Advertisment

ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଶ୍ରୀମତୀ ସୀତାରମଣ ଆସନ୍ତାକାଲି ସକାଳ ୭ଟାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।

Nirmala Sitharaman

Nirmala Sitharaman

Advertisment

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିଛନ୍ତି । ବିମାନ ବନ୍ଦରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ବରିଷ୍ଠ ନେତାମାନେ ସ୍ୱାଗତ କରିବା ସହ ସେଠାରୁ ତାଙ୍କୁ ସିଧାସଳଖ ବିଜେପି ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ଦଳୀୟ ନେତ୍ରୀ ନିବେଦିତା ପ୍ରଧାନଙ୍କ ସ୍ମୃତି ସଭାରେ ଯୋଗ ଦେଇ ମହିଳାମାନେ ଆଗକୁ ଆସିଲେ ତାହା ଆମ ସମସ୍ତଙ୍କୁ ପ୍ରେରଣା ଦେଇଥାଏ ବୋଲି କହିବା ସହ ବିଜେପିରେ ମହିଳା ନେତ୍ରୀମାନେ କିଭଳି ଅଗ୍ରାଧିକାର ପାଇଛନ୍ତି ସେ ସମ୍ପର୍କରେ ନିଜର ମତ ରଖିଥିଲେ ।

Advertisment

ସୂଚନା ଅନୁସାରେ, ଶ୍ରୀମତୀ ସୀତାରମଣ ଆସନ୍ତାକାଲି ସକାଳ ୭ଟାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ଉଭୟ କେନ୍ଦ୍ରମନ୍ତ୍ରୀ ପୁରୀରେ ୮ଟାରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀ ବ୍ଲୁ-ଫ୍ଲାଗ ବେଳାଭୂମିଠାରେ ‘ମେରୀ ମାଟି ମେରା ଦେଶ’ ବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିବେ ।  ସକାଳ ୯ଟାରେ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିବା ସହ ପଂଚପ୍ରାଣ ଶପଥ ଗ୍ରହଣ କରିବେ ।

ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଉଭୟ କେନ୍ଦ୍ରମନ୍ତ୍ରୀ ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁରସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ । ଏହାପରେ ଭୁବନେଶ୍ୱର ଫେରି ହୋଟେଲ ମେ’ଫେୟାରରେ କୁଇ ଓ ଦେଶିୟା ଭାଷାରେ ଦୁଇଟି ପୁସ୍ତକକୁ ଉନ୍ମୋଚନ କରିବେ । ଆସନ୍ତାକାଲି ଅପରାହ୍ନ ୫ଟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସୀତାରମଣ ସୋଆ ବିଶ୍ୱବିଦ୍ୟାଳୟର ସଭାଗୃହଠାରେ ବିଂଶତମ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ଯୋଗ ଦେବେ । ଆସନ୍ତାକାଲି ରାତିରେ ଶ୍ରୀମତୀ ସୀତାରମଣ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Advertisment
Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe