Advertisment

ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜିଙ୍କ ବିସ୍ଫୋରକ ବୟାନ; ଜେଲ ଅଧିକ୍ଷକଙ୍କ ଅବେହଳାରୁ ଦୁଇ ବନ୍ଦୀ ଫେରାର

ଜେଲ୍‌ ଅଧିକ୍ଷକ ଉଭୟଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିଲେ। ଏହାର ସୁଯୋଗ ନେଇ ସେମାନେ ପ୍ରାୟ ୧୪ଫୁଟର କାନ୍ଥ ଡେଇଁ ଫେରାର  ହୋଇଯାଇଥିବା କହିଛନ୍ତି ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜି ।

author-image
Niharika Rout
ଅଦ୍ୟତନ ହୋଇଛି
Titilagarh Jail

Titilagarh Jail

ବଲାଙ୍ଗିର ଜିଲା ଟିଟିଲାଗଡ଼ ଜେଲରୁ ଶନିବାର ରାତିରେ ୨ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଚମ୍ପଟ ମାରିବା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ଜେଲ୍‌ ଅଧିକ୍ଷକଙ୍କ ଅବହେଳାରୁ ହିଁ ବନ୍ଦୀ ଫେରାର ହୋଇଥିବା ସ୍ୱୀକାର କରିଛନ୍ତି ଖୋଦ ପଶ୍ଚିମାଞ୍ଚଳ ଜେଲ୍‌ ଡିଆଇଜି କୁଳମଣି ବେହେରା । ଜେଲ୍‌ ଅଧୀକ୍ଷକ ଉଭୟଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିଲେ। ଏହାର ସୁଯୋଗ ନେଇ ସେମାନେ ପ୍ରାୟ ୧୪ଫୁଟର କାନ୍ଥ ଡେଇଁ ଫେରାର  ହୋଇଯାଇଥିବା କହିଛନ୍ତି ପଶ୍ଚିମାଞ୍ଚଳ ଜେଲ୍‌ ଡିଆଇଜି ।

Advertisment

ବିଚାରାଧୀନ କଏଦୀ ଫେରାର ଘଟଣାର ତଦନ୍ତ କରିବାକୁ ଗତକାଲି ପଶ୍ଚିମାଞ୍ଚଳ ଜେଲ୍‌ ଡିଆଇଜି ଟିଟିଲାଗଡ଼ ଉପ-କାରାଗାରକୁ ଯାଇଥିଲେ। ସେଠାରେ ସେ ଦୀର୍ଘ ୬ଘଣ୍ଟା ଧରି ଏହି ମାମଲାର ତନ୍ନତନ୍ନ ଯାଞ୍ଚ କରିଥିଲେ ।

ତଦନ୍ତ ପରେ ଗଣମାଧ୍ୟମକୁ ବିସ୍ପୋରକ ବୟାନ ଦେଇ ପଶ୍ଚିମାଞ୍ଚଳ ଜେଲ୍‌ ଡିଆଇଜି କହିଛନ୍ତି, ବେଆଇନ ଭାବେ ଜେଲ୍‌ ଅଧୀକ୍ଷକ ଚିତ୍ତରଞ୍ଜନ ସାହୁ ବନ୍ଦୀମାନଙ୍କୁ ନିଜ କାମରେ ଲଗାଉଥିଲେ । ଯାହା ଫଳରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଶୋଭାବନ ରଣା ଓ ସୁମିତ ବିହାରୀ ସିଡି ସାହାଯ୍ୟରେ ଫେରାର ହେବାରେ ସକ୍ଷମ ହୋଇ ପାରିଛନ୍ତି।

Advertisment

ହେଲେ ସିଡି କିପରି ଜେଲ୍‌କୁ ଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜେଲ୍‌କୁ ପ୍ରବେଶ କରୁଥିବା ସବୁ ଜିନିଷ ଜେଲ୍‌ ଡାଏରୀରେ ଏଣ୍ଟ୍ରି ହେଉଥିବା ବେଳେ ସିଡିକୁ ଏଣ୍ଟ୍ରି କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

ଜେଲ୍‌ ନିୟମାନୁୟୀ, ପ୍ରତିଦିନ ସନ୍ଧ୍ୟା ୬ଟାରେ କଏଦୀଙ୍କ ହାଜିରା ପକା ଯାଇଥାଏ। ମାତ୍ର ଉଭୟ ଶୋଭାବନ ଓ ସୁମିତ ରାତି ସାଢେ ୮ଟାରେ ଫେରାର ହୋଇଛନ୍ତି। ତେବେ ହାଜିରା ପକାଯିବା ପରେ ସେମାନେ କିପରି ଓ କାହା ଅନୁମତିରେ ବାହାରକୁ ଯାଇଥିଲେ ତାହା ଜଣାପଡ଼ିନି।

ଫେରାର ହୋଇଥିବା ଉଭୟ ଶୋଭାବନ ରଣା ଓ ସୁମିତ ବିହାରୀ ହତ୍ୟା ମାମଲା ଅଭିଯୁକ୍ତ । କୋର୍ଟରେ ସେମାନଙ୍କ ମାମଲାରେ ଚାଲୁଥିବା ବେଳେ ସେମାନେ ଟିଟିଲାଗଡ଼ ଉପକାରାଗରେ ବିଚାରାଧୀନ କଏଦୀ ଭାବେ ଥିଲେ। ନିୟମ ଅନୁଯାୟୀ, ବିଚାରାଧୀନ ବନ୍ଦୀଙ୍କୁ କାମରେ ଲଗା ଯାଇ ପାରିବ ନାହିଁ। କେବଳ ଆଜୀବନ ବନ୍ଦୀଙ୍କୁ କାମରେ ଲଗାଯାଇ ପାରିବ । ମାତ୍ର ଏହାସତ୍ତ୍ୱେ ଜେଲ୍‌ ଅଧିକ୍ଷକ ଉଭୟଙ୍କୁ କିପରି ନିଜ ବ୍ୟକ୍ତିଗତ କାମରେ ଲଗାଉଥିଲେ ସେ ନେଇ ସେ ପାଟି ଫିଟାଇ ନାହାନ୍ତି।

ଉଭୟ ଶୋଭାବନ ରଣା ଓ ସୁମିତ ବିହାରୀ ଦୁର୍ଦ୍ଦାନ୍ତ ଅପରାଧୀ। ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେବା ମାମଲାରେ ଗିରଫ ହୋଇ ଟିଟିଲାଗଡ଼ ଉପକାରାଗାରକୁ ଆସିଥିଲେ ଶୋଭାବନ ରଣା। ଶୋଭାବନ ପୂର୍ବରୁ ଜାମିନରେ ମୁକୁଳି ପୁଣି ଶିଶୁବଳି ଦେଇ ଗିରଫ ହୋଇଥିଲା। ସେ କିଛି ମାସ ତଳେ ଜେଲରୁ ମୁକ୍ତି ପାଇବା ପାଇଁ ନିଜକୁ ପାଗଳ ଦର୍ଶାଇ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲା ଓ ଜାମିନ ଆବେଦନ କରିଥିଲା। କିନ୍ତୁ ସେ ସେଥିରେ ବିଫଳ ହୋଇଥିଲା। ଦୁଇଟି ନରବଳି ଦେଇଥିବା ଅଭିଯୁକ୍ତ ପ୍ରତି ଜେଲ୍‌ ଅଧୀକ୍ଷକ କ’ଣ ପାଇଁ ଅହେତୁକ କୋହଳ ମନୋଭାବ ପ୍ରଦର୍ଶନ କରୁଥିଲେ ତାହା ଜଣାପଡ଼ୁନି।

ଏହାବାଦ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା ପାଖରେ ଜଣେ ନାବାଳକୁ ଅପହରଣ କରି ପଥରରେ ଛେଚି ହତ୍ୟା ମାମଲାରେ କେସିଙ୍ଗା ଥାନା ଅଞ୍ଚଳର ସୁମିତ ବିହାରୀ ଏଠାକୁ ଆସିଥିଲେ।

ଉଭୟ କଏଦୀ ଫେରାର ଘଟଣାରେ ଜେଲ୍‌ ଅଧୀକ୍ଷକ ସମ୍ପୂର୍ଣ୍ଣ ଦାୟୀ ବୋଲି ପଶ୍ଚିମାଞ୍ଚଳ ଜେଲ୍‌ ଡିଆଇଜି କହିବା ସତ୍ତ୍ୱେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତଙ୍କୁ ଆଚମ୍ବିତ କରିଛି। 

Bolangir