/odisha-reporter/media/post_attachments/uploadimage/library/16_9/16_9_0/Eviction__1752140663.jpg)
Eviction
କିସ୍ ଓ କିଟ୍ କେତେ ସରକାରୀ ଜମି ମାଡ଼ି ବସିଛନ୍ତି? କେତେ ଘରୋଇ ଲୋକଙ୍କ ଜମିକୁ ରାସ୍ତା ନ ଛାଡ଼ି ଗେଟ୍ କରିଦେଇଛନ୍ତି? କେତେ ସରକାରୀ ଜମିରେ କିସ୍ର କାର ପାର୍କିଂ ସ୍ଥଳ ରହିଛି? କେତେ ସରକାରୀ ଜମିରେ ଜଗନ୍ନାଥ ମନ୍ଦିର ରଥ ଖଳା କରିଛନ୍ତି? ଏହାର ଅଧିକ ତଦନ୍ତ ପାଇଁ ଜିଏ ଓ ଇଡକୋ ମିଳିତ ଯାଞ୍ଚ୍ କରନ୍ତୁ ବୋଲି ଗୃହ ବିଭାଗ ନିକଟରେ ନିର୍ଦ୍ଦେଶ ଦେଇଥିଲେ। ସେହିକ୍ରମରେ ଜିଏ ବା ସାଧାରଣ ପ୍ରଶାସନ ବିଭାଗ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଏବେ ସଜାଗ ହୋଇଛନ୍ତି।
ଆଜି ଜିଏ ଓ ବିଡିଏର ଜଏଣ୍ଟ ଏଭିକସନ୍ ସ୍କାଡ୍ ପଟିଆ ଶିଶୁ ବିହାର ଅଂଚଳରେ ପ୍ଲଟ-୪୧୨ରେ କିଟ୍ ଦଖଲରେ ଥିବା ସରକାରୀ ଜମିରୁ ଉଚ୍ଛେଦ ଆରମ୍ଭ କରିଛି। ଏଠାରେ କିଟ୍ ପକ୍ଷରୁ କେତେକ ଛୋଟ ଷ୍ଟୋର ରୁମ୍ କରାଯାଇ ପାଚେରୀ ଘେରାଯାଇଥିଲା। ତା ଭିତରେ ବାଲି ବି ଜମା କରାଯାଇଥିଲା। ଗୁରୁବାର ପାଚେରୀ ଓ ଷ୍ଟୋର ରୁମଗୁଡ଼ିକୁ ମିଳିତ ସ୍କାଡ୍ ଭାଙ୍ଗି ଦେଇଥିବାବେଳେ ଆଗକୁ ସେହି ଅଂଚଳରେ ଅନ୍ୟ କିଛି ନିର୍ମାଣକୁ ବି ଭଙ୍ଗାଯିବ ବୋଲି ମାଇକ୍ ଯୋଗେ ଘୋଷଣା କରାଯାଇଛି। ଏହି ଅଂଚଳରେ ପ୍ରାୟ ଦେଢ଼ ଏକର ସରକାରୀ ଜମି ଜବରଦଖଲରେ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଅଭିଯାନ ଆସନ୍ତାକାଲି ମଧ୍ୟ ଜାରି ରହିବ ବୋଲି ଜିଏର ବରିଷ୍ଠ ଅଧିକାରୀ ଅମିୟ କୁମାର ଦାସ ଓ ବିଡିଏର ଅଧିକାରୀ ଦେବରାଜ ସେଠୀ କହିଛନ୍ତି।
୧୯୮୦ ଦଶକରେ ୨୦ରୁ ଅଧିକ ବରିଷ୍ଠ ନାଗରିକ ପଥରଗାଡ଼ିଆ ଅଂଚଳରେ ଜମି କିଣିବା ପରେ ଏହି ଜମିକୁ ଅଚ୍ୟୁତ ସାମନ୍ତଙ୍କ ସଂସ୍ଥା କିସ୍ ଓ କିଟ୍ ଜବରଦଖଲ କରିନେଇଛନ୍ତି ବୋଲି ବାରମ୍ବାର ଅଭିଯୋଗ ହୋଇଛି। ସରକାର ବଦଳିବା ପରେ ଗତ ମାର୍ଚ୍ଚ ମାସରେ ପୁଣି ଥରେ ଏଭଳି କିଛି ବରିଷ୍ଠ ନାଗରିକ ଇନଫୋସିଟି ଥାନାରେ ଏଫଆଇଆର କରିବା ପରେ ଦୁଇଟି କେସ୍ ଆଧାରରେ କମିଶନରେଟ୍ ପୋଲିସ୍ କିଟ୍ ଓ କିସ୍ କେତେ ଜମି ଅବରୋଧ କରିଛନ୍ତି ତାର ଯାଞ୍ଚ କରି ରିପୋର୍ଟ ଦେବାକୁ ରାଜସ୍ବ ଓ ବନ ବିଭାଗର ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଭୁବନେଶ୍ବର ଉପଜିଲ୍ଲପାଳଙ୍କ ରିପୋର୍ଟକୁ ଦେଖିଲେ, ପଥରଗାଡ଼ି ମୌଜାରେ କିସ୍ ଆଦିବାସୀ ବିଶ୍ବବିଦ୍ୟାଳୟ ମେନ ଗେଟ୍ ଆଗରେ ପୂର୍ବରୁ ଜଙ୍ଗଲ କିସମ ଜମି ଥିବାବେଳେ ଏହା ଏବେ ଆବାଦଯୋଗ୍ୟ ଅନାବାଦୀ ଜମିରେ ବଦଳି ଯାଇଛି। ଆଉ କିସ୍ ଏହି ଜମିରେ ପେଭର ବ୍ଲକ୍ ପକାଇ ପାର୍କିଂ ଏରିଆ ତିଆରି କରିଛି। ଏହି ଜମି ଆଗ ଓ ପଛରେ ଗେଟ୍ କରି କିଛି ଲୋକଙ୍କୁ ଯିବାକୁ ଦେଉନାହିଁ। ତଥାକଥିତ ରାସ୍ତା ଏବେ ଖାତାରେ ଜଙ୍ଗଲ ଜମି ଦେଖାଉଛି। ସେହି ଜମିକୁ ପରେ କେଉଁ ସଂସ୍ଥା ଲିଜ୍ ଦେଇଛି, ତାର ଅଧିକ ଯାଞ୍ଚ୍ ପାଇଁ ଜିଏ ଓ ଇଡକୋ ପକ୍ଷରୁ ମିଳିତ ଅନୁସନ୍ଧାନର ଆବଶ୍ୟକତା ରହିଛି ବୋଲି ଉପଜିଲ୍ଲାପାଳ ଲେଖିଥିଲେ। ତା’ ପରେ ଗୃହ ବିଭାଗ କିଟ୍ ଓ କିସ୍ କେତେ ସରକାରୀ ଜାଗା ମାଡ଼ିବସିଛନ୍ତି ତାର ମିଳିତ ତଦନ୍ତ କରି ରିପୋର୍ଟ ଦେବାକୁ ଜିଏ ଓ ଇଡକୋକୁ ଅନୁରୋଧ କରିଛି। ଉଚ୍ଛେଦ ସଂପର୍କରେ ଜାଣିବା ପାଇଁ ଆମେ କିଟର ମୁଖ୍ୟ ଲୋକସଂପର୍କ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ବି ଉତ୍ତର ମିଳିନାହିଁ।
ରିପୋର୍ଟ- ଲକ୍ଷ୍ମୀନାରାୟଣ କାନୁନଗୋ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
