ଏଣିକି ଉଧାର ମାତୃତ୍ୱ(ସରୋଗେସୀ) ଦ୍ୱାରା ମା’ ହେଉଥିବା ମହିଳା କର୍ମଚାରୀଙ୍କୁ ଏଣିକି ୧୮୦ଦିନ ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ମାତୃତ୍ୱ ଓ ପିତୃତ୍ୱ ଛୁୂଟି ମଳିବ । ରାଜ୍ୟ ଅର୍ଥ ବିଭାଗ ଆଜି ଏସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିବା ସହ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିଛି । ୨୦୧୧ ମସିହାରୁ ରାଜ୍ୟ ସରକାର ନିଜର ମହିଳା କର୍ମଚାରୀଙ୍କୁ ୧୮୦ଦିନର ମାତୃତ୍ୱ ଛୁଟି ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ପିତୃତ୍ୱ ଛୁଟି ସୁବିଧା ମିଳୁଛି । ସରୋଗେସୀ ପାଇଁ ରାଜ୍ୟ ସରକାରଙ୍କ ଏହି ନୂଆ ଛୁଟି ନିୟମ ଆଜିଠୁ କାର୍ଯ୍ୟକାରୀ ହେବ ।
ଅର୍ଥ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଣେ ରାଜ୍ୟ ମହିଳା କର୍ମଚାରୀ ଯଦି ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘ସରୋଗେଟ ମା’ ହୁଅନ୍ତି ତା’ହେଲେ ସେ ୧୮୦ଦିନ ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ତେବେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ସରୋଗେସି ଅଧିନିୟମ-୨୦୨୧ର ଧାରା ୪(ଖ)ରେ ପ୍ରଦତ୍ତ ସର୍ତ୍ତଗୁଡ଼ିକ ପୂରଣ କରିବାକୁ ପଡ଼ିବା ଦରକାର । ସେହିପରି ଯେଉଁ ମହିଳା କର୍ମଚାରୀ ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘କମିଶନିଂ ମଦର’ ହେଲେ ସେ ୧୮୦ଦିନର ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ହେବେ । କମିଶନିଂ ମଦର ଅର୍ଥାତ୍ ଜଣେ ଜୈବିକ ମାତା ଯିଏ ଅନ୍ୟଜଣେ ମହିଳାଙ୍କ ଗର୍ଭରେ ଭ୍ରୁଣ ପ୍ରତିରୋପଣ କରିବା ପାଇଁ ନିଜ ଡିମ୍ବାଣୁ ବ୍ୟବହାର କରନ୍ତି ବୋଲି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ସେହିପରି ଜଣେ ରାଜ୍ୟ ପୁରୁଷ କର୍ମଚାରୀ ଯଦି ୨ରୁ କମ୍ ଜୀବିତ ସନ୍ତାନ ଥାଇ କମିଶନିଂ ଫାଦର ହୁଅନ୍ତି ତାଙ୍କୁ ସନ୍ତାନ ଜନ୍ମ ତାରିଖରୁ ୬ମାସ ମଧ୍ୟରେ ୧୫ଦିନର ପିତୃତ୍ୱ ଛୁଟି ସୁବିଧା ମିଳିବ । କମିଶନିଂ ଫାଦର ଅର୍ଥାତ୍ ସରୋଗେସୀ ମାଧ୍ୟମରେ ଜନ୍ମିତ ସନ୍ତାନର ଜୈବିକ ପିତା ।
ଏହାସହିତ ସରୋଗେଟ୍ ମଦର ଓ କମିଶନିଂ ମଦର ରାଜ୍ୟ ସରକାରୀ କର୍ମଚାରୀ ହୋଇଥିବେ ତା’ହେଲେ ଉଭୟଙ୍କୁ ୧୮୦ଦିନର ମାତୃତ୍ୱ ଛୁଟି ସୁବିଧା ମିଳିବ । ମାତୃତୃ ଓ ପିତୃତ୍ୱ ଛୁଟି ସୁବିଧା ଲାଭ କରିବା ପାଇଁ ସରୋଗେଟ୍ ମଦର ଓ କମିଶନିଂ ଅଭିଭାବକ ମଧ୍ୟରେ ସରୋଗେସୀ ଉପରେ ହୋଇଥିବା ରାଜିନାମା ଓ ପଞ୍ଜିକୃତ ଡାକ୍ତର ଓ ଡାକ୍ତରଖାନାରୁ ପ୍ରାପ୍ତ ଚିକିତ୍ସା ସଂକ୍ରାନ୍ତ ଦସ୍ତାବିଜ ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।