Advertisment

ବଡ଼ଭାଇର ଡାକ ଶୁଣିପାଲେନି ଦୁଇ ଦିବ୍ୟାଙ୍ଗ ଭଉଣୀ, ଜଣଙ୍କୁ କଚାଡ଼ି ଦେଲା ହାତୀ

ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଜଙ୍ଗଲରେ ଫୁଟିଥାଏ ବିଭିନ୍ନ ପ୍ରକାର ଛତୁ। ସେହି ଛତୁକୁ ତୋଳିବା ପାଇଁ ଆଜି ସକାଳେ ସିରିଆବାହାଲ ଗାଁ ଲୋକେ ଶାଗୁଆନ ପଦା ଜଙ୍ଗଲକୁ ଯାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Elephant

Elephant

ବଡ଼ଭାଇର ଡାକ ଶୁଣିପାଲେନି ଦୁଇ ଦିବ୍ୟାଙ୍ଗ ଭଉଣୀ। ଜଙ୍ଗଲରେ ଛତୁ ତୋଳିବାରେ ବ୍ୟସ୍ତ ଥିଲେ। ଠିକ୍‌ ସେହି ସମୟରେ ଜଣଙ୍କୁ ଟାଣି ନେଇ ପାଦରେ ଦଳିଦେଲା ହାତୀ। ଆଜି ସକାଳେ ଏପରି ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତୋଲକୋଇ ଅଞ୍ଚଳରେ ଘଟିଛି।

Advertisment

ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଜଙ୍ଗଲରେ ଫୁଟିଥାଏ ବିଭିନ୍ନ ପ୍ରକାର ଛତୁ। ସେହି ଛତୁକୁ ତୋଳିବା ପାଇଁ ଆଜି ସକାଳେ ସିରିଆବାହାଲ ଗାଁ ଲୋକେ ଶାଗୁଆନ ପଦା ଜଙ୍ଗଲକୁ ଯାଇଥିଲେ। ଗାଁ ଲୋକଙ୍କ ସହିତ ବିଦେଶୀ ପେଣ୍ଠେଇଙ୍କ ପୁଅ ବିଦ୍ୟାଧର ଓ ଦୁଇ ଭିନ୍ନକ୍ଷମ ଭଉଣୀ ଶଶାଖା ଏବଂ ବିଶାଖା ଯାଇଥିଲେ। ସମସ୍ତେ ଅଲଗା ଅଲଗା ସ୍ଥାନରେ ଛତୁ ତୋଳୁ ଥିଲେ। ଛତୁ ତୋଳୁଥିବା ବେଳେ ବିଦ୍ୟାଧର ପ୍ରଥମେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଇ ଥିଲା।

ବିଦ୍ୟାଧର ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଜୀବନ ବିକଳରେ ଦୌଡ଼ିଥିଲେ। ଆଉ ଜଙ୍ଗଲରୁ ବାହାରି ଯିବା ପାଇଁ ବଡ଼ ପାଟିରେ ଚିତ୍କାର କରି ଅନ୍ୟମାନଙ୍କୁ କହିଥିଲେ। ବିଦ୍ୟାଧରଙ୍କ ଚିତ୍କାର ଶୁଣି ଗାଁ ଲୋକେ ଜଙ୍ଗଲରୁ ଜୀବନ ବିକଳରେ ପଳାଇ ଯାଇଥିଲେ। ହେଲେ ବିଦ୍ୟାଧରଙ୍କ ଚିତ୍କାର ଶୁଣିପାରିନଥିଲେ ଦୁଇ ମୁକ ଓ ବଧିର ଭଉଣୀ। ଯେଉଁଥିପାଇଁ ଜଙ୍ଗଲରୁ ଆସିପାରିନଥିଲେ।

Advertisment

ହାତୀ ଦୁଇ ଭଉଣୀଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଇ ଥିଲା। ଜୀବନ ନେଇ ବିଶାଖା ପଳାଇ ଆସିଥିବା ବେଳେ ଶଶାଖାଙ୍କୁ ଶୁଣ୍ଢରେ ଟାଣି ଆଣି ଦଳି ଦେଇଥିଲା ହାତୀ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ପହଞ୍ଚିଥିଲା ବନ ବିଭାଗ। ହାତୀକୁ ଘଉଡାଇବା ସହିତ ସରକାରଙ୍କ ଘୋଷଣା ମୁତାବକ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିଛି ବନ ବିଭାଗ।

ରିପୋର୍ଟ- ତେଲକୋଇରୁ ଚିନ୍ମୟ ସାହୁ

Keonjhar Elephant In Jungle