Advertisment

ଲୋକସେବା ଭବନର ହେବ ନବକଳେବର, ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛି ଓବିସିସି

ଦୀର୍ଘ ୬୮ବର୍ଷ ପୁରୁଣା ରାଜ୍ୟ ସଚିବାଳୟର ନାମ ପରିବର୍ତ୍ତନ କରି ତତକାଳୀନ ବିଜେଡି ସରକାର ୨୦୧୯ ଜୁଲାଇ ୨୯ତାରିଖରେ ‘ଲୋକସେବା ଭବନ’ର ନାଁ ଦେଇଥିଲେ । ଲୋକସେବା ଭବନରୁ କିଛି ବିଭାଗକୁ ନୂଆ କୋଠା ‘ଖାରବେଳ ଭବନ’କୁ ମଧ୍ୟ ସ୍ଥାନାନ୍ତର କରାଇଥିଲେ ।

LokaSeva Bhaban

Loka Seva Bhawan

Advertisment

ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ଭାବେ ପରିଚିତ ଲୋକସେବା ଭବନ ବା ସଚିବାଳୟର ନବକଳେବର ହେବ । ନୂଆ ଲୋକସେବା ଭବନ ନିର୍ମାଣ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇ ଏହାର ପରିବର୍ଦ୍ଧିତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି)କୁ ନିର୍ଦ୍ଦେଶ ଦେଇଛନ୍ତି ।  ସଚିବାଳୟ, ରାଜୀବ ଭବନ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ଖାରବେଳ ଭବନ, କୃଷି ଭବନ ଆଦି ଅଂଚଳକୁ ମିଶାଇ ଏହି ନୂଆ ଲୋକସେବା ଭବନ କମ୍ଲେକ୍ସ ତିଆରି ହେବ ବୋଲି ଜଣାପଡ଼ିଛି ।

Advertisment

ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, “ନୂଆ ଲୋକସେବା ଭବନ ନିର୍ମାଣ କରିବା ନିମନ୍ତେ ତା’ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଓବିସିସିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ମାଷ୍ଟର ପ୍ଲାନଟି ଅନୁମୋଦନ ହେଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବ୍ୟୟ ଅଟକଳ କରି ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ବର୍ତ୍ତମାନର ଲୋକସେବା ଭବନ କୋଠା ୬୮ବର୍ଷ ପୁରୁଣା ଓ ଏବେ ପାର୍କିଂ ସମସ୍ୟା ଗୁରୁତର ହେଉଛି ବୋଲି ଶ୍ରୀ ହରିଚନ୍ଦନ ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ।

ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ନୂଆ ଲୋକସେବା ଭବନ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କାର୍ଯ୍ୟ ଓବିସିସିକୁ ଦିଆଯାଇଛି । ଲୋକସେବା ଭବନର ଅର୍ଥାତ୍  ଷ୍ଟେଟବ୍ୟାଙ୍କ ଶାଖା ଓ କ୍ୟାଣ୍ଟିନ ଥିବା ଅଂଚଳକୁ ସିଧାସଳଖ ସେଚ ସଦନ ଓ ଖାରବେଳ ଭବନ ସହ ଯୋଡ଼ିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଛି । ମଝିରେ ଥିବା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସେଠାରୁ ସ୍ଥାନାନ୍ତର କରାଯିବ । ଭୁବନେଶ୍ୱର କ୍ଲବ ପାଖ ଟ୍ରାଫିକଠାରୁ ସଚିବାଳୟ ପଛପଟ ରାସ୍ତା ଦେଇ ପାୱାରହାଉସ୍ ଛକ ପର୍ଯ୍ୟନ୍ତ ଥିବା ସମସ୍ତ ଅଂଚଳକୁ ସମ୍ମିଳିତ କରାଯାଇ ଏହି ଲୋକସେବା ଭବନ କମ୍ଲେକ୍ସ ପ୍ରସ୍ତୁତ କରାଯିବାକୁ ଯୋଜନା ଚାଲିଛି । ଲୋକସେବା ଭବନର ପୁରୁଣା କୋଠାକୁ ମଧ୍ୟ ଭଙ୍ଗାଯିବ ବୋଲି ସୂଚନା ମିଳିଛି ।

Advertisment

ଏହି କମ୍ପଲେକ୍ସ ମଧ୍ୟରେ ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା ସହ ପିଲାମାନଙ୍କ ପାଇଁ କ୍ରେଚ୍ ଓ କର୍ମଚାରୀଙ୍କ ସୁବିଧା ପାଇଁ ପାର୍କ, ଜିମ୍ ଆଦି ସହ ଡିପାର୍ଟମେଂଟାଲ ଷ୍ଟୋର ଆଦି ରହିବ । ଏହି ସମଗ୍ର ଅଂଚଳକୁ ସୌରଶକ୍ତି ଚାଳିତ କରିବାକୁ ମଧ୍ୟ ମାଷ୍ଟର ପ୍ଲାନରେ ଗୁରୁତ୍ୱ ଦିଆଯାଇଛି । ସବୁଜ ଭବନ ନୀତି ଅନୁଯାୟୀ ଇନର୍ଜି ସଂଚୟ ଏବଂ ପରିବେଶ ସମ୍ରକ୍ଷଣ ଉପରେ ଗୁରୁତ୍ୱ । ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନବକଳେବର ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଦୀର୍ଘ ୬୮ବର୍ଷ ପୁରୁଣା ରାଜ୍ୟ ସଚିବାଳୟର ନାମ ପରିବର୍ତ୍ତନ କରି ତତକାଳୀନ ବିଜେଡି ସରକାର ୨୦୧୯ ଜୁଲାଇ ୨୯ତାରିଖରେ ‘ଲୋକସେବା ଭବନ’ର ନାଁ ଦେଇଥିଲେ । ଲୋକସେବା ଭବନରୁ କିଛି ବିଭାଗକୁ ନୂଆ କୋଠା ‘ଖାରବେଳ ଭବନ’କୁ ମଧ୍ୟ ସ୍ଥାନାନ୍ତର କରାଇଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe