଣୀ ପରୀକ୍ଷାରେ ୬୦ରୁ ୭୦% ମାର୍କ ରଖିଥିବା ମତ୍ସ୍ୟଜୀବୀ ପରିବାରର ଛାତ୍ରଛାତ୍ରୀଙ୍କୁ ୧୦ହଜାର ଟଙ୍କା, ୭୦ରୁ ୮୦% ମାର୍କ ରଖିଲେ ୧୫ହଜାର ଟଙ୍କା ଓ ୮୦%ରୁ ଅଧିକ ମାର୍କ ରଖିଲେ ୨୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ସରକାର ଯୋଗାଇ ଦେବାର ପ୍ରାବଧାନ ରହିଛି ।

ଏଭଳି ନୂଆ ଯୋଜନା କେବଳ ନୂଆ ବୋତଲରେ ପୁରୁଣା ମଦ ସଦୃଶ ଓ ମତ୍ସ୍ୟଜୀବୀ ପରିବାରଗୁଡ଼ିକୁ ଭଣ୍ଡେଇବା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Indian Fishermen