ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କୁ ମିଳିବ ଏକକାଳୀନ ଅବସରକାଳୀନ ସହାୟତା। ଆଜି ରାଜ୍ୟ କ୍ୟାବିନେଟରେ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
କ୍ୟାବିନେଟ୍ଙ୍କ ଏହି ନିଷ୍ପତ୍ତି ଫଳରେ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ ଅବସର ପରେ ଏକକାଳୀନ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ସେହିପରି ବ୍ଳକ ଗ୍ରାଣ୍ଟ ଅଣ-ଶିକ୍ଷକ କର୍ମଚାରୀଙ୍କ ୫ ଲକ୍ଷ ଟଙ୍କା ଦିଆଯିବ। ଯେଉଁମାନେ ଅବସର ନେଇ ସାରିଛନ୍ତି, ସେମାନେ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ। ଏଥିପାଇଁ ସରକାରଙ୍କୁ ୧୪୯.୪୫ କୋଟି ଟଙ୍କାର ଆର୍ଥିକ ବ୍ୟୟ ବହନ କରିବାକୁ ପଡ଼ିବ।
ଏହା ବ୍ୟତୀତ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲ ଓ ସଂସ୍କୃତ ଟୋଲ୍ ଶିକ୍ଷକ ଏବଂ ଅଣଶିକ୍ଷକମାନଙ୍କୁ ମିଳିବ ଏକକାଳୀନ ଅବସରକାଳୀନ ସହାୟତା। ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲ ଓ ସଂସ୍କୃତ ଟୋଲର ଶିକ୍ଷକମାନଙ୍କୁ ଅବସର ବେଳେ ଏକକାଳୀନ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହି ସ୍କୁଲ୍ଗୁଡ଼ିକରେ କାର୍ଯ୍ୟ କରୁଥିବା ଅଣ-ଶିକ୍ଷକ କର୍ମଚାରୀଙ୍କୁ ଅବସର ବେଳେ ଏକକାଳୀନ ୪ ଲକ୍ଷ ଟଙ୍କା ଦିଆଯିବ। ଯେଉଁମାନେ ଅବସର ନେଇ ସାରିଛନ୍ତି, ସେମାନେ ମଧ୍ୟ ଏହି ସୁବିଧା ପାଇବେ।
ସେହିପରି ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଦ୍ରାସାର ଶିକ୍ଷକମାନଙ୍କୁ ଅବସର ବେଳେ ଏକକାଳୀନ ୫ ଲକ୍ଷ ଟଙ୍କା ଦିଆଯିବ। ଯେଉଁମାନେ ଅବସର ନେଇ ସାରିଛନ୍ତି, ସେମାନେ ମଧ୍ୟ ଏହା ଦ୍ୱାରା ଉପକୃତ ହୋଇପାରିବେ।
ଅନ୍ୟପକ୍ଷରେ ଶିକ୍ଷକଙ୍କ ଅବସରକାଳୀନ ସହାୟତା ନିଷ୍ପତ୍ତିକୁ ଓଷ୍ଟା ବିରୋଧ କରିଛି। କ୍ୟାବିନେଟ୍ ନିଷ୍ପତ୍ତିକୁ ବିକଳାଙ୍ଗ ଓ ବିକୃତ ମାନସିକତା ବୋଲି କହିଛି ଓଷ୍ଟା। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପେନସନ୍ ଦାବି କରିଛି ଓଷ୍ଟା। ଆସନ୍ତା ୧୧ ଓ ୧୨ରେ ବିଶାଳ ସମାବେଶ କରି ବିରୋଧ କରିବାକୁ ସଂଘ ନେଇଛି ନିଷ୍ପତ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।