Advertisment

ଶିମିଳିପାଳ ବୁଲିବା ପାଇଁ ଯାଇଥିଲେ, ଫେରିବା ବେଳେ ଅଟକାଲା କଳାବାଘ

କଳାବାଘ ପଳାଇ ଗଲା ଭାବି ଜୟନ୍ତଙ୍କ ପରିବାର ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ହଠାତ୍‌ କଳାବାଘଟି ପୁଣି ଫେରି ଆସି ଗାଡ଼ି ଆଗରେ ଚାଲିବାକୁ ଲାଗିଲା। ଆଗକୁ ଯିବା ପାଇଁ ଦେଲା ନାହିଁ।

author-image
Manoranjan Sial
Tiger

Tiger

ଶିମିଳିପାଳ ଅଭୟାରଣ୍ୟ ବୁଲିବା ପାଇଁ ପରିବାର ସହ ଯାଇଥିଲେ। ସନ୍ଧ୍ୟାରେ ଘେରିବାକୁ ଫେରିବା ବେଳେ ଅଧା ରାସ୍ତାରେ ଅଟକାଇଦେଲା କଳାବାଘ। ଘଞ୍ଚ ଜଙ୍ଗଲ ଭିତରେ ଫସି ରହିଲେ ପର୍ଯ୍ୟଟକ। ଆଖି ଆଗରେ ବାଘକୁ ପାଖରୁ ଦେଖି କିଏ ଭୟଭୀତ ହୋଇଯାଇଥିଲା ତ ଆଉ କିଏ ଫଟୋ ଓ ଭିଡିଓ ସୁଟ୍‌ କରିବାରେ ଲାଗି ପଡ଼ିଥିଲେ।

Advertisment

ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ଅଭୟାରଣ୍ୟ ଖୋଲା ରହିଛି। ଲୋକମାନେ ଦୂରଦୂରାନ୍ତରୁ ଆସି ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ସେହି ମର୍ମରେ ରବିବାର ମଧୁବନ ବାସିନ୍ଦା ଜୟନ୍ତ ଦାସଙ୍କ ପରିବାର ଶିମିଳିପାଳ ପରିଭ୍ରମଣରେ ଯାଇଥିଲେ। ଜୟନ୍ତଙ୍କ ପୂରା ପରିବାର ଏକ ଗାଡ଼ିରେ ପିଠାକଟା ଗେଟ୍‌ ଦେଇ ଚହଲାରେ ଥିବା ହରିଣ ଦେଖିବାକୁ ଯାଇଥିଲେ।

ସନ୍ଧ୍ୟା ପ୍ରାୟ ୭ଟା ହେବ। ଜୟନ୍ତଙ୍କ ପରିବାର ଚହଲାରୁ ଫେରୁଥିଲେ। ତେବେ ଭାଜାମ ତନଖି ଫାଟକ ଏକ କିମି ପୂର୍ବରୁ ଜୟନ୍ତଙ୍କ ଗାଡ଼ି ସାମ୍ନାକୁ ଗୋଟିଏ କଳାବାଘ ଚାଲି ଆସିଥିଲା। ଗାଡ଼ି ଆଗରେ ରାସ୍ତାରେ ବାଘଟି ବସିଥିଲା। ଆଖି ଆଗରେ ବାଘକୁ ଦେଖି ଜୟନ୍ତଙ୍କ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। ଗାଡ଼ି ଚାଳକ ଷ୍ଟାଟ୍‌ ବନ୍ଦ କରି କେବଳ ଲାଇଟ୍‌ ପକାଇ ଛିଡ଼ା ହୋଇଥିଲା। କିଛି ସମୟ ପରେ ଗୋଟିଏ ବାର୍‌ହା ଦ୍ରୁତ ଗତିରେ ରାସ୍ତା ପାର୍‌ କରିଥିଲା। ଏହା ଦେଖି କଳା ବାଘଟି ତାକୁ ଗୋଡାଇ ଥିଲା।

Advertisment

କଳାବାଘ ପଳାଇ ଗଲା ଭାବି ଜୟନ୍ତଙ୍କ ପରିବାର ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ହଠାତ୍‌ କଳାବାଘଟି ପୁଣି ଫେରି ଆସି ଗାଡ଼ି ଆଗରେ ଚାଲିବାକୁ ଲାଗିଲା। ଆଗକୁ ଯିବା ପାଇଁ ଦେଲା ନାହିଁ। ଦୀର୍ଘ ୧୫ ମିନିଟ୍‌ରୁ ଅଧିକ ସମୟ ଧରି ବାଘଟି ଗାଡ଼ି ଆଗରେ ଚାଲିବାରୁ ଭୟର ବାତାବରଣ ଖେଳି ଯାଇଥିଲା। କିଛି ସମୟ ପରେ ବାଘଟି ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିଲା।

ରିପୋର୍ଟ-ବାରିପଦାରୁ ମାନିକଲାଲ ପାଣି

Similipal National Park Baripada