Advertisment

ଶପଥ ସମାରୋହ ପାଇଁ ଟ୍ରାଫିକ କଟକଣା; ୫ ଘଣ୍ଟା ବନ୍ଦ ରହିବ ନାଲକୋ ଛକଠୁ ଜୟଦେବ ବିହାର ଛକ ରାସ୍ତା

ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନିମନ୍ତେ ଆଜି ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ, ଜାରି ହୋଇଛି ଟ୍ରାଫିକ କଟକଣା।

author-image
Niharika Rout
ଅଦ୍ୟତନ ହୋଇଛି
Police Commissioner

Police Commissioner

ଆସନ୍ତାକାଲି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ। ଏଥିନିମନ୍ତେ ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ । ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନିମନ୍ତେ ଆଜି ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।

Advertisment

ଆସନ୍ତା କାଲି ପାଇଁ ଜାରି ହୋଇଛି ଟ୍ରାଫିକ କଟକଣା । ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଓ ନବ ନିର୍ବାଚିତ ମନ୍ତ୍ରିମଣ୍ଡଳ ଶପଥ ସମାରୋହ ପାଇଁ ଭୁବନେଶ୍ୱରରେ କଡ଼ା ଟ୍ରାଫିକ କଟକଣା ରହିବ। ଆସନ୍ତାକାଲି ଅପରାହ୍ନ ୨ଟାରୁ ରାତି ୭ଟା କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡ଼ି ଚଳାଚଳ ମନା।  କେବଳ ଗାଡ଼ି ପାସ୍‌ ଥିବା ବ୍ୟକ୍ତି ସଭା ସ୍ଥଳକୁ ଯାଇ ପାରିବେ। ଅନ୍ୟମାନେ ବିକଳ୍ପ ରାସ୍ତା ବ୍ୟବହାର କରି ପାରିବେ। 

ଜୟଦେବ ବିହାରରୁ ନାଲକୋ ଛକ ଓ ନାଲକୋ ଛକଠାରୁ ଜୟଦେବ ବିହାର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତା ଦେଇ କୌଣସି ପ୍ରକାରର ଯାନବାହାନ ଯାତାୟତ କରିପାରିବ ନାହିଁ।

Advertisment

ସେହିପରି କଟକ, ଖୋର୍ଦ୍ଧା, ନନ୍ଦନକାନନ ପଟରୁ ଜୟଦେବ ବିହାର ଓ ନାଲକୋ ଛକ ଆସୁଥିବା ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଶପଥ ଗ୍ରହଣ ସମାରୋହ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଭୁବନେଶ୍ୱର ଆସୁଥିବାକୁ କଡ଼ା କଟକଣା ଜାରି କରିଛି କମିଶନରେଟ ପୁଲିସ।

ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ପୁଲିସ୍‌ ଅଧିକାରୀ ଯୋଗ ଦେଇଥିଲେ। ପୂରା ଜନତା ମଇଦାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସଭା ସ୍ଥଳୀକୁ କଡ଼ା ସୁରକ୍ଷାବଳୟରେ ରଖାଯିବ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଜନତା ମଇଦାନରେ ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ବହୁ କେନ୍ଦ୍ର ମନ୍ତ୍ରୀ ତଥା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ସେମାନଙ୍କ ନିମନ୍ତେ  ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗଭର୍ଣ୍ଣର ହାଉସଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏହି ଲାଇନ୍‌ରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଶପଥ ଗ୍ରହଣ ସମାରୋହ ପାଇଁ ମୋଟ୍ ୬୭ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଜନତା ମଇଦାନ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ ଆଇଜି ପ୍ରବୀଣ କୁମାର । ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ, ଉମାଶଙ୍କର ଦାସ ଟ୍ରାଫିକ ଦାୟିତ୍ୱରେ ରହିବେ। ସେହିପରି ୧୩ ଜଣ ଡିସିପି ରାଙ୍କ ଅଫିସର, ୧୮ ଏଡିସିପି ରାଙ୍କ ଅଧିକାରୀ, ୫୮ ଏସିପି, ୯୪ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ। ୩ ଏସଟିଏ ୟୁନିଟ ସହ ଡଗ୍ ସ୍କ୍ୱାର୍ଡ, ବମ୍ ସ୍କ୍ୱାର୍ଡ ମୁତୟନ ହେବା ସହ ଗାଡ଼ିମୋଟର ଯାଞ୍ଚ କରୁଛନ୍ତି।   

ଆସନ୍ତାକାଲି ଜନତା ମଇଦାନକୁ ଆସିବାକୁ ଥିବା ସାଧାରଣ ଲୋକଙ୍କ ନିମନ୍ତେ ଜାରି ହୋଇଛି ଆଡଭାଇଜରୀ।  ଯେଉଁମାନେ କାର୍‌ କିମ୍ବା ଦୁଇ ଚକିଆରେ ଆସିବେ ଆଚାର୍ଯ୍ୟ ବିହାର ଛକରୁ ଆପୋଲ ହସ୍ପିଟାଲ ପର୍ଯ୍ୟନ୍ତ ଆସିବେ । ସେଠାରେ ୪ ଚକିଆ ଯାନର କାର୍‌ ଡ୍ରପିଂ ପଏଣ୍ଟ ହୋଇଛି। ସେଠାରୁ ଚାଲି ଚାଲି ଜନତା ମଇଦାନକୁ ଆସିବେ।

ସେହିପରି ଯେଉଁମାନେ ବସ୍‌ରେ ଆସିବେ ଆଚାର୍ଯ୍ୟ ବିହାର ଛକରୁ 7th ବାଟାଲିଅନ ଗେଟ୍‌ ପାଖରେ ଓହ୍ଲାଇବେ। ସେଠାରୁ ଚାଲି ଚାଲି ଜନତା ମଇଦାନକୁ ଆସିବେ। କେବଳ ଭିଭିଆଇପିମାନଙ୍କୁ ସଭା ସ୍ଥଳୀକୁ ଯିବାକୁ ପାସ୍‌ ଦିଆଯାଇଛି।  

Odisha Police Bhubaneswar Commissionerate Police