‘ସୁଭଦ୍ରା’ ଗାଇଡଲାଇନରେ ସଂଶୋଧନ: ୨.୬୭ଲକ୍ଷ ଖାରଜ ଆବେଦନର ହେବ ପୁନଃବିଚାର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ‘ସୁଭଦ୍ରା ଗାଇଡଲାଇନ’ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ମନ୍ତ୍ରୀମାନେ

  • Published: Wednesday, 23 October 2024
  • , Updated: 23 October 2024, 04:50 PM IST

ରାଜ୍ୟର ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ଉଦ୍ଦେଶ୍ୟରେ ‘ସୁଭଦ୍ରା’ର ଗାଇଡଲାଇନରେ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ରାସନକାର୍ଡ (ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା) ଡାଟାବେସରେ ନିଶ୍ଚିତ ନାମ ଥିବାର ମାନଦଣ୍ଡକୁ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ଖାରଜ ହୋଇଥିବା ୨ଲକ୍ଷ ୬୭ହଜାର ଆବେଦନର ପୁନଃବିଚାର କରିବା ସରକାରଙ୍କ ପକ୍ଷେ ସମ୍ଭବପର ହୋଇପାରିବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ‘ସୁଭଦ୍ରା ଗାଇଡଲାଇନ’ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ମୋଟ ୧କୋଟି ୨ଲକ୍ଷ ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯାଇସାରିଛି । ବିଭିନ୍ନ କାରଣରୁ ୨ଲକ୍ଷ ୬୭ହଜାର ଆବେଦନ ଖାରଜ ହୋଇଯାଇଥିଲା । ଏହି ଖାରଜ ହୋଇଥିବା ଆବେଦନର ପରୀକ୍ଷାନିରୀକ୍ଷା କରାଯିବ । ସେଥିପାଇଁ ସୁଭଦ୍ରା ଯୋଜନାର ଗାଇଡଲାଇନରେ ସଂଶୋଧନ ଅଣାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ସୁଭଦ୍ରା ଯୋଜନାର ଗାଇଡଲାଇନରେ ‘ଇ-କେୱାଇସି’ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ(ଏନଏଫଏସଏ ଓ ଏସଏଫଏସଏ)ର ଡାଟାବେସକୁ ବିଚାରକୁ ନିଆଯାଉଥିଲା । ତେଣୁ ଖାଦ୍ୟ ସୁରକ୍ଷା ବା ରାସନାକାର୍ଡ ପାଇନଥିବା ବହୁ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ପାଇଁ ଆବେଦନ କରିବାବେଳେ ସେମାନଙ୍କର ଆବେଦନ ଖାରଜ ହୋଇଯାଇଥିଲା । ଯାହାକୁ ନେଇ ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏବେ ରାଜ୍ୟ ସରକାର ଓକାକ୍ ଦେଇଥିବା ଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ରାସନକାର୍ଡ ଡାଟାବେସରେ ମେଳ କରିବାର ମାନଦଣ୍ଡକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୪ ସେପ୍ଟେମ୍ବର ୮ରୁ ୧୩ତାରିଖ ପର୍ଯ୍ୟନ୍ତ ‘ଆଧାର’ ଇ-କେୱାଇସି ମଡ୍ୟୁଲରୁ ସୁଭଦ୍ରା ପୋର୍ଟାଲକୁ ଅଲଗା କରି ରାସନକାର୍ଡ ଡାଟାବେସ ମାଧ୍ୟମରେ ଇ-କେୱାଇସି ଯାଂଚ କରାଯାଇଥିଲା । ଏବେ ହିତାଧିକାରୀ ଚୟନ ପାଇଁ  ‘ଆଧାର’ ଇ-କେୱାଇସି ମଡ୍ୟୁଲକୁ ସରକାର ବ୍ୟବହାର କରିବେ ।  ଏହି ବୈଷୟିକ କାରଣ ପାଇଁ ଖାରଜ ହୋଇଥିବା ୨.୬୭ଲକ୍ଷ ଆବେଦନକାରୀଙ୍କ ଆବେଦନର ପରୀକ୍ଷାନିରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ ।

ସେହିପରି କ୍ୟାବିନେଟ୍ ଆଜି ନେଇଥିବା ନିଷ୍ପତ୍ତି ଅନୁସାରେ, ସୁଭଦ୍ରା ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ‘ସିବିଡିସି’କୁ ଏକ ମାଧ୍ୟମ ଭାବେ ସାମିଲ କରାଯିବ । ସୁଭଦ୍ରା ଯୋଜନା ପାଇଁ ସ୍ୱତନ୍ତ୍ର ଏଟିଏମ୍ ଅବା ଡେବିଟ୍ କାର୍ଡ ପ୍ରଦାନ କରାଯିବ ନାହିଁ । ସୁଭଦ୍ରା ଯୋଜନାକୁ ଅଧିକ ପାରଦର୍ଶୀ କରିବା ପାଇଁ ବ୍ଲକ ଓ ସହରାଂଚଳସ୍ତରୀୟ ଯାଂଚ କମିଟିର ଅଧ୍ୟକ୍ଷମାନଙ୍କ ଦ୍ୱାରା ଦୁଇଜଣ ମନୋନୀତ ସିଭିଲ ସୋସାଇଟି ପ୍ରତିନିଧିଙ୍କୁ ଅର୍ନ୍ତଭୁକ୍ତ କରାଯିବ । ଏଥିପାଇଁ ସୁଭଦ୍ରା ଗାଇଡଲାଇନରେ ଅନୁଚ୍ଛେଦ ୯.୧(ଙ,ଛ)ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Related story