Advertisment

ପାଇଖାନା ଦୁର୍ନୀତି: ୩ ବିଡ଼ିଓ ଓ ଦୁଇ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ପାଇଖାନା ନିର୍ମାଣ କରିଥିବା ୮ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ କଳା ତାଲିକାଭୁକ୍ତ କରିବା ପାଇଁ ଲୋକାୟୁକ୍ତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Nayagarh

Nayagarh

Advertisment

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ରେ ହୋଇଥିବା ପାଇଖାନା ଦୁର୍ନୀତି ଘଟଣାରେ ଲୋକାୟୁକ୍ତଙ୍କ କଡା ଆଭିମୁଖ୍ୟ। ପୂର୍ବତନ ୩ ବିଡିଓ ଓ ୨ ଯନ୍ତ୍ରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଏଥିସହ ୮ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ କଳା ତାଲିକାଭୁକ୍ତ କରିଛନ୍ତି। ଲୋକାୟୁକ୍ତଙ୍କ ଏହି ନିର୍ଦ୍ଦେଶ ପରେ ଅଧିକାରୀଙ୍କ ଛାତିରେ ଛନକା ପଶିଛି।

Advertisment

ଖଣ୍ଡପଡା ବ୍ଲକର ୨୨ଟି ପଞ୍ଚାୟତରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଜରିଆରେ ୨୨ ହଜାର ପାଇଖାନା ନିର୍ମାଣ ପାଇଁ ୨୬ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଖଣ୍ଡପଡ଼ା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ୮ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତ ଜନ ପ୍ରତିନିଧିଙ୍କ ସମେତ ବିଭିନ୍ନ ଏଜେନ୍ସି ଜରିଆରେ ହିତାଧିକାରୀ ଚୟନ ଏବଂ ପାଇଖାନା ନିର୍ମାଣ କରାଯାଇଥିଲା। ପାଇଖାନା ନିର୍ମାଣ ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ବିଲ୍‌ ପୈଠ କରାଯାଇଥିଲା।

ପ୍ରକୃତରେ ଦେଖିବାକୁ ଗଲେ କାଗଜ କଲମରେ ପାଇଖାନା ନିର୍ମାଣ ହୋଇଛି। ହେଲେ ପ୍ରକୃତରେ ପାଇଖାନା ନିର୍ମାଣ ହୋଇନଥିବା ଅଭିଯୋଗ ହୋଇଛି। ଅଧିକାଂଶ ସ୍ଥାନରେ ପୁରୁଣା ପାଇଖାନାରେ ରଙ୍ଗ ବୋଳି ଟଙ୍କା ଉଠା ଯାଇଛି। ଆଉ କେତେକ ସ୍ଥାନରେ ନିମ୍ନମାନର କାର୍ଯ୍ୟ ଯୋଗୁ ପାଇଖାନା ଗୁଡ଼ିକୁ ଜନସାଧାରଣ ବ୍ୟବହାର କରିପାରୁନାହାନ୍ତି। ଯେଉଁଥିପାଇଁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଶହଶହ ହିତାଧିକାରୀ ଖଣ୍ଡପଡ଼ା ବିଡିଓ ଓ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କରିଥିଲେ। ହେଲେ ପ୍ରଶାସନ ସବୁ ଜାଣି ଚୁପ୍‌ ରହିଥିଲା। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

Advertisment

ଜିଲ୍ଲା ପ୍ରଶାସନଠାରୁ ନିରାଶ ହୋଇ ‘ଭାରତୀୟ ବିକାଶ ପରିଷଦ’ର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଖଣ୍ଡପଡ଼ା ବ୍ଲକରେ ପାଇଖାନା ନିର୍ମାଣରେ ମହା ଦୁର୍ନୀତି ହୋଇଥିବା ନେଇ ଲୋକାୟୁକ୍ତଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ମାମଲାକୁ ଲୋକାୟୁକ୍ତ ଗୁରୁତର ସହ ନେଇଥିଲେ। ଖଣ୍ଡପଡ଼ା ବ୍ଲକର ସିଂଘାପଡ଼ା, ଗଡ଼ିଆସାହି, କିଆଝର, ମର୍ଦ୍ଦରାଜପୁର, କୋସ୍କା, କଣ୍ଟିଲେ ପ୍ରମୁଖ ପଞ୍ଚାୟତରେ ନିର୍ମାଣ ହୋଇଥିବା ପାଇଖାନାର ସ୍ଥିତି ଯାଞ୍ଚ କରିଥିଲେ।

ଯାଞ୍ଚ ବେଳେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଥିଲା। ତଦନ୍ତ ରିପୋର୍ଟ ଅନୁସାରେ ଅଭିଯୋଗର ସତ୍ୟତା ଥିବା ଜଣାପଡ଼ିଥିଲା। ଏଥିସହ ସରକାରଙ୍କ ପକ୍ଷରୁ ପାଇଖାନା ନିର୍ମାଣ ବାବଦରେ ମଞ୍ଜୁର ହୋଇଥିବା ଅନୁଦାନ ଅର୍ଥରୁ ୭୪ ପ୍ରତିଶତ ଅର୍ଥ ବାଟମାରଣା ହୋଇଥିବା ଜଣାପଡ଼ିଥିଲା। ତଦନ୍ତ ରିପୋର୍ଟକୁ ଆଧାର କରି ପାଇଖାନା ନିର୍ମାଣ କରିଥିବା ୮ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ କଳା ତାଲିକାଭୁକ୍ତ କରିବା ପାଇଁ ଲୋକାୟୁକ୍ତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଖଣ୍ଡପଡ଼ା ବ୍ଲକର ପୂର୍ବତନ ବିଡିଓ ବିଡିଓ ପ୍ରମୋଦ କୁମାର ନାଏକ, ଶିବାନନ୍ଦ ସ୍ୱାଇଁ, ଗୌରବମୟ ପ୍ରଧାନ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ସୁବ୍ରତ କୁମାର ସାହୁଙ୍କ ସମେତ ତତ୍କାଳୀନ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।

Nayagarh Toilet Scam Odisha Lokayukta
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe