/odisha-reporter/media/post_attachments/uploadimage/library/16_9/16_9_0/Odisha_1757947056.jpg)
Odisha
“ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ୍ ଅଛି ଓ ଆବଶ୍ୟକ ପଡ଼ିଲେ ଆଉ ଅଧିକ ମଧ୍ୟ କେନ୍ଦ୍ର ସରକାର ଯୋଗାଇ ଦେବେ । ଏପର୍ଯ୍ୟନ୍ତ ଚଳିତ ଖରିଫ ଋତୁରେ ରାଜ୍ୟର ଚାଷୀଙ୍କୁ ୧୦.୮୫ଲକ୍ଷ ମେଟ୍ରିକ ଟନ ସାର ଯୋଗାଇ ଦିଆଯାଇ ସାରିଲାଣି । ଯାହାକି ରାଜ୍ୟରେ ଆବଶ୍ୟକତାଠୁ ୧.୩୦ଲକ୍ଷ ଟନ୍ ଅଧିକ ସାର । ” ରାଜ୍ୟ ସରକାରଙ୍କ ଏଭଳି ତଥ୍ୟଭିତ୍ତିକ ଦାବି ଏବଂ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସମବାୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସାର ଅଭାବକୁ ରୋକଠୋକ୍ ଖାରଜ କରିଦେଇଛନ୍ତି ।
ଏହାସତ୍ତ୍ୱେ ତୃଣମୂଳସ୍ତରରେ ଚାଷୀଙ୍କୁ କାହିଁକି ‘ସାର’ ମିଳୁନି ଓ ପ୍ରଶାସନ ପାଖରେ ଏହି ଅଭାବର ସମ୍ପର୍କରେ ସ୍ପଷ୍ଟ ପ୍ରମାଣ ଥାଇ ମଧ୍ୟ ସରକାର କାହିିଁକ ‘ସାର’ ଅଭାବକୁ ସ୍ୱୀକାର କରୁନାହାନ୍ତି ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏପଟେ ଉଭୟ ବିଜେଡି ଓ କଂଗ୍ରେସ ରାଜ୍ୟରେ ସାର ସଙ୍କଟ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ବିଜେଡି ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ କଂଗ୍ରେସ ଏହି ସମସ୍ୟାକୁ ବିଧାନସଭାରେ ଉଠାଇବ ବୋଲି କହିଛି ।
ସାର ଅଭାବକୁ ମୁଖ୍ୟମନ୍ତ୍ରୀ-ମନ୍ତ୍ରୀଙ୍କ ଖଣ୍ଡନ
ରାଜ୍ୟରେ ଚାଷୀଙ୍କୁ ‘ସାର’ ମିଳୁନଥିବା ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତମାସ ୧୧ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟର ସାର ସ୍ଥିତିର ସମୀକ୍ଷା କରିବା ସହ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଚଳିତ ଖରିଫ ଋତୁ ପାଇଁ ରାଜ୍ୟରେ ୯.୫୫ଲକ୍ଷ ମେଟ୍ରିକ ଟନ ସାର ଆବଶ୍ୟକ ରହିଛି ।
କେନ୍ଦ୍ର ସରକାର ଏହି ପରିମାଣର ସାର ଯୋଗାଇ ଦେଇସାରିଛନ୍ତି । ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୧୧ଲକ୍ଷ ୬୬ହଜାର ୭୩୩ ମେଟ୍ରିକ ଟନ୍ ସାର ମହଜୁଦ ରହିଛି, ଯେଉଁଥିରୁ ୯ଲକ୍ଷ ୮୫ହଜାର ୭୬୭ ମେଟ୍ରିକ ଟନ୍ ବିକ୍ରି ହୋଇସାରିଛି । ବାକି ୧.୮୦ଲକ୍ଷ ମେଟ୍ରିକ ଟନ ସାର ଏବେ ମହଜୁଦ ରହିଛି । ଅର୍ଥାତ୍ ରାଜ୍ୟରେ ଆବଶ୍ୟକତାଠୁ ଅଧିକ ସାର ଚଳିତ ଖରିଫ ଋତୁରେ ଦିଆଯାଇ ସାରିଛି । ସାର କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇ ଚାଷୀଙ୍କ ପାଖରେ ସାର ପହଂଚାଇବା ନିମନ୍ତେ କାର୍ଯ କରିବାକୁ କହିଥିଲେ ।
ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ସାର ଅଭାବକୁ ନେଇ ତୁମ୍ବିତୋଫାନ ହେବାପରେ ରାଜ୍ୟ ସରକାର ଖୁଚୁରା ସାର ଦୋକନୀଗୁଡ଼ିକର ଯାଂଚ କରିଛନ୍ତି । କଳାବଜାରୀରେ ସମ୍ପୃକ୍ତ ୫୮ଟି ରିଟେଲ ଷ୍ଟୋର ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିବାବେଳେ ୧,୪୭୯ ଖୁଚୁରା ବିକ୍ରେତାଙ୍କୁ କାରଣଦର୍ଶାଅ ନୋଟିସ ଓ ୭୭ଟି ଲାଇସେନ୍ସ ସ୍ଥଗିତ/ବାତିଲ କରିଛନ୍ତି । ମୋଟ ୫୨୯୮ ସାର ରିଟେଲ ପଏଂଟର ଯାଂଚ କରାଯାଇଥିବା ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଥିଲା ।
ସରକାର ଫାଙ୍କୁଛନ୍ତି, ପ୍ରଶାସନର ତଥ୍ୟ କହୁଛି ଅଭାବ ଜଳଜଳ
ରାଜ୍ୟରେ ସାରର କୃତ୍ରିମ ଅଭାବ ପଛରେ କିଏ ତାକୁ ନେଇ ନାନାଦି ଚର୍ଚ୍ଚା ମଧ୍ୟରେ ‘ସାର ଅଭାବ’କୁ ରାଜ୍ୟ ସରକାର ବାରମ୍ବାର ଖଣ୍ଡନ କରିବାରେ ଲାଗିଛନ୍ତି । ଯଦିଓ ସୁନ୍ଦରଗଡ଼, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୋନପୁର, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ଗଞ୍ଜାମ, ଜଗତସିଂହପୁର ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ଚାଷୀମାନେ ସାର ପାଇବା ନିମନ୍ତେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଚାଷୀମାନେ ‘ସାର’ ପାଇବା ପାଇଁ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦୃଶ୍ୟ ମଧ୍ୟ ରାଜ୍ୟର ବିଭିନ୍ନ ଭାଗରୁ ଆସୁଛି । ଗଞ୍ଜାମର ଦିଗପହଣ୍ଡି ହେଉ ଅବା କୋରାପୁଟ ଅବା ବଲାଙ୍ଗୀର ଅବା ବରଗଡ଼ ସବୁଆଡ଼େ ଏହି ସାର ସମସ୍ୟା ରହିଛି । ଚାଷୀ ନିଜର ଫସଲ ପାଇଁ ବାଧ୍ୟ ହୋଇ ଚଢ଼ାଦରରେ ସାର ମଧ୍ୟ କିଣୁଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ୨୦୨୫ ସେପ୍ଟେମ୍ବର ୨ତାରିଖରେ ରାଜ୍ୟ ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ରାଜ୍ୟରେ ସାର ସମସ୍ୟା ଜଳଜଳ ବୋଲି ଜଣାପଡ଼ିଛି । ଯଦିଓ ଏହା ପୂର୍ବରୁ ଅଗଷ୍ଟ ୩୦ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖି ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ରାଜ୍ୟରେ ସାର ସମସ୍ୟା ନଥିବା ଓ ୧୧.୬୬ଲକ୍ଷ ମେଟ୍ରିକ ଟନ୍ ସାର ମହଜୁଦ୍ ଥିବା କହି ସରକାର ଏହି ଅଭାବ ଅଭିଯୋଗକୁ ଖଣ୍ଡନ କରିସାରିଥିଲେ ।
ସେପ୍ଟମ୍ବର ୨ର ତଥ୍ୟସମବାୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ଅନୁସାରେ, କେବଳ କଟକ ଜିଲ୍ଲାରେ ଆବଶ୍ୟକତାଠୁ ଅଧିକ ସାର ଯୋଗାଣ ହୋଇଥିବାବେଳେ ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ନୟାଗଡ଼ ଭଳି ଜିଲ୍ଲାରେ ସାର ସଙ୍କଟ ରହିଥିବା ଓ ଆବଶ୍ୟକତାଠୁ ଢ଼େର କମ୍ ଯୋଗାଇ ହୋଇଥିବା ତଥ୍ୟ ‘ଓଡ଼ିଶା ରିପୋର୍ଟର’ ହାତରେ ଲାଗିଛି । ସରକାର ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଆବଶ୍ୟକତା ଅନୁରୂପ ସାର ଯୋଗାଇ ଦିଆଯାଇ ନାହିଁ । ତଥାପି ମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତେ କାହିଁକି ସାର ଯନ୍ତ୍ରଣାରେ ଚାଷୀଙ୍କୁ ଛଟପଟ ହେବାକୁ ଦେଉଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କେଉଁଠି କେତେ ସାର ଅଭାବ
ସମବାୟ ସଚିବ ଶ୍ରୀ ପାଟିଲଙ୍କ ଦ୍ୱାରା ସେପ୍ଟେମ୍ବର ୨ରେ ହୋଇଥିବା ଏକ ସମୀକ୍ଷା ବୈଠକର ତଥ୍ୟ ଅନୁସାରେ, ଗଞ୍ଜାମ ଜିଲ୍ଲାରେ ୧୯୫୬୧ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ ମାତ୍ର ୧୦,୬୪୦ ମେଟ୍ରିକ ଟନ ଦିଆଯାଇଛି । ସେହିପରି ଭଦ୍ରକରେ ୬୧୮୮ ମେଟ୍ରିକ ଟନ ଆବଶ୍ୟକ ଓ ଯୋଗାଣ ମାତ୍ର ୮୬୩.୫୫୦ ମେଟ୍ରିକ ଟନ, ବାଲେଶ୍ୱର ଜିଲ୍ଲାରେ ୨୫୦୦ ମେଟ୍ରିକ ଟନ ସାର ଆବଶ୍ୟକ ଓ ଯୋଗାଣ ମାତ୍ର ୯୦୦ ମେଟ୍ରିକ ଟନ, ଅନୁଗୁଳରେ ୮୧୦୧ ମେଟ୍ରିକ ଟନ ଆବଶ୍ୟକ ଓ ଯୋଗାଣ ମାତ୍ର ୪୯୫୪ ମେଟ୍ରିକ ଓ ନୟାଗଡ଼ରେ ୧୫୧୩୦ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ ମାତ୍ର ୧୭୦୦ ମେଟ୍ରିକ ଟନ୍ ସାର ସରକାର ଯୋଗାଇବାରେ ସକ୍ଷମ ହୋଇଛନ୍ତି । ଏଥିରୁ ସାର ସଙ୍କଟ ଗ୍ରାଉଣ୍ଡରେ କେତେ ସଙ୍ଗୀନ ତାହା ମଧ୍ୟ ଜଳଜଳ ଦିଶିବାରେ ଲାଗିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
