ନିର୍ବାଚନ କମିଶନ ରାଜ୍ୟର ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସ ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରୁ ବାଦ୍ ଦେବା ପରେ ଆଜି ରାଜ୍ୟ ସରକାର ଛୋଟଧରଣର ଆଇଏଏସ୍ ଅଦଳବଦଳ କରିଛନ୍ତି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କଟକ ଜିଲ୍ଲାପାଳ ୨୦୧୨ ବ୍ୟାଚ ଆଇଏଏସ୍ ଭିନିତ ଭରଦ୍ୱାଜଙ୍କୁ ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରୀଙ୍କୁ ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଭିନିତ୍ ଓ ପାରୁଲଙ୍କୁ ଜିଲ୍ଲାପାଳ ପଦବୀରୁ ହଟାଇ ଦିଆଯାଇଛି। ଭିନିତଙ୍କ ସ୍ଥାନରେ ଆଇଏଏସ୍ ଅରିନ୍ଦମ ଡାକୁଆ ଓ ପାରୁଲଙ୍କ ସ୍ଥାନରେ ଅନୁପମ ଶାହଙ୍କୁ ଯଥାକ୍ରମେ କଟକ ଓ ଜଗତସିଂହପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଅନୁପମ ଯେଉଁ ଦାୟିତ୍ୱରେ ଥିଲେ ସେଠାକୁ ପାରୁଲଙ୍କୁ ଓ ଅରିନ୍ଦମଙ୍କ ସ୍ଥାନରେ ଭିନିତଙ୍କୁ ଥଇଥାନ କରାଯାଇଛି।
ସେହିପରି ୨୦୧୧ ବ୍ୟାଚ୍ ଆଇଏଏସ୍ ସମର୍ଥ ବର୍ମାଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଶ୍ରୀ ବର୍ମା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଇନଚାର୍ଜ ମୁଖ୍ୟ ପ୍ରଶାସକ ସହ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ତୁଲାଉଥିଲେ। ଏବେ ତାଙ୍କୁ କେବଳ ପୂର୍ତ୍ତ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି ୨୦୧୮ ବ୍ୟାଚ୍ ଆଇଏଏସ୍ ଶୁଭଙ୍କର ମହାପାତ୍ରଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ତାଙ୍କୁ ଏପ୍ରିଲ ୩ତାରିଖରେ ଯାଜପୁର ଜିଲ୍ଲାପାଳ ପଦବୀରୁ ହଟାଇ ଦିଆଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ୨୦୧୨ ବ୍ୟାଚ୍ ଆଇଏଏସ୍ ନିଖିଳ ପୱନ କଲ୍ୟାଣଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା।
ରାଜ୍ୟର କ୍ଷମତାସୀନ ବିଜେଡି ସରକାର ପ୍ରତି ଏହି ଅଫିସରମାନଙ୍କ ମାତ୍ରାଧିକ ଦୁର୍ବଳତା ଯୋଗୁ ନିରପେକ୍ଷ ନିର୍ବାଚନ ସମ୍ଭବପର ହେବାର ଆଶଙ୍କା କରି ନିର୍ବାଚନ କମିଶନ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି। ଶୁଭଙ୍କରଙ୍କୁ ମିଶାଇ ମୋଟ ୯ଜଣ ସର୍ବଭାରତୀୟ ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରହିବାକୁ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।