Advertisment

‘ଯମୁନା’ ରହୁଥିବା ଏନ୍‌କ୍ଲୋଜରରେ ଗାଧୋଇଲା ‘ଜିନ୍ନତ’

ଏନ୍‌କ୍ଲୋଜର ଭିତରକୁ ଗଲା ପରେ ‘ଜିନ୍ନତ’ ପ୍ରଥମେ ଦୌଡ଼ାଦୌଡ଼ି କରିଥିଲା। ତା’ପରେ ଏନ୍‌କ୍ଲୋଜର ଭିତରେ ଥିବା ପାଣି କୁଣ୍ଡରେ ଗାଧୋଇଥିଲା। ଦୀର୍ଘ ସମୟ ଧରି ସେ ପାଣି କୁଣ୍ଡରେ ପହଁରିଥିବା ଦେଖିବାକୁ ମିଳିଥିଲା।

author-image
Manoranjan Sial
 Zeenat

Zeenat

ବହୁ ବାଦ ବିବାଦ ଓ ଚର୍ଚ୍ଚା ଭିତରେ ଓଡ଼ିଶା ଫେରିଲା ‘ଜିନ୍ନତ’। ଆଜି ସକାଳେ ‘ଜିନ୍ନତ’କୁ ଶିମିଳିପାଳ ଅଭୟାରଣ୍ୟରେ ‘ଯମୁନା’ ରହୁଥିବା ଏନ୍‌କ୍ଲୋଜରରେ ଛଡ଼ା ଯାଇଛି। ‘ଜିନ୍ନତ’ ସେଠାରେ ଗାଧୋଇବା ସହିତ ଦୌଡ଼ା ଦୌଡ଼ି କରୁଥିବା ଦେଖିବାକୁ ମିଳିଥିଲା। ତେବେ ‘ଜିନ୍ନତ’ କେବେ କୋର ଏରିଆକୁ ଯିବ ସେ ନେଇ ନିଷ୍ପତ୍ତି ନିଆଯାଇନଥିବା ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି।

Advertisment

ରବିବାର ଅପରାହ୍ନରେ ପଶ୍ଚିମବଙ୍ଗ ଜଙ୍ଗଲରେ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ପରେ ତାକୁ ସ୍ୱତନ୍ତ୍ର ଜନ୍ତାରେ ଆଲିପୁର ଚିଡିଆଖାନାକୁ ନିଆଯାଇଥିଲା। ସେଠାରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ‘ଜିନ୍ନତ’ ସୁସ୍ଥ ଥିବା ସ୍ପଷ୍ଟ ହୋଇଥିଲା। ସମସ୍ତ କାଗଜପତ୍ର କାମ ସରିବା ପରେ ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ‘ଜିନ୍ନତ’କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳ ଅଭୟାରଣ୍ୟ ଅଭିମୁଖେ ଅଣାଯାଇଥିଲା। ରାତି ୩ଟା ଅଭୟାରଣ୍ୟରେ ପହଞ୍ଚିଥିଲା ‘ଜିନ୍ନତ’। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଜି ସକାଳ ସାଢ଼େ ୭ଟା ବେଳେ ‘ଯମୁନା’ ରହୁଥିବା ନର୍ଥ ଡିଭିଜନ୍‌ରେ ଥିବା ଏନ୍‌କ୍ଲୋଜରରେ ‘ଜିନ୍ନତ’କୁ ଛଡ଼ା ଯାଇଥିଲା।

ଏନ୍‌କ୍ଲୋଜର ଭିତରକୁ ଗଲା ପରେ ‘ଜିନ୍ନତ’ ପ୍ରଥମେ ଦୌଡ଼ାଦୌଡ଼ି କରିଥିଲା। ତା’ପରେ ଏନ୍‌କ୍ଲୋଜର ଭିତରେ ଥିବା ପାଣି କୁଣ୍ଡରେ ଗାଧୋଇଥିଲା। ଦୀର୍ଘ ସମୟ ଧରି ସେ ପାଣି କୁଣ୍ଡରେ ପହଁରିଥିବା ଦେଖିବାକୁ ମିଳିଥିଲା। ତା’ର ଗତିବିଧି ଉପରେ ଦିନରାତି ୨୪ ଘଣ୍ଟା ନଜର ରଖାଯାଇଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି ବାଘୁଣୀ ‘ଜିନ୍ନତ’ କେବେ ଶିମିଳିପାର ଅଭୟାରଣ୍ୟରେ ଛଡ଼ାଯିବ? ଏନେଇ ବାରିପଦା ଆର୍‌ସିସିଏଫ୍‌ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି, ‘ଜିନ୍ନତ’ କେବେ ଛଡ଼ାଯିବାର ତା’ର ନିଷ୍ପତ୍ତି ଷ୍ଟିୟରିଂ କମିଟି ନେବ। କିନ୍ତୁ ଏବେ ‘ଜିନ୍ନତ’ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏନ୍‌କ୍ଲୋଜର ଭିତରେ ଦୌଡ଼ାଦୌଡ଼ି କରୁଛି ବୋଲି ଗୋଗିନେନି କହିଛନ୍ତି।

ସୂଚନାରୁ ପ୍ରକାଶ, ଶିମିଳିପାଳ ଅଭୟାରଣ୍ୟରେ ମହାବଳଙ୍କ ଇନ୍‌ ବ୍ରିଡିଂକୁ ରୋକିବା ପାଇଁ ବନ ବିଭାଗ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ବାଘୁଣୀ ‘ଜିନ୍ନତ ’ ଓ ’ଯମୁନା’ଙ୍କୁ ଆଣିଥିଲା। ଉଭୟଙ୍କୁ କୋର ଏରିଆରେ ଛଡ଼ା ଯାଇଥିଲା। ଶିମିଳିପାଳରେ କିଛି ଦିନ ରହିବା ପରେ ‘ଜିନ୍ନତ’ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗ ପଳାଇ ଯାଇଥିବା ବେଳେ ‘ଯମୁନା’ କୁଲଡିହା ଚାଲି ଯାଇଥିଲା। ପରବର୍ତ୍ତୀ ସମୟରେ ‘ଯମୁନା’ ପଳାଇ ଆସିଥିବା ବେଳେ ଫେରିନଥିଲା ‘ଜିନ୍ନତ’। ଯେଉଁଥିପାଇଁ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍‌ କରି ଶିମିଳିପାଳ ଫେରାଇ ଆଣିବା ପାଇଁ ବାଧ୍ୟ ହୋଇଥିଲା ବନ ବିଭାଗ।

ରିପୋର୍ଟ- ବାରିପଦାରୁ ମାନିକ୍‌ଲାଲ ପାଣି

Tigress Zeenat Similipal National Park