Advertisment

କିଟ୍ ବିଶ୍ୱବିଦ୍ୟାଳୟକୁ ୟୁଜିସିଙ୍କ କାରଣଦର୍ଶାଅ ନୋଟିସ୍‌: ସପ୍ତାହେ ସୁଦ୍ଧା ଜବାବ ଦିଅ, ନଚେତ୍ ନିଜ ଆଡ଼ୁ ନେବୁ କାର୍ଯ୍ୟାନୁଷ୍ଠାନ

ସପ୍ତାହକ ମଧ୍ୟରେ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁଜିସି କର୍ତ୍ତୃପକ୍ଷ ସ୍ପଷ୍ଟ କରିଚନ୍ତି ।

author-image
Ordigital Desk
KIIT

KIIT

ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ଏନଏଚଆରସିଙ୍କ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କିଟ୍ କର୍ତ୍ତୃପକ୍ଷଙ୍କୁ ଏବେ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ)ଙ୍କ ଶକ୍ତ ଝଟକା । ଦୁଇ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଗତକାଲି ଜୁଲାଇ ୨୧ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରିଛନ୍ତି ୟୁଜିସି ।

Advertisment

ସପ୍ତାହକ ମଧ୍ୟରେ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁଜିସି କର୍ତ୍ତୃପକ୍ଷ ସ୍ପଷ୍ଟ କରିଚନ୍ତି । ୨୦୨୫ ଫେବୃୟାରୀ ୧୬ ଓ ମେ’ ୧ତାରିଖରେ ଦୁଇଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଏହି କାରଣଦର୍ଶାଅ ନୋଟିସ୍ ଜାରି ହେବା ସହ ବିଶ୍ୱବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସହାୟତା ବ୍ୟବସ୍ଥା, ସୁରକ୍ଷା ପ୍ରୋଟୋକଲ ଓ ପ୍ରଶାସନିକ ପ୍ରତିକ୍ରିୟା ପ୍ରଣାଳୀରେ ରହିଥିବା ଗୁରୁତର ତ୍ରୁଟିକୁ ନେଇ ମଧ୍ୟ ୟୁଜିସି କର୍ତ୍ତୃପକ୍ଷ ଚିନ୍ତା ବ୍ୟକ୍ତ କରିଛନ୍ତି ।

ୟୁଜିସିଙ୍କ ଫ୍ୟାକ୍ଟ ଫାଇଣ୍ଡିଂ ଟିମଙ୍କ ସୁପାରିଶ ଆଧାରରେ ନୋଟିସ୍‌

କିଟ୍ ବିଶ୍ୱବିଦ୍ୟାଳୟରେ ଦୁଇ ବିଦେଶୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ଗୁରୁତର ସହ ନେଇ ୟୁଜିସି କର୍ତ୍ତୃପକ୍ଷ ୨୦୨୫ ମେ’ ୨ତାରିଖରେ ପ୍ରଫେସର ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଥିଲେ । ଏହି କମିଟି ଭୁବନେଶ୍ୱର ଆସି କିଟ୍ ପରିସରରରେ ସରଜମିନ୍ ତଦନ୍ତ କରି ଫେରିବା ପରେ ମେ’ ୨୦ତାରିଖରେ ୟୁଜିସି କର୍ତ୍ତୃପକ୍ଷଙ୍କୁ ଦେଇଥିବା ରିପୋର୍ଟ ଓ ସୁପାରିଶ ଆଧାରରେ କିଟ୍ କର୍ତ୍ତୃପକ୍ଷଙ୍କୁ ଗତକାଲି ଏହି ନୋଟିସ୍ ଜାରି ହୋଇଛି । ଏହି କମିଟିର ରିପୋର୍ଟକୁ ମଧ୍ୟ ୟୁଜିସି କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତକାଲିର ନୋଟିସ୍ ସହ ସଂଲଗ୍ନ କରି କିଟ୍ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି ।

Advertisment

ସପ୍ତାହକ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

କିଟ୍ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ଏହି ନୋଟିସ୍ ପାଇବାର ସାତଦିନ ମଧ୍ୟରେ ଲିଖିତ ଭାବେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କାହିଁକି ଶିକ୍ଷାନୁଷ୍ଠାନ ବିରୁଦ୍ଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଅବା ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ନାହିଁ ତା’ର ଜବାବ ରଖିବାକୁ କୁହାଯାଇଛି ।

ଜବାବ ଦାଖଲ ଓ ଅନୁପାଳନରେ ବିଫଳ ହେଲେ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ

ନିର୍ଦ୍ଧାରିତ ସମୟ ଭିତରେ ଜବାବ ଦାଖଲ କରିବାରେ ବିଫଳ ହେଲେ କିଟ୍ ବିଶ୍ୱବିଦ୍ୟାଳୟକୁ ଗୁରୁତର ପରିଣାମ ଭୋଗିବାକୁ ପଡ଼ିପାରେ । ୟୁଜିସି କର୍ତ୍ତୃପକ୍ଷ ସମ୍ଭାବ୍ୟ ନିମ୍ନଲିଖିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି ।  ଏହି ନିର୍ଦେ୍‌ଦଶ UGC (Deemed to be Universities) ଅଧିନିୟମ, ୨୦୨୩ ର ଧାରା ୨୯ ଓ ୩୪ ଅନୁଯାୟୀ ଦିଆଯାଇଛି ।

- ସାର୍ବଜନୀନ ଘୋଷଣା ସହିତ ଲିଖିତ ଚେତାବନୀ

- ୩ ବର୍ଷ ଯାଏ କିମ୍ବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଦ୍ୱାରା ପ୍ରଦତ୍ତ ଅବଧି ଯାଏ ବିଶ୍ୱବିଦ୍ୟାଳୟକୁ ନୂଆ କୋର୍ସ, ବିଭାଗ, ଅଫ୍‌-କ୍ୟାମ୍ପସ କିମ୍ବା ଅଫ୍‌-ଶୋର କ୍ୟାମ୍ପସ ଖୋଲିବା ଉପରେ କଟକଣା

- ଅବସ୍ଥାପିତ କୋର୍ସ, ବିଭାଗ, ଅଫ୍‌-କ୍ୟାମ୍ପସ କିମ୍ବା ଅଫ୍‌-ଶୋର କ୍ୟାମ୍ପସ ବନ୍ଦ କରିବା

- ଡିମଡ୍ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରତ୍ୟାହାର

ୟୁଜିସି କର୍ତ୍ତୃପକ୍ଷଙ୍କ ଦ୍ୱାରା କିଟ୍ ବିଶ୍ୱବିଦ୍ୟାଳୟକୁ ଏହି ନୋଟିସ୍ ପଠାଯିବା ସହ ଏହାର ଏକ କପି ମଧ୍ୟ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ନିକଟକୁ ପଠାଯାଇଥିବା ଜଣାପଡ଼ିଛି ।

Odisha KIIT Bhubaneshwar KIIT