Advertisment

ନଇଁଲା ପ୍ରଶାସନ, ପୁରୀବାସୀଙ୍କୁ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଖୋଲା

ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି। ପୁରୀବାସୀ ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାରରେ ପ୍ରବେଶ କରିପାରିବେ।

author-image
Niranjan Mishra
West Gate

West Gate

ଭକ୍ତଙ୍କ ଦାବି ଆଗରେ ନଇଁଲା ପ୍ରଶାସନ। ପୁରୀ ବାସୀଙ୍କ ପ୍ରବେଶ ପାଇଁ ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମଦ୍ୱାର। ବହୁ ବାଦବିବାଦ ପରେ ଶେଷରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ଆଜି ଜଣାଇଛି।

Advertisment

ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି। ପୁରୀବାସୀ ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାରରେ ପ୍ରବେଶ କରିପାରିବେ। ଭକ୍ତଙ୍କ ପାଇଁ ମୋବାଇଲ୍, ଲଗେଜ୍ ଓ ଜୋତା ରଖିବା ନିମନ୍ତେ ବ୍ୟବସ୍ଥା କରାଯାଇଛି।

ସୂଚନା ଥାଉକି, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଭକ୍ତ, ସେବକ ଓ ପୁରୀ ବାସିନ୍ଦା ସମସ୍ତେ ଜୋରଦାର ଦାବି କରିଆସୁଛନ୍ତି। ଆଜି ଖୋଦ୍ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଶାସନିକ ନିଷ୍ପତ୍ତିକୁ ପ୍ରତିବାଦ ଜଣାଇ ଏକ ଟ୍ୱିଟ୍ କରିଥିଲେ।

Advertisment

ଅତି କମରେ ପୁରୀବାସୀଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର ଗୋଟିଏ ଦ୍ୱାର ନଖୋଲିଲେ, କାଲିଠୁ ପଶ୍ଚିମଦ୍ୱାର ଆଗରେ ବସି ଠାକୁରଙ୍କୁ ଆରାଧନା କରିବେ ବୋଲି କହିଥିଲେ। ଶେଷରେ କାଲିଠୁ ପଶ୍ଚିମ ଦ୍ୱାର କେବଳ ପୁରୀ ସହରବାସୀଙ୍କ ପାଇଁ ଖୋଲିବ ବୋଲି ପ୍ରଶାସନ ସୂଚନା ଦେଇଛି।

ତେବେ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଏକମାତ୍ର ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିବାକୁ ପ୍ରଶାସନ ନେଇଥିବା ନିଷ୍ପତ୍ତି କେବେ ହଟିବ ତାହା ଅଲୋଚନାର ବିଷୟ ହୋଇଛି। ଚାରି ଦ୍ୱାର ଦେଇ ସମସ୍ତ ଭକ୍ତଙ୍କୁ ସ୍ୱଚ୍ଛନ୍ଦ ପ୍ରବେଶ ପ୍ରସ୍ଥାନ ଅନୁମତି ମିଳିଲେ ସିଂହଦ୍ୱାର ଠାରୁ ମରଚିକୋର୍ଟ ପର୍ଯ୍ୟନ୍ତ ଘଣ୍ଟାଘଣ୍ଟା ଠିଆ ହୋଇ ଭକ୍ତଙ୍କୁ ଭୋଗିବାକୁ ପଡ଼ୁଥିବା କଷ୍ଟ ଲାଘବ ହୋଇପାରନ୍ତା।

ଏହାଛଡ଼ା ଧର୍ମ, ଅର୍ଥ, କାମ, ମୋକ୍ଷ ଆଶା ନେଇ ଆସୁଥିବା ଭକ୍ତଙ୍କ ଭାବନା ଓ ବିଶ୍ୱାସ ପୂରଣ ହୋଇପାରନ୍ତା। ହେଲେ ଭକ୍ତଙ୍କ ଏହି ବିଶ୍ୱାସ ଓ ଭରସା ଉପରେ ପ୍ରଶାସନ ଯୋର କରି କୁଠାର ଘାତ କରିଛି। ଏକମାତ୍ର ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥା କରିଥିବା ବେଳେ ଅନ୍ୟଦ୍ୱାରକୁ ଭକ୍ତଙ୍କ ପ୍ରବେଶ ନିମନ୍ତେ ବନ୍ଦ କରି ଦେଇଛି। ଯାହା ଭକ୍ତ ମହଲରେ ଅସନ୍ତୋଷର ବିଷୟ ହୋଇଛି।

ଶ୍ରୀମନ୍ଦିର ସିଂହଦ୍ୱାର ବାହାରେ ଭକ୍ତଙ୍କ ଧାଡ଼ି ପ୍ରବେଶ ନିମନ୍ତେ ପ୍ରଶାସନ ଯୋର ଦେଉଥିଲେ ହେଁ ଭିତରେ କିନ୍ତୁ କୌଣସି ଧାଡ଼ି ଦର୍ଶନ ବ୍ୟବସ୍ଥା ନାହିଁ।  ଠେଲାପେଲା ଭିତରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଏହା ଦ୍ୱାରା ମହିଳା, ବୟସ୍କ, ଶିଶୁ ଭକ୍ତମାନେ ବିଶେଷ ଭାବେ କଷ୍ଟ ପାଉଛନ୍ତି। ଅନେକ ସମୟରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି।

କରୋନା ମହାମାରୀ ସମୟରେ ସଂକ୍ରମଣ ବ୍ୟପୀବାକୁ ଆଳ କରି ପ୍ରଶାସନ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ସହ ଜଡ଼ିତ ରହିଥିବା ଭାବାବେଗ ଉପରେ କୁଠାର ଘାତ କରିଥିବା ବେଳେ ଏବେ ଶ୍ରୀମନ୍ଦିର କରିଡ଼ର କାମ ଚାଲିଥିବା ଆଳ ଦେଖାଇ ଭକ୍ତଙ୍କ ଭାବାବେଗକୁ କୁଠାର ଘାତ କରୁଛି।

Puri Shreemandir Puri Jagannath Temple