Advertisment

ହସ୍ପିଟାଲ୍‌ରେ ଡାକ୍ତର ନାହାନ୍ତି; କିନ୍ତୁ VIP ସେବାରେ ମାଳମାଳ

Z+ ସୁରକ୍ଷା ଥିବା ଭିଭିଆଇପି ଆସିଲେ ୪ ଜଣ ଲେଖାଏଁ ଡାକ୍ତର ମୁତୟନ ହେଉଛନ୍ତି। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଆସିଲେ ସେମାନଙ୍କ ସ୍ୱାସ୍ଥ୍ୟସେବା ଓ ଖାଦ୍ୟ ପରୀକ୍ଷା ଲାଗି ୪ରୁ ୫ ଜଣ ଲେଖାଏଁ ଡାକ୍ତର ଯୋଗାଉଛି କ୍ୟାପିଟାଲ ହସ୍ପିଟାଲ।

ଅଦ୍ୟତନ ହୋଇଛି
Capital Hospital

Capital Hospital

Advertisment

ରାଜ୍ୟ ରାଜଧାନୀ ଭୁବନେଶ୍ୱରର ସର୍ବ ବୃହତ ସରକାରୀ ହସ୍ପିଟାଲରେ ଡାକ୍ତର ଓ ମେଡ଼ିକାଲ୍‌ ଷ୍ଟାଫ୍‌ ମରୁଡ଼ି। ଯେଉଁଥିପାଇଁ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଭିଆଇପି ପ୍ରୋଟୋକଲରେ ଯାଉଛନ୍ତି ମାଳମାଳ ଡାକ୍ତର। ମିଳିଥିବା ସୂଚନା ଅନୁସାରେ ପ୍ରତି ଦିନ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଅତିକମରେ ୮ରୁ ୧୦ ଜଣ ଡାକ୍ତର ସରକାରୀ ପ୍ରୋଟୋକଲ୍‌ରେ ଯାଉଛନ୍ତି।

Advertisment

କ୍ୟାପିଟାଲ ହସ୍ପିଟାଲରେ ଏବେ ଖାଲି ପଡ଼ିଛି ୬୪ ଡାକ୍ତର ପଦବୀ। ସେଥିରୁ ପ୍ରତି ଦିନ ଅତିକମରେ ୮ରୁ ୧୦ ଜଣ ଡାକ୍ତର କେବଳ ସରକାରୀ ପ୍ରୋଟୋକଲ୍‌ ତୁଲାଉଛନ୍ତି। ବର୍ଷତମାମ କ୍ୟାପିଟାଲ ହସ୍ପିଟାଲର ୬ ଜଣ ଡାକ୍ତର ସବୁଦିନ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ୩ଟି ସିଫ୍ଟରେ ଡ୍ୟୁଟି କରୁଛନ୍ତି। ସେମାନଙ୍କ ଛୁଟିଦିନରେ ଆଉ ୨ ଜଣ ଡାକ୍ତରଙ୍କୁ ଏ ଦାୟିତ୍ୱ ତୁଲାଇବାକୁ ପଡ଼ୁଛି। ଖାଲି ସେତିକି ନୁହେଁ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ସୁପ୍ରିମକୋର୍ଟ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି ଭୁବନେଶ୍ୱର ଆସିଲେ ସେମାନଙ୍କ ସେବାରେ ନିୟୋଜିତ ହେଉଛନ୍ତି କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର।

Z+ ସୁରକ୍ଷା ଥିବା ଭିଭିଆଇପି ଆସିଲେ ୪ ଜଣ ଲେଖାଏଁ ଡାକ୍ତର ମୁତୟନ ହେଉଛନ୍ତି। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଆସିଲେ ସେମାନଙ୍କ ସ୍ୱାସ୍ଥ୍ୟସେବା ଓ ଖାଦ୍ୟ ପରୀକ୍ଷା ଲାଗି ୪ରୁ ୫ ଜଣ ଲେଖାଏଁ ଡାକ୍ତର ଯୋଗାଉଛି କ୍ୟାପିଟାଲ ହସ୍ପିଟାଲ। ଯଦି ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି, ସେଦିନ ପ୍ରୋଟୋକଲ୍‌ ଅନୁସାରେ ପାଖାପାଖି ୨୦ ଜଣ ଡାକ୍ତର ନିୟୋଜିତ ହେଉଛନ୍ତି। ସମସ୍ୟା ଏତିକିରେ ସରୁନି। କୌଣସି ରାଜ୍ୟସ୍ତରୀୟ ମହୋତ୍ସବ, ମେଳା ତଥା ରକ୍ତଦାନ ଶିବିର ପାଇଁ ଖୋଜା ପଡ଼ୁଛନ୍ତି କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର।

Advertisment

ସବୁବେଳେ ରୋଗୀ ହାଉଜାଉ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଲମ୍ବା ଲାଇନ୍‌ ଲାଗୁଥିବା ବେଳେ ଭିଆଇପିଙ୍କ ସେବାରେ ଏତେ ସଂଖ୍ୟକ ଡାକ୍ତର ନିୟୋଜନକୁ ନେଇ ଉଠିଛି ପ୍ରଶ୍ନବାଚୀ। ପୂର୍ବତନ ପୁଲିସ ଅଧିକାରୀଙ୍କ କହିବା କଥା, ଭିଆଇପିଙ୍କ ସୁରକ୍ଷା ଲାଗି ପୁଲିସ୍ କର୍ମଚାରୀଙ୍କଠାରୁ ଆରମ୍ଭ କରି ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଅଗ୍ନିଶମ ଅଧିକାରୀ ଆଦି ନିୟୋଜିତ ହୋଇଥାନ୍ତି। ତେବେ ରୋଗୀ ସେବା ପାଇଁ ଡାକ୍ତର ଅଭାବ ସତ୍ତ୍ୱେ ପ୍ରୋଟୋକଲ ପାଇଁ କ୍ୟାପିଟାଲ ହସ୍ପିଟାଲରୁ ଡାକ୍ତର ନେବା ଯୁକ୍ତିସଙ୍ଗତ ନୁହେଁ। ବରିଷ୍ଠ ସାମ୍ବାଦିକଙ୍କ ଯୁକ୍ତି, ଭିଆଇପିଙ୍କୁ ପ୍ରୋଟୋକଲ୍‌ ପାଇଁ ସ୍ୱତନ୍ତ୍ର ପୁଲ୍‌ ଗଠନ କରାଯାଉ। କ୍ୟାପିଟାଲ ହସ୍ପିଟାଲରେ ଥିବା ଖାଲି ପୋଷ୍ଟ ମଧ୍ୟ ପୂରଣ କରାଯାଉ।

ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୩୭ ପ୍ରତିଶତ ଡାକ୍ତରୀ ପଦବୀ ଖାଲିଥିବା ଗତକାଲି ପ୍ରକାଶ କରିଥିଲୁ। ଦେଖିବାର କଥା ସରକାର ଏହି ସମସ୍ୟା ପ୍ରତି କେବେ ଧ୍ୟାନ ଦେଉଛନ୍ତି। ସାଧାରଣ ଲୋକଙ୍କ ଚିକିତ୍ସା ଥିବା ଡାକ୍ତର କେବେ ଭିଆଇପି ଡ୍ୟୁଟିରୁ ବିରତ ରହୁଛନ୍ତି।

Capital Hospital Odisha Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe