Advertisment

କାଲିଠୁ ୪ ଘଣ୍ଟା କୋହଳ କର୍ଫ୍ୟୁ

ଆସନ୍ତାକାଲି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କେବଳ ୪ ଘଣ୍ଟା ପାଇଁ ଦୋକାନ ବଜାର ଖୋଲା ରହିବା ସହିତ ଲିଜ୍ ଲାଇନରେ ଇଣ୍ଟରନେଟ୍ ସେବା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି।

ଅଦ୍ୟତନ ହୋଇଛି
Flag March

Flag March

Advertisment

ଆସନ୍ତାକାଲିଠୁ କର୍ଫ୍ୟୁ କୋହଳ ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ। ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କେବଳ ୪ ଘଣ୍ଟା ପାଇଁ ଦୋକାନ ବଜାର ଖୋଲା ରହିବା ସହିତ ଲିଜ୍ ଲାଇନରେ ଇଣ୍ଟରନେଟ୍ ସେବା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ମୋବାଇଲ୍ ନେଟୱର୍କରେ ଇଣ୍ଟରନେଟ ସୁବିଧା ମିଳିବ ନାହିଁ। ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଏସପି ସାଗରିକା ନାଥ, ଜିଲ୍ଲାପାଳ ଆଶିଷ ଠାକରେ ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

Advertisment

ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ ପାଇଁ ବାଲେଶ୍ୱର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସତ କିନ୍ତୁ ଦୁର୍ବିସହ ହୋଇପଡ଼ିଛି ଜନ ଜୀବନ। ଆଜିକୁ ୩ ଦିନ ହୋଇଗଲା କର୍ଫ୍ୟୁ କବଳରେ ସାରା ସହର। ବିଚ୍ଛିନ୍ନ ହୋଇଯାଇଛି ଇଣ୍ଟରନେଟ୍। ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଲୋକେ ନାକେଦମ୍ ହେଉଥିବାବେଳେ ଅନଲାଇନ କ୍ଲାସରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ। ସହରରେ ଧିରି ଧିରେ ଶାନ୍ତି ଫେରୁଥିଲେ ବି କେବେ କଟକଣା ସମ୍ପୂର୍ଣ୍ଣ ଉଠିବ ସେନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ।

ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ ଉଦ୍ଦେଶ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରଶାସନ ଜାରି କରିଥିବା କର୍ଫ୍ୟୁ ପରର ଚିତ୍ର ଯାହା ମନେପକାଇ ଦେଉଛି କରୋନା ବେଳର କଥାକୁ। ଶୂନଶାନ ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ନପାଇ କିଏ ହନ୍ତସନ୍ତ ତ ଆଉ କିଏ ଦି’ମୁଠା ଖାଇବାକୁ ନପାଇ କଲବଲ। ପ୍ରଶାସନର କର୍ଫ୍ୟୁ କଟକଣାକୁ ହେଲାଣି ୩ ଦିନ। ଆଉ କର୍ଫ୍ୟୁ ମାଡ଼ରେ ସାଧାରଣ ଜନତା ଏବେ ଏଭଳି ହୀନସ୍ତା ହେଉଛନ୍ତି। ଦୋକାନ ବଜାର, ରାସ୍ତାଘାଟ ସବୁ ବନ୍ଦ ଥିବାରୁ ଖାଇବାକୁ ପାଉଛନ୍ତି କି କୁଆଡ଼େ ଯାଇପାରୁଛନ୍ତି। ଶେଷରେ ବାଲେଶ୍ୱର ମେଡ଼ିକାଲ୍ ପରିସରରେ ଥିବା ୫ ଟଙ୍କିଆ ଆହାର କେନ୍ଦ୍ରରେ ଦି’ ମୁଠା ଖାଦ୍ୟ ପାଇଁ ଗରମ ଗୁଳୁଗୁଳି ଭିତରେ ଧନ୍ଦି ହେଉଛନ୍ତି ସାଧାରଣ ଲୋକମାନେ।

Advertisment

ଅପରପକ୍ଷେ ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ଗତ ୩ ଦିନ ହେଲା ଅକଳରେ ପଡ଼ିଯାଇଛନ୍ତି ଛାତ୍ରଛାତ୍ରୀ ଓ ପରୀକ୍ଷାର୍ଥୀ। ଏ ହେଲେ ବାଲେଶ୍ୱର ସହରର ବିଜୟ ନାୟକ। ବ୍ୟାଙ୍କିଂ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଇଣ୍ଟରନେଟ୍ ନଥିବାରୁ ତାଙ୍କ ପରୀକ୍ଷା ପ୍ରସ୍ତୁତି ସମ୍ପୂର୍ଣ୍ଣ ପ୍ରଭାବିତ। ବିଜୟଙ୍କ ଭଳି ଅନଲାଇନରେ ପାଠପଢ଼ୁଥିବା ଓ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଛାତ୍ରଛାତ୍ରୀ, ପରୀକ୍ଷାର୍ଥୀ ସମାନ ଦଶା ଭୋଗୁଛନ୍ତି। ଖାଲଇ ସେତିକି ନୁହେଁ କର୍ଫ୍ୟୁର ଫାଇଦା ନେଇ ବାଲେଶ୍ୱର ସହରରେ ଏବେ ସକ୍ରିୟ ହୋଇଛନ୍ତି ମୁନାଫାଖୋର୍ ବ୍ୟବସାୟୀ। ବଢ଼ାଇ ଚାଲିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ଏନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ଗତ ରବିବାର ସଂଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ସେହିଦିନ ରାତିରେ ଏହା ଉଗ୍ରରୂପ ନେଇଥିଲା। ଏପରିକି ପୁଲିସ ଉପରକୁ ବି ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପରଠାରୁ ଅନିର୍ଦ୍ଦିଷ୍ଟ କାଳ କର୍ଫ୍ୟୁ କବଳରେ ରହିଛି ସାରା ବାଲେଶ୍ୱର ସହର। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୪ ଜଣଙ୍କୁ ପୁଲିସ ଗିରଫ କରିଛି। ଏବେ ବାଲେଶ୍ୱରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ଜିଳ୍ଲାପାଳ ଆଶିଷ ଠାକରେ। ମୁଖ୍ୟମନ୍ତ୍ରୀ ମଧ୍ୟ ପୁଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ସହ ବାଲେଶ୍ୱର ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି।

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe