Advertisment

କ୍ୟାବିନେଟ୍ ନିଷ୍ପତ୍ତି: ରାଜ୍ୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଏକୀକୃତ ପେନସନ୍ ଯୋଜନା

ଏନପିଏସ୍ ଅଧୀନରେ ଥିବା କର୍ମଚାରୀମାନେ ୟୁପିଏସ ଚୟନ କରିବାକୁ କିମ୍ବା ଏନପିଏସ୍ ସହିତ ଜାରି ରହିବା ପାଇଁ ବିକଳ୍ପ ବାଛିପାରିବେ।

author-image
Ordigital Desk
Odisha

Odisha

ରାଜ୍ୟର ସରକାରୀ କର୍ମଚାରୀମାନଙ୍କୁ ଏଣିକି ‘ଏନପିଏସ’ ବଦଳରେ ‘ୟୁପିଏସ’ ଅର୍ଥାତ୍ ଏକୀକୃତ ପେନସନ୍ ଯୋଜନାର ସୁବିଧା ମିଳିବ । ଯେଉଁ ରାଜ୍ୟ କର୍ମଚାରୀମାନେ ଏନପିଏସ୍ ବ୍ୟବସ୍ଥାରେ ପେନସନ୍ ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ । ଏନପିଏସ୍ ଅଧୀନରେ ଥିବା କର୍ମଚାରୀମାନେ ୟୁପିଏସ ଚୟନ କରିବାକୁ କିମ୍ବା ଏନପିଏସ୍ ସହିତ ଜାରି ରହିବା ପାଇଁ ବିକଳ୍ପ ବାଛିପାରିବେ ।

Advertisment

ଏହି ୟୁପିଏସ୍ ବ୍ୟବସ୍ଥା ରାଜ୍ୟରେ ୨୦୨୫ ଏପ୍ରିଲ ପହିଲାରୁ କାର୍ଯ୍ୟକ୍ଷମ ହେବ । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ୟୁପିଏସ୍ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର କ୍ୟାବିନେଟ୍ ଅଗଷ୍ଟ ୨୪ତାରିଖରେ ନିଷ୍ପତ୍ତି ନେବାପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଓଡ଼ିଶାରେ ଏହି ଏକୀକୃତ ପେନସନ ଯୋଜନାକୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ କାର୍ଯ୍ୟକାରୀ କରାଯିବ । ୨୫ବର୍ଷର ସର୍ବନିମ୍ନ ଯୋଗ୍ୟତା ଅର୍ଜନକାରୀ ସେବା ଅବଧି ପାଇଁ ଅବସର ପୂର୍ବରୁ ୧୨ମାସରେ ମିଳିଥିବା ହାରାହାରି ମୂଳ ଦରମାର ୫୦ ପ୍ରତିଶତ ହାରରେ ପେନସନ୍ ମିଳିବ ।

Advertisment

ସର୍ବନିମ୍ନ ୧୦ବର୍ଷର ଚାକିରି ଅବଧିଠାରୁ ଆରମ୍ଭ କରି ୨୫ବର୍ଷ ପର୍ଯ୍ୟନ୍ତ ଚାକିରି ଅବଧି କ୍ଷେତ୍ରରେ ପେନସନ ଆନୁପାତିକ ଭାବେ ମିଳିବ । ସେହିପରି ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନସନର ୬୦ ପ୍ରତିଶତ ହାରରେ ପାରିବାରିକ ପେନସନ୍ ମିଳିବ । ସର୍ବନିମ୍ନ ୧୦ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ମାସିକ ୧୦ହଜାର ଟଙ୍କା ପେନସନ୍ ମିଳିବ ।

ମୁଦ୍ରାସ୍ପୀତି ଅନୁରୂପ ସୁନିଶ୍ଚିତ ପେନସନ୍‌, ସୁନିଶ୍ଚିତ ପାରିବାରିକ ପେନସନ୍ ଓ ସୁନିଶ୍ଚିତ ସର୍ବନିମ୍ନ ପେନସନ୍ ନିର୍ଦ୍ଧାରଣ କରାଯିବ । ସେବା କର୍ମଚାରୀଙ୍କ କ୍ଷେତ୍ରରେ ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଉପଭୋକ୍ତ ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ସହାୟତା ମିଳିବ ।

ଅବସର ପରେ ଗ୍ରାଚ୍ୟୁଇଟି ବ୍ୟତୀତ ଏକକାଳୀନ ରାଶି ଭାବେ ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ମାସ ପାଇଁ ଅବସର ତାରିଖରେ ମିଳୁଥିବା ମାସିକ ପାରିଶ୍ରମିକର ଏକ ଦଶମାଂଶ ଏକକାଳୀନ ରାଶି ମିଳିବ । ଏହି ରାଶି କାରଣରୁ ସୁନିଶ୍ଚିତ ପେନସନର ପରିମାଣ କମ୍ ହେବ ନାହିଁ ।

ୟୁପିଏସରେ ଅବସର ନେବା ପରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ନିଶ୍ଚିତ ପରିବାର ପେନସନ୍ ସୁବିଧା ଉପଲବ୍ଧ ହେବ, ଯାହାକି ଏନପିଏସରେ ନଥିଲା ।

Odisha